ଅକ୍ଷୟ କୁମାର ମିଶ୍ର
ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାଙ୍କ ପାଇଁ ଉଚ୍ଚ ଶିକ୍ଷାରେ ବିଶେଷ କରି ଡାକ୍ତରୀ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ‘ସ୍ଥାନ ସଂରକ୍ଷଣର ସଂକଳ୍ପ’ ଆଧାରିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ରାଜ୍ୟ କ୍ୟାବିନେଟ ମୋହର ଲଗାଇଛନ୍ତି। ଅବଶ୍ୟ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ; ଯାହା ଲୋକଙ୍କୁ କିଛି ପରିମାଣରେ ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବ। କିନ୍ତୁ ଏଥିରେ ଅତ୍ୟଧିକ ଖୁସି ହେବାର କିଛି ନାହିଁ, କାରଣ ଯେଉଁ ସବୁ କଥା ପାଇଁ ସରକାରୀ ବିଦ୍ୟାଳୟ ପ୍ରତି ଲୋକଙ୍କ ମନରେ ବିମୁଖ ଭାବନା ଆସିଛି ତାହା ପ୍ରଶମିତ କରିବାରେ ଏହି ସଂକଳ୍ପ କେତେ ଦୂର ସହାୟକ ହେବ ଏଥିରେ ସନ୍ଦେହ ଅଛି। ସକାରାତ୍ମକ ଭାବନାର ଉନ୍ମେଷ ପାଇଁ ପ୍ରଥମେ ନକାରାତ୍ମକ ଭାବନା ସୃଷ୍ଟି ହେବା ପଶ୍ଚାତଭାଗରେ ଯେଉଁ ସବୁ କାରଣ ନିହିତ ଅଛି ତାହାକୁ ଚିହ୍ନଟ କରିବା ଏବଂ ନିରାକରଣ ଦିଗରେ ପଦକ୍ଷେପ ଗ୍ରହଣ କରିବା ବାଞ୍ଛନୀୟ ା ନଚେତ୍ ସରକାରୀ ଶିକ୍ଷା ବ୍ୟବସ୍ଥା ଯେମିତି ବିପର୍ଯ୍ୟୟର ଦ୍ୱାର ଦେଶରେ ଉପନୀତ ହେଲାଣି ସେଠାରୁ ଉଦ୍ଧାର କରିବା ସମ୍ଭବ ନୁହେଁ। କଥାରେ ଅଛି ବାଉଁଶ ଥିଲେ ସିନା ବଇଁଶୀ ତିଆରି ହେବ ଆଉ ସେଥିରୁ ସୁମଧୁର ସ୍ବନ ବାହାରିବ।
ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଦୁର୍ବଳ ଶ୍ରେଣୀ ପାଇଁ ଏକ ପ୍ରୋତ୍ସାହନ, ଯାହା ଭାରତ ବର୍ଷର ପ୍ରାକ୍ ସ୍ବାଧୀନତା କାଳରୁ ରହିଆସିଛି। ୧୯୦୨ରେ ଛତ୍ରପତି ଶାହୁଜୀ ମହାରାଜ ପ୍ରଥମେ ବଞ୍ଚତ୍ତ ତଥା ପଛୁଆ ବର୍ଗର ପିଲାଙ୍କ ପାଇଁ ମୁକ୍ତ ଶିକ୍ଷା ଓ ହଷ୍ଟେଲରେ ଏହି ବ୍ୟବସ୍ଥା ଲାଗୁ କରିଥିଲେ। ସ୍ବାଧୀନତା ପରେ ଅନୁସୂଚିତ ଜାତି ଓ ଜନଜାତିଙ୍କର ବିକାଶ ପାଇଁ ସ୍ଥାନ ସଂରକ୍ଷଣ ସାମ୍ବିଧାନିକ ସ୍ବୀକୃତି ଲାଭ କଲା। ୧୯୭୯ରେ ଗଠିତ ମଣ୍ଡଳ କମିଶନ ଏ ବାବଦରେ ଏକ ଐତିହାସିକ ପ୍ରସ୍ତାବ ରଖିଲା। କମିଶନ ଜାତିଗତ ସଂରକ୍ଷଣ ସହିତ ଅର୍ଥନୈତିକ ଅନଗ୍ରସର ଓ ସାମାଜିକ ପଛୁଆବର୍ଗର ଲୋକଙ୍କ ପାଇଁ ସଂରକ୍ଷଣ ସପକ୍ଷରେ ଯୁକ୍ତି ଉପସ୍ଥାପନ କଲା। ଏହି ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବହୁ ବାଦବିବାଦ ଚାଲିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ୧୯୯୨ରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଜରିଆରେ କହିଲେ, ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷିତ ରଖାଯାଇ ପାରିବ ନାହିଁ । ତଦନୁଯାୟୀ ଆମ ଦେଶରେ ଅନୁସୂଚିତ ଜାତି ପାଇଁ ୧୫ ପ୍ରତିଶତ, ଅନୁସୂଚିତ ଜନଜାତି ପାଇଁ ୭.୫ ପ୍ରତିଶତ ଏବଂ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହାପରେ ସରକାର ଆଜି ଯେଉଁ ନୂତନ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି ତା’ର ବୈଧତା ସମ୍ପର୍କରେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି। ଯଦି ଏହା ସମ୍ଭବ ହୁଏ ତେବେ ସ୍ବାଗତ କରିବାରେ ଦ୍ୱିଧା ନାହିଁ। କିନ୍ତୁ ପ୍ରଶ୍ନ ଉଠୁଛି ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଯଦି ଦୁର୍ବଳ ଶ୍ରେଣୀକୁ ଉତ୍ସାହିତ କରିବା ପାଇଁ ଏବଂ ପ୍ରୋତ୍ସାହନ ଯୋଗାଇବା ଉଦ୍ଦେଶ୍ୟରେ ହୋଇଥାଏ ତେବେ ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନେ କ’ଣ ଦୁର୍ବଳ? ଏହା ଯଦି ସତ୍ୟ ତେବେ ଏମାନଙ୍କର ଦୁର୍ବଳ ପ୍ରଦର୍ଶନର କାରଣ କ’ଣ? ଏ ଦିଗରେ ବିଚାର ବିମର୍ଷ ହେବା ମଧ୍ୟ ଅତ୍ୟନ୍ତ ଜରୁରୀ।
ଆମ ରାଜ୍ୟର ସରକାରୀ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଏହି ଆଲୋଚନା ଆଦୌ ନୂଆ ନୁହେଁ। ଏ ସମ୍ପର୍କରେ ବହୁବାର ଆଲୋଚନା ହୋଇଛି ଏବଂ ରାଜ୍ୟର ଶିକ୍ଷାବିତ୍ମାନେ ସରକାରୀ ବିଦ୍ୟାଳୟରେ ଉନ୍ନତମାନର ଶୈକ୍ଷିକ ପରିବେଶ ପାଇଁ ବିିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ମନେରଖିବା ଉଚିତ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଗୁଣାତ୍ମକ ସାଧନ କେନ୍ଦ୍ରର ବ୍ୟବସ୍ଥା କରି ନ ପାରିଲେ ଶିକ୍ଷାର୍ଥୀ ଭିତରେ ଦକ୍ଷତା ବୃଦ୍ଧି କରିବା ସମ୍ଭବ ନୁହେଁ। କିନ୍ତୁ ଏ ଦିଗରେ ଲଗାତର ଅବହେଳା ଆମକୁ ଏମିତି ଏକ ଚିନ୍ତାଜନକ ସ୍ଥିତିରେ ଛିଡ଼ା କରେଇ ଦେଇଛି ଯେ ସମସ୍ତେ ଧରି ନେଇଛନ୍ତି ସରକାରୀ ବିଦ୍ୟାଳୟ ଉତ୍ତମ ଶିକ୍ଷା ପ୍ରଦାନରେ ବ୍ୟର୍ଥ। ଏଗୁଡ଼ିକ ଦେଶର କେବଳ ସାକ୍ଷରତା ବୃଦ୍ଧିରେ ସହାୟକ।
ସତ କହିବାକୁ ଗଲେ ସର୍ବଶିକ୍ଷା ଅଭିଯାନ ଆସିବା ପରେ ଆମ ରାଜ୍ୟର ବହୁ ସରକାରୀ ଶିକ୍ଷାନୁଷ୍ଠାନର ଚେହେରା ବଦଳି ଯାଇଛି। କେତେକ ବିଦ୍ୟାଳୟରେ ଆବଶ୍ୟକତାଠାରୁ ଅଧିକ କୋଠରି ନିର୍ମାଣ ହେଲାଣି। ସୁନ୍ଦର ରଙ୍ଗ ବୋଳା ପକ୍କାଘର, ସୁଉଚ୍ଚ ତୋରଣ, ପାଚେରିରେ ମନଲୋଭା ରଙ୍ଗ ବେରଙ୍ଗର ଛବି ପିଲାଙ୍କୁ ଆନନ୍ଦ ପ୍ରଦାନର ଖୋରାକ ଯୋଗାଉଛି। କିନ୍ତୁ ସେମାନଙ୍କ ମନରେ ଜାତ ହେଉଥିବା ଜିଜ୍ଞାସାର ମୀମାଂସା ପାଇଁ ଯାହା ଆବଶ୍ୟକ ତାହା ନାହିଁ କହିଲେ ଚଳେ।
ପ୍ରାଥମିକ ବିଦ୍ୟାଳୟ ହେଉଛି ଶିକ୍ଷାର ମୂଳଭିତ୍ତି ଏବଂ ବହୁ ବିଶେଷଜ୍ଞଙ୍କ ଦୃଢ଼ ଯୁକ୍ତି ହେଲା ମଣିଷର କ୍ରମବର୍ଦ୍ଧିଷ୍ଣୁ ମସ୍ତିଷ୍କର ୮୫ ପ୍ରତିଶତ ବିକାଶ ୩ ବର୍ଷରୁ ୬ ବର୍ଷ ଭିତରେ ହୋଇଥାଏ। ଏହି ବର୍ଷର ପିଲାମାନେ ଅଙ୍ଗନଓ୍ବାଡି ଓ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି। କିନ୍ତୁ ଆମ ଅଙ୍ଗନଓ୍ବାଡିର ଅବସ୍ଥା ନ କହିବା ଭଲ। ଜଣେ କର୍ମୀ ଓ ଜଣେ ସହାୟିକାଙ୍କୁ ନେଇ ଚାଲିଛି ଅଙ୍ଗନଓ୍ବାଡି। ଅଧିକାଂଶ ଅଙ୍ଗନଓ୍ବାଡିର ନିଜସ୍ବ ଗୃହ ମଧ୍ୟ ନାହିଁ । ବିଡ଼ମ୍ବନାର ବିଷୟ ହେଲା ଅଧିକାଂଶ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷାର ଅନ୍ତର୍ଗତ ହୋଇଥିବା ବେଳେ ବିଷୟଭିତ୍ତିକ ଶିକ୍ଷକର ପ୍ରୟୋଜନୀୟତାକୁ ଆଖିବୁଜି ଦେବା ଶିକ୍ଷା ଅଧିକାର ଆଇନ ପ୍ରତି ଉପହାସ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏମିତି ବହୁ ବିଦ୍ୟାଳୟ ଅଛି, ଯେଉଁଠାରେ ପାଞ୍ଚଟି ଶ୍ରେଣୀକୁ ଜଣେ ଶିକ୍ଷକ ଅଛନ୍ତି। ଏପରି ଦୟନୀୟ ସ୍ଥିତି ଯେଉଁଠି ସେଠାରେ ନିଜ ପୁଅଝିଅଙ୍କୁ ଭର୍ତ୍ତିକରି ଅନ୍ଧକାର ଭିତରକୁ ଠେଲିଦେବା ପାଇଁ ଜଣେ ଇଚ୍ଛା କରିବ ବା କାହିଁକି ? ମାଧ୍ୟମିକ ବିଦ୍ୟାଳୟର ସ୍ଥିତି ଆହୁରି ନୈରାଶ୍ୟଜନକ। ବିଭିନ୍ନ କିସମର ଓଡ଼ିଆ ମାଧ୍ୟମିକ ବିଦ୍ୟାଳୟ ଓ ଜାତି ଜାତିକା ଶିକ୍ଷକ। ଅର୍ଦ୍ଧାଧିକ ବିଦ୍ୟାଳୟର ସ୍ଥିତି ହେଉଛି ଶିକ୍ଷକ ଅବସର ନେଲେ ଶୂନ୍ୟ ପଦବୀ ପୂରଣର ବ୍ୟବସ୍ଥା ନାହିଁ। ଏମିତି ରାଜ୍ୟରେ ବହୁ ବିଦ୍ୟାଳୟ ଅଛି ଯେଉଁଠାରେ ଇଂଲିଶ, ଗଣିତ, ବିଜ୍ଞାନ ଭଳି ବିଷୟ ଯାହାକୁ ଆଧାର କରି ଡାକ୍ତରୀ ଓ ଇଞ୍ଜିନିୟରିଂ ଶିକ୍ଷା ପାଇଁ ଛାତ୍ରୀଛାତ୍ରମାନେ ମନ ବଳାନ୍ତି ତାକୁ ପଢ଼ାଇବା ପାଇଁ ଶିକ୍ଷକ ନାହାନ୍ତି। ଏବେ ଆସନ୍ତୁ ରାଜ୍ୟରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେଉଁ ସ୍ଥିତିରେ ଚାଲିଛି ସେ ବିଷୟରେ ଜାଣିବା। ଦୀର୍ଘ ୪୦ ବର୍ଷ ଲାଗିଲା ଏହି ବିଦ୍ୟାଳୟଗୁଡ଼ିକ ମହାବିଦ୍ୟାଳୟ ଅଧୀନରେ ରହିବ କି ଗଣଶିକ୍ଷା ବିଭାଗକୁ ଆସିବ। ପୁନଶ୍ଚ ରାଜ୍ୟର ଅଳ୍ପ କେତୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଛାଡ଼ିଦେଲେ ଅନ୍ୟ ସବୁଠି ଶିକ୍ଷକ ଅଭାବଜନିତ ସମସ୍ୟା ଯୋଗୁ ଛାତ୍ରୀଛାତ୍ରମାନେ ଟ୍ୟୁଶନ୍ ବା କୋଚିଙ୍ଗ୍ ସେଣ୍ଟର ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ଏପରି ସ୍ଥଳେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉପରେ ଲୋକଙ୍କର ଆସ୍ଥା ରହନ୍ତା ବା କିପରି ?
ଏହା ସତ୍ତ୍ୱେ ଆଜି ଦିନରେ ରାଜ୍ୟର ୮୩ ପ୍ରତିଶତ ପିଲା ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ଏମାନଙ୍କର ଦକ୍ଷତା ବୃଦ୍ଧି କରିବା ଯେକୌଣସି ସରକାରର ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ। ବିଶେଷ ଭାବରେ ଗ୍ରାମ ଓ ସହରତଳି ଅଞ୍ଚଳରେ ବସବାସ କରୁଥିବା ସତୁରି ପ୍ରତିଶତରୁ ଅଧିକ ଲୋକ ଯେଉଁମାନେ ଆର୍ଥିକ ଅନଗ୍ରସର ଓ ପଛୁଆବର୍ଗ ସେମାନଙ୍କ ପାଇଁ ସରକାରୀ ବିଦ୍ୟାଳୟ ଏକ ମାତ୍ର ସାହା ଭରସା। ଏମାନଙ୍କୁ ଶିକ୍ଷା କ୍ଷେତ୍ରରେ ଉପେକ୍ଷା କଲେ ବୈଷମ୍ୟକୁ ସ୍ବାଗତ କରିବା ହିଁ ସାର ହେବ। ଦ୍ୱିତୀୟରେ ଘରୋଇ ବିଦ୍ୟାଳୟ ଖୋଲିବାରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ସେମାନଙ୍କ ପାଇଁ ଯେଉଁ ପ୍ରକାର ସାହାଣ ମେଲା ହୋଇଛି ପରୋକ୍ଷରେ ସାର୍ବଜନୀନ ଶିକ୍ଷା ପ୍ରତି ଆମର ଆନ୍ତରିକତାକୁ ପଦାରେ ପକାଇ ଦେଉଛି। ଗୋଟିଏ ସରକାରୀ ବିଦ୍ୟାଳୟ ନିକଟରେ ଆଉ ଏକ ଘରୋଇ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦେବା କାହା ସ୍ବାର୍ଥରେ ବୋଲି ପ୍ରଶ୍ନ ଉଠୁଛି। ତଥାପି ରାଜ୍ୟ ସରକାର ଯେଉଁ ସଂକଳ୍ପ ପାରିତ କରିବାକୁ ଯାଉଛନ୍ତି ଏହା ଏକ ଶୁଭ ଲକ୍ଷଣ। ଏହା ସହିତ ସରକାରୀ ସ୍କୁଲର ମାନ ବୃଦ୍ଧି ଦିଗରେ ପଦକ୍ଷେପମାନ ନେବାର ଆବଶ୍ୟକତା ଅଛି। ବିଜ୍ଞାନାଗାର, କମ୍ପ୍ୟୁଟର ଲାବ ସମସ୍ତ ବିଦ୍ୟାଳୟରେ ପ୍ରତିଷ୍ଠା ପ୍ରତି ଧ୍ୟାନଦେବା ଜରୁରୀ। ଗୋଟିଏ ଶ୍ରେଣୀରେ ଅତିକମରେ କେତେ ଛାତ୍ରୀଛାତ୍ର ହେଲେ ବିଦ୍ୟାଳୟ ଚାଲିବ ବୋଲି ନିୟମ ଥିବାବେଳେ ସର୍ବାଧିକ କେତେ ଶିକ୍ଷାର୍ଥୀ ଶ୍ରେଣୀ କକ୍ଷରେ ବସିପାରିବେ ସେଥିପାଇଁ ନିୟମ କରିବା ଜରୁରୀ ନୁହେଁ କି ? ପୁନଶ୍ଚ ସବୁ ଥାଇ ଯଦି ଶିକ୍ଷକ ନ ରହିବେ ତେବେ ଉତ୍ତମ ଶିକ୍ଷଣ ପ୍ରକ୍ରିୟା ସମ୍ଭବ ନୁହେଁ। ଏଥିପାଇଁ ଶିକ୍ଷକ ନିଯୁକ୍ତି ଧାରାକୁ ସରଳୀକରଣ କରିବା ବାଞ୍ଛନୀୟ।
କଥା ହେଲା ଏସବୁ କରିବ କିଏ? ଯେଉଁମାନେ କରିବେ ସେମାନଙ୍କ ପୁଅଝିଅ ଘରୋଇ ବିଦ୍ୟାଳୟରେ। ମନ କଲିକତା ଦେହ ଓଡ଼ିଶା। ଦିନରେ ସରକାରୀ ସ୍କୁଲ ସପକ୍ଷରେ ଯୁକ୍ତି, ରାତିରେ ଘରୋଇ ବିଦ୍ୟାଳୟର ପ୍ରଶଂସାରେ ଶତମୁଖ। ଏହି ଦୈତ୍ୟାଚାରର ପରିସମାପ୍ତି ଘଟିଲେ ଅର୍ଦ୍ଧାଧିକ ସମସ୍ୟାର ସମାଧାନ ଯଥାଶୀଘ୍ର ହେବ ଏଥିରେ ଦ୍ୱିମତ ନାହିଁ। ଏଥିପାଇଁ ଯେଉଁ ବ୍ରହ୍ମାସ୍ତ୍ରର ପ୍ରୟୋଗ ଲୋଡା ତାହା ୨୦୧୫ରେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଉତ୍ତରପ୍ରଦେଶ ସରକାରଙ୍କୁ ଅର୍ପଣ କରିଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ ହେଲା ନାହିଁ କି ଭବିଷ୍ୟତରେ ହେବ ଏଥିରେ ମଧ୍ୟ ସନ୍ଦେହ। ଏହି ଚରମ ନିଷ୍ପତ୍ତିକୁ ଆମ ରାଜ୍ୟ ସରକାର କାର୍ଯ୍ୟକାରୀ କରିପାରିଲେ ସମଗ୍ର ଦେଶ ପାଇଁ ଏକ ନୂତନ ସମ୍ଭାବନାର ବାର୍ତ୍ତାବହ ହେବେ। ଯେମିତି ସରକାରୀ ସ୍କୁଲରେ ପାଠ ପଢ଼ିଲେ ଡାକ୍ତରୀ ଓ ଇଞ୍ଜିନିୟରିଂ ଶିକ୍ଷାରେ ‘ସ୍ଥାନ ସଂରକ୍ଷଣର ସଂକଳ୍ପ’ ସମ୍ପର୍କିତ କାନୁନ, ସେମିତି ସରକାରଙ୍କ ତହବିଲରୁ ଦରମା କିମ୍ବା ଭତ୍ତା ନେଉଥିବା ସମସ୍ତ ବ୍ୟକ୍ତି ତାଙ୍କ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପଢ଼ାଇବାକୁ ବାଧ୍ୟ ବୋଲି ଏକ ନିୟମ ପ୍ରଣୟନ କରିପାରିଲେ ସରକାରୀ ବିଦ୍ୟାଳୟ ପ୍ରତି ସରକାରଙ୍କର ଆନ୍ତରିକତାକୁ ନେଇ କେହି ପ୍ରଶ୍ନ ଉଠାଇପାରିବେ ନାହିଁ।
ମୋ: ୭୦୦୮୦୭୩୫୯୯