Categories: ଖେଳ

ଅଷ୍ଟ୍ରେଲିଆ ବିପକ୍ଷରୁ ଅଭିଯାନ ଆରମ୍ଭ ଓ ଶେଷ

ଅମହମ୍ମଦାବାଦ, ୧୮ା୧୧: ୨୦୨୩ ବିଶ୍ୱକପ୍‌ରେ ଭାରତ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରୁ ହିଁ ଅଭିଯାନ ଆରମ୍ଭ କରିଥିଲା। ଘଟଣା କ୍ରମରେ ଉଭୟ ଦଳ ମଧ୍ୟରେ ଫାଇନାଲରେ ଭାରତ ପୁଣି ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି। ଅର୍ଥାତ୍‌ ଭାରତର ଅଭିଯାନ ଏଥର ଅଷ୍ଟ୍ରେଲିଆ ବିପକ୍ଷରୁ ଆରମ୍ଭ ଓ ଶେଷ ହେବାକୁ ଯାଉଛି। ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଲିଗ୍‌ ମ୍ୟାଚରେ ଭାରତ ୬ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା।

ଘରୋଇ ବୋଲରଙ୍କ ଚମତ୍କାର ବୋଲିଂର ସାମ୍ନା କରି ନ ପାରି ଅଷ୍ଟ୍ରେଲିଆ ୪୯.୩ ଓଭରରେ ମାତ୍ର ୧୯୯ ରନକରି ଅଲ୍‌ଆଉଟ ହୋଇଯାଇଥିଲା। ଷ୍ଟିଭେନ ସ୍ମିଥ୍‌ ସର୍ବାଧିକ ୪୬ ଓ ଡେଭିଡ ଓ୍ବାର୍ନର ୪୧ ରନ କରି ପାରିଥିଲେ। ଭାରତର ୬ ଜଣ ଯାକ ବୋଲର ଉଇକେଟ ପାଇଥିଲେ। ସେମାନଙ୍କ ମଧ୍ୟରୁ ରବୀନ୍ଦ୍ର ଜାଡେଜା ୩ଟି ଏବଂ ଯଶପ୍ରୀତ୍‌ ବୁମ୍‌ରା ଓ କୁଲଦୀପ ଯାଦବ ୨ଟି ଲେଖାଏ ଉଇକେଟ ପାଇଥିଲେ। ୨୦୦ ରନ ବିଜୟ ଲକ୍ଷ୍ୟରେ ଭାରତ ୪୨.୨ ଓଭରରେ ୪ ଉଇକେଟ ହରାଇ ୨୦୧ ରନ ସଂଗ୍ରହ କରି ନେଇଥିଲା। ଲୋକେଶ ରାହୁଲ ୯୭ ରନ କରି ଅପରାଜିତ ରହିଥିବାବେଳେ ତାରକା ବ୍ୟାଟର ବିରାଟ କୋହଲି ସ୍କୋର କରିଥିଲେ ୮୫ ରନ। ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରେ କେବଳ ଜୋଶ୍‌ ହାଜେଲଉଡ୍‌ (୩/୩୮)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ସେପରି ପ୍ରଭାବ ପକାଇପାରି ନ ଥିଲେ।

Share