Categories: ଜାତୀୟ

୪ ରାଜ୍ୟରେ ପ୍ରଚାର ଶେଷ

ନୂଆଦିଲ୍ଲୀ, ୫।୪: ମଙ୍ଗଳବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ରବିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ସେହିପରି ଆସାମରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିଥିବାବେଳେ ପଶ୍ଚିମବଙ୍ଗରେ ୩ୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରଚାର ଶେଷ ହୋଇଛି। ତାମିଲନାଡୁର କନ୍ୟାକୁମାରୀ ଏବଂ କେରଳର ମାଲାପୁରମ୍‌ ଲୋକ ସଭା ଆସନ ଲାଗି ଉପନିର୍ବାଚନ ମଧ୍ୟ ମଙ୍ଗଳବାର ଅନୁଷ୍ଠିତ ହେବ। ତୃତୀୟ ପର୍ଯ୍ୟାୟରେ ଆସାମର ୪୦ ଏବଂ ପଶ୍ଚିମବଙ୍ଗର ୩୧ ଆସନରେ ମତଦାନ ହେବାକୁ ଯାଉଛି। ସେହିଦିନ ତାମିଲନାଡ଼ୁର ୨୩୪ ଆସନ, କେରଳର ୧୪୦ ଏବଂ ପୁଡ଼ୁଚେରୀର ୩୦ ଆସନରେ ଭୋଟଗ୍ରହଣ କରାଯିବ।
ଆସାମରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ସମସ୍ତ ରାଜନୈତିକ ଦଳ ପକ୍ଷରୁ ଶେଷ ଉଦ୍ୟମ କରାଯାଇଛି। ବରିଷ୍ଠ ଭାଜପା ନେତା ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ, ରାଜ୍ୟ ଭାଜପା ସଭାପତି ରଣଜିତ କୁମାର ଦାସ ଏବଂ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବିଭିନ୍ନ ସ୍ଥାନରେ ଏନ୍‌ଡିଏ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ସେହିପରି ଆସାମ ଜାତୀୟ ପରିଷଦ ଅଧ୍ୟକ୍ଷ ଲୁରିନ୍‌ଜ୍ୟୋତି ଗୋଗୋଇ, ଏଆଇୟୁଡିଏଫ୍‌ ସଭାପତି ବଦ୍‌ରୁଦ୍ଦିନ ଅଜମଲ ଏବଂ ବରିଷ୍ଠ କଂଗ୍ରେସ ନେତାମାନେ ବିଭିନ୍ନ ସ୍ଥାନରେ ରାଲି କରିଥିଲେ।
କେରଳରେ ୩ ପ୍ରମୁଖ ମେଣ୍ଟ ଶେଷ ଦିନରେ ଜୋର୍‌ଦାର ପ୍ରଚାର କରିଥିଲେ। କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରାମନ୍‌, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏଲ୍‌ଡିଏଫ୍‌ର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ରାଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ମଙ୍ଗଳବାର ନିର୍ବାଚନ ପାଇଁ ୬୦ ହଜାର ସୁରକ୍ଷା ଯବାନଙ୍କୁ ନିୟୋଜିତ କରାଯାଇଛି। ପଶ୍ଚିମବଙ୍ଗରେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟରେ ୧୨୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ଏଥିପାଇଁ ଭାଜପା, ତୃଣମୂଳ କଂଗ୍ରେସ ଏବଂ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ସ୍ଥାନରେ ନିର୍ବାଚନୀ ରାଲିର ଆୟୋଜନ କରାଯାଇଥିଲା। ହୁଗ୍‌ଲି, ହାଓଡା ଏବଂ ଦକ୍ଷିଣ ୨୪ ପ୍ରଗଣା ଜିଲାର ୩୧ ଆସନରେ ମଙ୍ଗଳବାର ମତଦାନ ହେବ। ତାମିଲନାଡୁରେ ସବୁ ଦଳର ନେତା ଶେଷ ଦିନରେ ଜୋର୍‌ଦାର ପ୍ରଚାର କରିଛନ୍ତି। ପୁଡ଼ୁଚେରୀ କେନ୍ଦ୍ରଶାସିତ ଅଞ୍ଚଳର କେତେକ ସ୍ଥାନରେ ୧୪୪ ଧାରା ଜାରି ହୋଇଥିବାରୁ ନେତା ଓ ପ୍ରାର୍ଥୀମାନେ ଘରକୁ ଘର ଯାଇ ପ୍ରଚାର କରିଥିଲେ।

 

Share