ଜମୁଛି ପ୍ରଚାର: ଏମ୍‌ପି, ବିଧାୟକ ପ୍ରାର୍ଥୀ ଘରକୁ ଘର ବୁଲି କରୁଛନ୍ତି ଭୋଟ୍‌ଭିକ୍ଷା

ଦାରିଙ୍ଗବାଡ଼ି,୧୦ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ପଞ୍ଚାୟତ କାଟିଙ୍ଗିଆଠାରୁ କଂଗ୍ରେସ ଦଳର ଏମ୍‌ପି ଓ ବିଧାୟକ ପ୍ରାର୍ଥୀ ନିଜ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରକାଶ ଯେ, ଏମ୍‌ପି ପ୍ରାର୍ଥୀ ଅମିରଚାନ୍ଦ ନାୟକ ଏବଂ ବିଧାୟକ ପ୍ରାର୍ଥୀ ପ୍ରଫୁଲ ପ୍ରଧାନ କାଟିଙ୍ଗିଆଠାରେ ପହଞ୍ଚିଥିଲେ। ସେଠାରେ ଶତାଧିକ କଂଗ୍ରେସ କର୍ମୀ ତାଙ୍କୁ ସ୍ବାଗତ କରିବା ସହ ଗାଁରେ ଘର ଘର ବୁଲି ଭୋଟ୍‌ ଭିକ୍ଷା କରିଥିଲେ। କଂଗ୍ରେସ ସରକାର ଗଠନ କଲେ ବେକାରୀ ଯୁବତୀଯୁବକମାନଙ୍କୁ ଭତ୍ତା ପ୍ରଦାନ କରାଯିବ ଓ ଚାକିରି ମିଳିବା ପର୍ଯ୍ୟନ୍ତ କଂଗ୍ରେସ ସରକାର ଏହି ଭତ୍ତା ପ୍ରଦାନ କରୁଥିବେ ବୋଲି ଏମ୍‌ପି ପ୍ରାର୍ଥୀ ଅମିରଚାନ୍ଦ ଗ୍ୟାରେଣ୍ଟି ସହ କହିଥିଲେ। କଂଗ୍ରେସର ଗ୍ୟାରେଣ୍ଟି ଯୋଜନା ସମ୍ପର୍କରେ ପ୍ରଚାର କରାଯାଇଥିଲା। ପରେ କାଟିଙ୍ଗିଆ ମୁଖ୍ୟ ରାସ୍ତାକଡ଼ରେ କଂଗ୍ରେସ କାର୍ଯ୍ୟାଳୟକୁ ଉଭୟ ପ୍ରାର୍ଥୀ ଶୁଭ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟାଳୟରେ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଦଳ ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା। ସେଠାରୁ ବାହାରି ଗୁଡ଼ିକିଆ, କୁମ୍ଭାରୀଗାଁ, ଝିଞ୍ଜିରୀଗୁଡ଼ା, ହାତୀମୁଣ୍ଡାର ବୁଜୁଲି, ଗଦାପୁର ଆଦି ଅଞ୍ଚଳରେ ପ୍ରଚାର କରିଥିଲେ। ଶିକରମହା, ଦାସିଙ୍ଗବାଡି, ଦାରିଙ୍ଗବାଡ଼ି, ଶ୍ରାନିକେତା, ସିମନବାଡ଼ି, ତିଲୋରୀ ହୋଇ ବୁଡ଼ାଗୁଡାଠାରେ ପ୍ରଚାର ଶେଷ କରିବେ ବୋଲି ଅମିରଚାନ୍ଦ କହିଛନ୍ତି। ପ୍ରଚାରବେଳେ କଂଗ୍ରେସର ବରିଷ୍ଠ ନେତା ରମାକାନ୍ତ ବଳିୟାରସିଂଙ୍କ ସମେତ କରମ ସିଂ,ପ୍ରେମାନନ୍ଦ ବସ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।