କମ୍ପୁଛି ପ୍ରଚାର ମଇଦାନ

ଢେଙ୍କାନାଳ ଅଫିସ, ୧୪ା୨: ଜୋର୍‌ ଧରିଛି ପ୍ରଚାର। କମ୍ପୁଛି ମଇଦାନ। ଚାଲିଛି ଆରୋପ-ପ୍ରତ୍ୟାରୋପ। ଏସବୁ ଭିତରେ ବିକାଶର ସ୍ବପ୍ନ ଦେଖାଇ ଭୋଟରଙ୍କ ନିକଟତର ହେଉଛନ୍ତି ପ୍ରାର୍ଥୀ। ମତଦାନ ତାରିଖ ପାଖେଇ ଆସୁଥିବାବେଳେ ମଇଦାନକୁ ଓହ୍ଲାଇଛନ୍ତି ତୁଙ୍ଗନେତା, ଯାହାକୁ ନେଇ ଉଷ୍ମ ହୋଇଛି ଢେଙ୍କାନାଳ ଜିଲାର ରାଜନୈତିକ ବାତାବରଣ।
ରବିବାର ପ୍ରମୁଖ ରାଜନୈତିକ ଦଳ ଭାଜପା ଏବଂ ବିଜେଡି ପକ୍ଷରୁ ସଦର ଓ ଓଡ଼ାପଡ଼ା ବ୍ଲକରେ ମାରାଥନ୍‌ ପ୍ରଚାର କରାଯାଇଛି। ସଦର ବ୍ଲକ ଅନ୍ତର୍ଗତ ୩ନଂ. ଜୋନ୍‌ର ବିଭିନ୍ନ ପଞ୍ଚାୟତରେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଅଶୋକ କୁମାର ପରିଡ଼ାଙ୍କ ପାଇଁ ବିଧାୟକ ସୁଧୀର କୁମାର ସାମଲ ପ୍ରଚାର କରିଛନ୍ତି। ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ଅସହଯୋଗ ନୀତିର ତୀବ୍ର ସମାଳୋଚନା କରିଥିଲେ। ଏଥିସହ ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନା ଉପରେ ଆଲୋକପାତ କରିଥିଲେ। ବିଧାୟକଙ୍କ ସମେତ ରାଜ୍ୟ ସାଧାରଣ ସମ୍ପାଦକ ହର୍ଷବର୍ଦ୍ଧନ ସିଂଦେଓ, ଜିଲା କୃଷକ ସଙ୍ଗଠନ ସମ୍ପାଦକ ନରୋତ୍ତମ ସାହୁ ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରିଥିଲେ।
ସେହିପରି ଓଡ଼ାପଡ଼ା ବ୍ଲକର ୧ନଂ. ଜିଲା ପରିଷଦ ଜୋନ୍‌ରେ ଭାଜପାର ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ପ୍ରାର୍ଥୀ ବବିଲତା ବେହେରାଙ୍କ ପାଇଁ ପ୍ରଚାର କରିଥିଲେ। ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହିତ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ଦଳୀୟ ପାର୍ଥୀଙ୍କୁ ବିପୁଳ ମତଦାନ କରି ଜିତାଇବାକୁ ଭୋଟରଙ୍କୁ ନିବେଦନ କରିଥିଲେ। ପୂର୍ବତନ ରାଜ୍ୟ ସଭା ସଦସ୍ୟ ରୁଦ୍ରନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରାଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।