ଭୋଟିଂ ଅନ୍‌ଲାଇନ୍‌ରେ ହୋଇପାରିବ କି ? ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ…

ନୈନିତାଲ, ୬।୧ : ଉତ୍ତରାଖଣ୍ଡରେ ଓମିକ୍ରନ ଏବଂ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପ୍ରସଙ୍ଗରେ ଏକ ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଦାଖଲ ହୋଇଛି। ଏହାର ବିଚାର କରି ନୈନତାଲ ହାଇକୋର୍ଟ ନିର୍ବାଚନ କମିଶନ ଏବଂ ଭାରତ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଭର୍ଚୁଆଲ ରାଲି ଏବଂ ଅନ୍‌ଲାଇନ୍‌ରେ ଭୋଟିଂ କରିହେବ କି ? ଜାନୁଆରୀ ୧୨ ସୁଦ୍ଧା ସରକାର ଏହି ପ୍ରସଙ୍ଗରେ ଜବାବ ଦେବାକୁ ହାଇକୋର୍ଟ କହିଛନ୍ତି।

ହରିଦ୍ୱାରର ବାସିନ୍ଦା ସଚିଦାନନ୍ଦ ଦବରାଲଙ୍କ ପକ୍ଷରୁ ଆଇନଜୀବୀ ଶିବ ଭଟ୍ଟଙ୍କ ଦ୍ୱାରା ଏନେଇ ଏକ ଜନସ୍ବାର୍ଥ ମାମଲାର ବିଚାର ପାଇଁ ଆବେଦନ କରାଯାଇଛି। ଅତିରିକ୍ତ ମୁଖ୍ୟ ବିଚାରପତି ଏସ୍‌.କେ. ମିଶ୍ରା ଏବଂ ବିଚାରପତି ଆଲୋକ କୁମାର ବର୍ମାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି ଭାରତ ସରକାର ଏବଂ ନିର୍ବାଚନ କମିଶନଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୧୨ରେ ହେବ।

ରାଜ୍ୟରେ ନିର୍ବାଚନ ରାଲି ସୁପର ସ୍ପ୍ରେଡର ସାବ୍ୟସ୍ତ ହେବ ବୋଲି ଆଇନଜୀବୀ ଶିବ ଭଟ୍ଟ ଖଣ୍ଡପରଠଙ୍କ ସମ୍ମୁଖରେ ଯୁକ୍ତ ଉପସ୍ତାପନ କରିଥିଲେ। ଗୋଟିଏ ଦିନରେ ଉତ୍ତରପ୍ରଦେଶରେ ପାଞ୍ଚ ଶହରୁ ଅଧିକ ନୂତନ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ହେତୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଅତିକ୍ରମ କରିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୯ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ୩୪୬୪୬୮ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ୧୩ ଟି ଜିଲ୍ଲାରେ ୫୦୫ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

Share