Categories: ଖେଳ

ଲମ୍ବା ଲମ୍ବା ଛକା ମାରି ଯେକୌଣସି ସମୟରେ କରିପାରିବି ରନ୍‌: ଶିବମ

ମୋହାଲି,୧୨।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଶିବମ ଦୁବେ ଚମତ୍କାର ବ୍ୟାଟିଂ କରିଥିଲେ। ଶିବମଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଆଧାରରେ ଭାରତ ଆଫଗାନିସ୍ତାନକୁ ୬ଟି ଉଇକେଟ୍‌ରେ ପରାସ୍ତ କରିଥିଲା। ପ୍ରଥମ ବୋଲିଂରେ ଶିବମ ୨ ଓଭରରେ ୯ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ ଏବଂ ବ୍ୟାଟିଂରେ ୪୦ ବଲରେ ୬୦ ରନ ସ୍କୋର କରି ଅପରାଜିତ ରହିଥିଲେ। ତାଙ୍କର ଦୃଢ ପ୍ରଦର୍ଶନ ହେତୁ ସେ ପ୍ଲେୟାର ଅଫ ଦି ମ୍ୟାଚ ଟାଇଟଲ ମଧ୍ୟ ପାଇଥିଲେ। ମ୍ୟାଚ ପରେ ଶିବମ ୨୦୨୪ ଟି-୨୦ ବିଶ୍ୱକପ ପାଇଁ ନିଜର ଦାବି କରିଥିଲେ।
ଆଫଗାନିସ୍ତାନକୁ ପରାସ୍ତ କରିବା ପରେ ଶିବମ ଦୁବେ କହିଛନ୍ତି, ଟି-୨୦ କ୍ରିକେଟରେ ମୁଁ କିପରି ବ୍ୟାଟିଂ କରେ ତାହା ମୁଁ ଜାଣେ। ମୁଁ ବଡ଼ ଛକା ମାରିପାରେ, ତେଣୁ ମୁଁ ଯେକୌଣସି ସମୟରେ ରନ ସ୍କୋର କରିପାରିବି। ମୋହାଲିରେ ବହୁତ ଥଣ୍ଡା। କିନ୍ତୁ ଏହି ଗ୍ରାଉଣ୍ଡରେ ଖେଳିବାକୁ ଭଲ ଲାଗେ। ଦୀର୍ଘ ଦିନ ପରେ ଖେଳିବା ଏବଂ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବା ମୋ ଉପରେ ଟିକିଏ ଚାପ ଥିଲା। କିନ୍ତୁ ମୁଁ ଚିନ୍ତା ନକରି ଖେଳିଥିଲି।
ଏହି ମ୍ୟାଚକୁ ଭାରତୀୟ ଦଳ ୬ ଉଇକେଟରେ ଜିତି ନେଇଛି। ପ୍ରଥମେ ଭାରତୀୟ ବୋଲରମାନେ ଆଫଗାନିସ୍ତାନକୁ ୨୦ ଓଭରରେ ୧୫୮ ରନ୍‌ରେ ସୀମିତ ରଖିଥିଲେ ଏବଂ ପରେ ଶିବମ ଦୁବେଙ୍କ ଅପରାଜିତ ୬୦ ରନ ଯୋଗୁ ସହଜରେ ଲକ୍ଷ୍ୟ ହାସଲ କରିଥିଲା।

Share