କ୍ୟାମ୍ପବେଲ୍‌ ଏୟାର ଇଣ୍ଡିଆ ସିଇଓ

ନୂଆଦିଲ୍ଲୀ,୧୩।୫(ପି.ଟି.):ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥା ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭାବେ ସ୍କୁଟ୍‌ ସିଇଓ କ୍ୟାମ୍ପ୍‌ବେଲ୍‌ ଓ୍ବିଲସନଙ୍କୁ ଟାଟା ସନ୍ସ ନିଯୁକ୍ତି ଦେଇଛି। ୫୦ ବର୍ଷୀୟ କ୍ୟାମ୍ପବେଲ୍‌ ଏବେ ଟାଟା ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟୋଗ ବିସ୍ତାରାର ସହଯୋଗୀ ସଂସ୍ଥା ସ୍କୁଟ୍‌ରେ ସିଇଓ ଅଛନ୍ତି। ତାଙ୍କର ବିମାନ ଚଳାଚଳ ଶିଳ୍ପରେ ୨୬ ବର୍ଷର ଅଭିଜ୍ଞତା ରହିଛି। ଏୟାର ଇଣ୍ଡିଆକୁ ତାଙ୍କୁ ସ୍ବାଗତ କରିବାରେ ବହୁତ ଖୁସି ବୋଲି ଟାଟା ଗ୍ରୁପ୍‌ ଅଧ୍ୟକ୍ଷ ଚନ୍ଦ୍ରଶେଖରନ୍‌ କହିଛନ୍ତି। ତାଙ୍କ ଅଭିଜ୍ଞତାରୁ ଏୟାର ଇଣ୍ଡିଆ ଲାଭ ଉଠାଇପାରିବ। ଏହାକୁ ଏକ ବିଶ୍ୱସ୍ତରୀୟ ଏୟାରଲାଇନ୍ସରେ ପରିଣତ କରିବା ଲାଗି ତାଙ୍କ ସହ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ଚନ୍ଦ୍ରଶେଖରନ କହିଛନ୍ତି। ମର୍ଯ୍ୟାଦାଜନକ ଟାଟା ଗ୍ରୁପ୍‌ର ଏୟାରଇଣ୍ଡିଆର ନେତୃତ୍ୱ ନେବା ପାଇଁ ଚୟନ କରାଯିବା ତାଙ୍କ ପାଇଁ ସମ୍ମାନର କଥା ବୋଲି କ୍ୟାମ୍ପବେଲ୍‌ କହିଛନ୍ତି। ଉଭୟ ପୂର୍ଣ୍ଣକାଳୀନ ଏବଂ ବଜେଟ ଏୟାରଲାଇନ୍ସରେ ଅଭିଜ୍ଞତା ଥିବା କ୍ୟାମ୍ପବେଲ୍‌ ୧୯୯୬ରେ ନ୍ୟୁଜିଲାଣ୍ଡରେ ସିଙ୍ଗାପୁର ଏୟାରଲାଇନ୍ସ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସେ କାନାଡ଼ା, ହଂକଂ ଏବଂ ଜାପାନରେ ଉକ୍ତ ଏୟାରଲାଇନ୍ସରେ କାମ କରିବା ସହ ୨୦୧୧ରେ ସ୍କୁଟ୍‌ର ପ୍ରତିଷ୍ଠାତା ସିଇଓ ହୋଇଥିଲେ। ୨୦୧୬ରେ ସେ ସିଙ୍ଗାପୁର ଏୟାରଲାଇନ୍ସ ସେଲ୍ସ ଓ ମାର୍କେଟିଂର ବରିଷ୍ଠ ଉପାଧ୍ୟକ୍ଷ ହୋଇଥିଲେ। ୨୦୨୦ ଏପ୍ରିଲରେ ସେ ପୁଣିଥିରେ ସ୍କୁଟ୍‌କୁ ସିଇଓ ଭାବେ ଫେରିଥିଲେ।
ସୂଚନାଯୋଗ୍ୟ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ଭାରତ ସରକାରଙ୍କଠାରୁ ଟାଟା ଗ୍ରୁପ୍‌ କିଣିବା ପରେ ତୁର୍କୀ ଏୟାରଲାଇନ୍ସର ପୂର୍ବତନ ଅଧ୍ୟକ୍ଷ ଇଲ୍‌କର ଆଇସିଙ୍କୁ ଏହାର ସିଇଓ ତଥା ଏମ୍‌ଡି କରିବା ଲାଗି ଚୟନ କରିଥିଲା। ତେବେ ଇଲ୍‌କର ଉକ୍ତ ପଦବୀ ଗ୍ରହଣ କରିବାକୁ ମନା କରିଦେଇଥିଲେ।

Share