ନୂଆଦିଲ୍ଲୀ,୧୮।୨: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (RIL)ର ଏକ ୟୁନିଟ୍ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ଏହାର ଥଣ୍ଡା ପାନୀୟ ବ୍ରାଣ୍ଡ କାମ୍ପା କୋଲା ଲଞ୍ଚ କରିଛି। ବିଶ୍ୱର ଅଗ୍ରଣୀ ଖାଦ୍ୟ ଏବଂ ପାନୀୟ (F&B) ଇଭେଣ୍ଟ ଗଲ୍ଫଫୁଡ୍ରେ ଏହି ଶୁଭାରମ୍ଭ କରାଯାଇଥିଲା। ଏକ ମିଳିତ ବିବୃତ୍ତି ଅନୁଯାୟୀ କାମ୍ପା କୋଲା ୟୁଏଇରେ ଅଂଶୀଦାର Agthia Group ସହିତ ମିଳିତ ଭାବରେ ଲଞ୍ଚ କରାଯାଉଛି, ଯାହାକି ଏହି ଅଞ୍ଚଳର ପ୍ରମୁଖ କମ୍ପାନୀଗୁଡ଼ିକ ମଧ୍ୟରେ ଅନ୍ୟତମ।
UAEରେ ପ୍ରଥମ ପ୍ରବେଶ:
ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ (RCPL) ପ୍ରଥମ ଥର ପାଇଁ UAEରେ ପ୍ରବେଶ କରିଛି। RCPL ୨୦୨୨ ମସିହାରେ କାମ୍ପା କୋଲା ଅଧିଗ୍ରହଣ କରିବା ପରେ ମୃଦୁ ପାନୀୟ ବଜାରରେ ପ୍ରବେଶ କରିଥିଲା ଏବଂ ପରେ ୨୦୨୩ ମସିହାରେ ଏହାକୁ ପୁନଃପ୍ରଚଳନ କରାଯାଇଥିଲା।
କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) କେତନ ମୋଦି କହିଛନ୍ତି, ଆମେ ୫୦ ବର୍ଷରୁ ଅଧିକ ସମୟ ପୂର୍ବେ ପ୍ରତିଷ୍ଠିତ ଏକ ଭାରତୀୟ ବ୍ରାଣ୍ଡ CAMPA ସହିତ UAE ବଜାରରେ ପ୍ରବେଶ କରିବାକୁ ଉତ୍ସାହିତ। ଆମେ ଦୀର୍ଘକାଳୀନ ଅବଧୀ ଲାଗି ନିବେଶ କରୁଛୁ ଏବଂ ଏହି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧିର ବିଶାଳ ସମ୍ଭାବନା ଦେଖୁଛୁ।
କେତନ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଏହି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧିର ବିଶାଳ ସମ୍ଭାବନା ଦେଖୁଛୁ। ଆମର ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ଅଭିନବ ଏବଂ ବିଶ୍ୱସ୍ତରୀୟ ଗୁଣାତ୍ମକ ଉତ୍ପାଦ ପ୍ରଦାନ କରିବାରେ ଆମର ଏକ ପ୍ରମାଣିତ ଟ୍ରାକ୍ ରେକର୍ଡ ଅଛି। କ୍ୟାମ୍ପା କୋଲାର ଶୁଭାରମ୍ଭ ୟୁଏଇରେ ଥିବା ସମସ୍ତ ଭାରତୀୟ ପ୍ରବାସୀମାନଙ୍କ ମଧ୍ୟରେ ସ୍ମୃତିକୁ ଫେରାଇ ଆଣିବ। ତେବେ ଗଲ୍ଫଫୁଡ୍ ୨୦୨୫ ଫେବୃଆରୀ ୧୭-୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି।