ଛଳନା ନ କରି ଚଳିହେବ କି

ଆପଣ କେବେ ବୁଢ଼ିଆଣୀର ଘର ଦେଖିଛନ୍ତି- ଘର ମାନେ ଜାଲ। ଜାଲ ତିଆରି କରି ଏପରି ଜାଗାରେ ସେ ମେଲି ଦେଇଥାଏ ଯେ, ସେଇ ବାଟ ଦେଇ ଆସୁଥିବା କୀଟ ପତଙ୍ଗ ସହଜରେ ପଡ଼ିଯାଏ ଫାଶରେ। ସେଠାରୁ ବାହାରିବାର ଯୁ ମିଳେନା ତାକୁ। କିଛି ସମୟ ଯୁଝିବା ପରେ ତା’ର ସମସ୍ତ ଶକ୍ତି ସାମର୍ଥ୍ୟ ସରିଯାଏ ଓ ଶେଷରେ ସେ ପାଲଟିଯାଏ ବୁଢ଼ିଆଣୀର ଆହାର। ଖାଲି ଖାଦ୍ୟ ଆହରଣ ପାଇଁ ନୁହେଁ, ନିଜର ସାଥୀ ଖୋଜିବା କିମ୍ବା ନିଜକୁ ବିପଦରୁ ରକ୍ଷା କରିବା ପାଇଁ ମଧ୍ୟ ହରେକ୍‌ ରକମର ପ୍ରାଣୀ ବିଭିନ୍ନ କୌଶଳ ଅବଲମ୍ବନ କରନ୍ତି। ଏମିତି କୌଶଳ ମାନ ଅବଲମ୍ବନ କରୁ ନ ଥିଲେ କେହି ତିଷ୍ଠି ପାରନ୍ତେ ନାହିଁ। ଏଇ କୌଶଳ ଭିତରୁ କିଛି ଅଛି, ଯାହା ଜନ୍ମରୁ ପ୍ରାଣୀମାନେ ଆପେ ଆପେ ଜାଣିଯାଆନ୍ତି। ମାତ୍ର ଆଉ କିଛି ଅଛି, ଯାହା ସେମାନଙ୍କର ଗୋଷ୍ଠୀ ଜୀବନରେ ସେମାନେ ଶିକ୍ଷା କରନ୍ତି। ଏଇ କୌଶଳ କେବଳ ପ୍ରାଣିସମାଜରେ ସୀମିତ ହୋଇ ନାହିଁ। ଏହାକୁ ମଣିଷ ଅଧିକ ଉପଯୋଗ କରି କୌଶଳକ୍ରମେ ବିଶାଳ ଦିଗନ୍ତ ଆବିଷ୍କାର କରିଛି।
ଆପଣ କେତେବେଳେ ଟେଲିଫୋନ୍‌ ପାଇଥିବେ ଏଇଭଳି। ସେପଟରୁ ଟେଲିଫୋନ୍‌ କରିଥିବା ବାବୁଜଣକ ପ୍ରଥମେ କହିବେ ସାର୍‌ ନମସ୍କାର। ମୁଁ ବିପିନ କହୁଛି ସାର୍‌, ଗତକାଲି ଆପଣ ଯେଉଁ ଲେଖାଟି ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ ସେଇଟା ପଢ଼ୁପଢ଼ୁ ମୋ ଆଖି ଓଦା ହୋଇଗଲା । ଗତଥର ଆପଣଙ୍କ ସହିତ ଦେଖାହୋଇଥିଲା ଆମ କଲେଜ ଫଙ୍କ୍‌ସନ୍‌ରେ। ଆପଣ ଯେଉଁ ଭାଷଣ ଦେଇଥିଲେ ଆଜିଯାଏ ମନେଅଛି ସମସ୍ତଙ୍କର। ସାର୍‌, ଗୋଟିଏ ଛୋଟିଆ କାମ ପାଇଁ ମନେପକାଉଥିଲି ସାର୍‌। ଆପଣଙ୍କୁ କାଲି ଅଫିସ୍‌ରେ ଭେଟିପାରିବି ସାର୍‌? ଏତେବେଳକୁ ଆପଣ ବୁଝିଯିବେଣି ପ୍ରଥମ ଯେଉଁ ଦୁଇଟି କଥା ବାବୁଜଣକ କହିଲେ ତାହା କେବେବି ଲକ୍ଷ୍ୟ ନୁହେଁ, ମାତ୍ର ଉପଲକ୍ଷ୍ୟ-ଉପକ୍ରମଣିକା।
ଅନେକ ପରିସ୍ଥିତି ଅଛି, ଯେଉଁଠି ଆପଣ ଯାହା ସତ ତାହା କହିପାରିବେ ନାହିଁ। ଯେମିତି କଲେଜ ଇଲେକ୍‌ସନ୍‌ ପାଇଁ ଜୋର୍‌ରେ ପ୍ରଚାର ଚାଲିଛି। ଗୋଟିଏ ଦଳର କିଛି ପିଲା ଆସି ଆପଣଙ୍କ ନିକଟକୁ ତାଙ୍କ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଓ କହିଲେ, ”କ’ଣ ଭାଇ, ଆମ ପ୍ରାର୍ଥୀ ଆପଣଙ୍କ ଭୋଟ ପାଇବେ ତ?“ ଆପଣ ପରିସ୍ଥିତିର ଗମ୍ଭୀରତାକୁ ବଦଳେଇବା ପାଇଁ କହିବେ- ”ମୋର ତ ନିଜର କେହି କ୍ୟାଣ୍ଡିଡେଟ୍‌ ନାହାନ୍ତି। ଆପଣଙ୍କୁ ନ ଦେବି କ’ଣ ପାଇଁ?“ ସେମାନେ ଖୁସି ହୋଇ ଆପଣଙ୍କ ସହିତ ହାତ ମିଳାଇ ତାଙ୍କ ଖାତାରେ ଆଉ ଗୋଟାଏ ଭୋଟ ଚଢ଼ିଲା ବୋଲି ଭାବି ଖୁସିହୋଇ ଫେରିଯିବେ। ଅଥଚ ଯଦି ଟିକିଏ ଛଳନା ନ କରି ଆପଣ ସ୍ବାଭାବିକ ଭାବରେ କହିଥାଆନ୍ତେ ଯେ, ଆପଣ ଆଉ କାହାକୁ ଦେବାକୁ ମନସ୍ଥ କରିଛନ୍ତି କିମ୍ବା ଆପଣ ଭାବିଚିନ୍ତି ନିଷ୍ପତ୍ତି ନେବେ, ତା’ହେଲେ ସେଇ ଦଳରୁ ଯଦି ଉତ୍ପାତିଆ କେହି ଥିବେ ତା’ହେଲେ ଆପଣଙ୍କର ଚଉଦ ପୁରୁଷ ଉଦ୍ଧାର କରିବା କଥା ନିଧାର୍ଯ୍ୟ।
ପିଲାବେଳେ ଆମେ ଗୋଟିଏ ଛୋଟ ଗପ ପଢ଼ିଥିଲେ। ଦୁଇ ସାଙ୍ଗ ଜଙ୍ଗଲରେ ବୁଲୁବୁଲୁ ଦେଖିଲେ ବହୁ ଦୂରରୁ ଗୋଟିଏ ବିଶାଳକାୟ ଭାଲୁ ସେମାନଙ୍କ ଆଡ଼କୁ ଆସୁଛି। ସାଙ୍ଗ ଦୁହେଁ କାଳ ବିଳମ୍ବ ନ କରି ମୁହଁ ତଳକୁ କରି ପଡ଼ିରହିଲେ ଓ ମୁର୍ଦ୍ଦାରର ଅଭିନୟ କଲେ। ଭାଲୁ ସେମାନଙ୍କ ପାଖରେ ପହଞ୍ଚତ୍ ତାଙ୍କୁ ଗଡ଼େଇ ଦେଲାରୁ ମଲା ଲୋକ ପରି ତାଙ୍କର ପାର୍ଥତ୍ବ ଶରୀର ଗଡ଼ିଗଡ଼ି ଗଲା। ଭାଲୁ ଭାବିଲା ହୁଏତ ସେ ଦୁଇଟିଯାକ ଶବ। ତେଣୁ ସେଠାରୁ ପଳେଇଗଲା; ମାତ୍ର ଏଇ ଦୁଇ ବନ୍ଧୁ ବହୁ ସମୟଯାଏ ପଡ଼ିରହି ଭାଲୁକୁ ଲକ୍ଷ୍ୟ କରୁଥା’ନ୍ତି। ଯେତେବେଳେ ବହୁ ଦୂରକୁ ସେ ଚାଲିଗଲା, ସେତେବେଳେ ସେମାନେ ବିପରୀତ ଦିଗକୁ ଦୌଡ଼ି ଦୌଡ଼ି ଯାଇ ନିଜର ଜୀବନ ବଞ୍ଚେଇଦେଲେ। ଯଦି ସେଦିନ ସେମାନେ ଛଳନା ଟିକିଏ କରିନଥା’ନ୍ତେ, ତା’ହେଲେ କ’ଣ ଜୀବନ ନେଇ ଘରକୁ ଫେରିଥାନ୍ତେ!
ବହୁ ବର୍ଷତଳେ ଆମ ରାଜ୍ୟର ପଶ୍ଚିମାଞ୍ଚଳରେ ଚାକିରି କଲାବେଳେ ଗୋଟିଏ ରୋଚକ କଥା ଶୁଣିଥିଲି। ଏକଦା ସେ ଅଞ୍ଚଳରେ ଜଣେ ଡାକ୍ତର ଭାରି ନଁା କରିଥିଲେ ରୋଗୀ ସେବାରେ। ସେକାଳରେ ଲୋକମାନଙ୍କର ବିଶ୍ୱାସ ଥିଲା ହଇଜା ରୋଗ ଠାକୁରାଣୀଙ୍କ ଆକ୍ରୋଶରୁ ହୁଏ ଏବଂ ତାଙ୍କର କୃପା ହେଲେ ଭଲ ହୁଏ। ସେ ଗୋଟିଏ ଲୋକକୁ ପଇସା ଦେଇ ରଖୁଥିଲେ, ଯିଏକି ଜଣେ ଗୁଣିଆର ଅଭିନୟ କରୁଥିଲା ଏବଂ ସେ ରୋଗୀର କାନରେ କହୁଥିଲା, ”ମା’ ଏବେ ପ୍ରସନ୍ନ ହେଲେଣି, ତୋ ରୋଗ ଅଲ୍‌ବତ ଛାଡ଼ିଯିବ। ଡାକ୍ତରବାବୁ ଯେଉଁ ସୁଜା ବା ଇଞ୍ଜେକ୍‌ସନ୍‌ ଦେବେ ତାକୁ ନେବାକୁ ଅରାଜି ହେବୁନି।“ ତା’ପରେ ଡାକ୍ତରବାବୁ ତାଙ୍କର ଡାକ୍ତରିବିଦ୍ୟା ପ୍ରୟୋଗ କରୁଥିଲେ ଏବଂ ଅଧିକାଂଶ ରୋଗୀ ଆରୋଗ୍ୟ ପ୍ରାପ୍ତ ହେଉଥିଲେ। ହୁଏତ ଏପରି ଛଳନାପୂର୍ଣ୍ଣ କାର୍ଯ୍ୟ ଆଧୁନିକ ମନୋବିଜ୍ଞାନର ‘ପ୍ଲାସିବୋ ଇଫେକ୍ଟ’ ପରି କାର୍ଯ୍ୟ କରୁଥିଲା। ସେଇ ଡାକ୍ତର କ୍ରମେ ଏତେ ଲୋକପ୍ରିୟ ହେଲେ ଯେ, ମୁଁ ସେଇ ଅଞ୍ଚଳରେ ପହଞ୍ଚତ୍ଲା ବେଳକୁ ସେ ସାଂସଦ ପାଲଟି ଗଲେଣି।
ଆଜିକାଲି ଯୁଦ୍ଧରେ ବି ଛଳନାକୁ ପ୍ରୟୋଗ କରାଯାଉଛି। ନିକଟରେ ରୁଷ-ୟୁକ୍ରେନ୍‌ ଯୁଦ୍ଧରେ ପ୍ରୟୋଗ କରାଯାଇଥିବା ଛଳନାଟିଏ ଆପଣଙ୍କ ନଜରକୁ ଆସିଥିବ। ରୁଷିଆ ପକ୍ଷରୁ ଏକ ବିଶାଳ ଅସ୍ତ୍ରଶସ୍ତ୍ର ସଜ୍ଜିତ ପୋତ କୃଷ୍ଣ ସାଗରରେ ମୁତୟନ କରାଯାଇଥିଲା। ଏତେ ଅତ୍ୟାଧୁନିକ ଯନ୍ତ୍ରପାତି ସମ୍ମିଳିତ ଯୁଦ୍ଧ ପୋତଟିର ନଁା ଥିଲା ‘ମୁସ୍କୋଭା’। ଏହାର ଆନୁମାନିକ ମୂଲ୍ୟ ଥିଲା ପାଞ୍ଚ ହଜାର କୋଟି ଟଙ୍କାରୁ ଅଧିକ। ଏହା ଥିଲା ରୁଷିଆ ନୌସେନାର ଅହଂକାରର ପ୍ରତୀକ; ମାତ୍ର ୟୁକ୍ରେନ୍‌ ତରଫରୁ ଗୋଟିଏ ଚାଲ୍‌ ଖେଳା ହେଲା। ସେମାନେ କିଛି ଡ୍ରୋନ୍‌ ଉଡ଼େଇଦେଲେ ଯୁଦ୍ଧ ଜାହାଜର ଗୋଟିଏ ଦିଗରେ ଆଉ ମସ୍କୋଭାର ରାଡାର ଅବିଳମ୍ବେ ତାକୁ ଠାବ କଲା। କାଳବିଳମ୍ବ ନ କରି ସେଇ ଡ୍ରୋନ୍‌କୁ ଆକ୍ରମଣ କରିବାକୁ ମସ୍କୋଭାର ସ୍ବୟଂଚାଳିତ ଅସ୍ତ୍ରଗୁଡ଼ିକ ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇଗଲେ। ଯେତେବେଳେ ମସ୍କୋଭାର ସାମରିକ ଶକ୍ତି ସେଇ ଡ୍ରୋନ୍‌ ଉପରେ କେନ୍ଦ୍ରିଭୂତ, ସେତିକିବେଳେ ମିଜାଇଲ୍‌ ମାଡ଼ କଲା ୟୁକ୍ରେନ୍‌ ସେନା ମସ୍କୋଭା ଉପରେ। ମସ୍କୋଭା ଭିତରେ ଥିବା ବିଶାଳ ବାରୁଦ ଭଣ୍ଡାର ଅଗ୍ନିପିଣ୍ଡରେ ପରିଣତ ହେଲା ଅଚିରେ ଏବଂ ଫଳ ଏଇଆ ହେଲା ଯେ, ଅଳ୍ପ ସମୟ ଭିତରେ ଗଭୀର ସମୁଦ୍ର ଭିତରେ ବୁଡ଼ିଗଲା ମସ୍କୋଭା। ଆଉ ତା’ ସହିତ ସାମୟିକ ଭାବରେ ନୀରବିଗଲା ଆକ୍ରମଣକାରୀ ରାଷ୍ଟ୍ରର ଅହଂକାର।
ଛଳନାଶ୍ରୟୀ ହୋଇ ଯେତେବେଳେ ଜଣେ ଅନ୍ୟର ଅମଙ୍ଗଳ କରେ ବା ଅନ୍ୟକୁ ଲୁଣ୍ଠନ କରେ, ସେତେବେଳେ ତାହା ପରିତ୍ୟଜ୍ୟ; ମାତ୍ର ଯେତେବେଳେ ନିଜକୁ ବଞ୍ଚାଇ ହେବ ଟିକିଏ ଛଳନା କରି, ତାହା କଲେ କ’ଣ ତାକୁ ଅପରାଧ କହିବା! କ୍ରୋଧକୁ ଏକ ଅବଗୁଣ ଭାବରେ ସବୁବେଳେ ଧରିନିଆଯାଇଛି; ମାତ୍ର ଯେତେବେଳେ ଅନ୍ୟାୟ ସଙ୍ଘଟିତ ହେଉଥାଏ, ତାକୁ ଯଦି ସହିଯିବା ଏବଂ ନିଜର କ୍ରୋଧ ପ୍ରକାଶ କରିବା ନାହିଁ, ତା’ହେଲେ ତାହା ବୃହତ୍ତର ଅମଙ୍ଗଳର କାରଣ ହୋଇଯିବ। ତେଣୁ ଛଳନା କଲାବେଳେ ସବୁବେଳେ ତାହା ଯେପରି ଏକ ବୃହତ୍ତର ସ୍ବାର୍ଥର ପରିପନ୍ଥୀ ହେଉନାହିଁ ତାହା ଦେଖିଲେ ଆମ ନିଜର ମଙ୍ଗଳ ଏବଂ ସମାଜର ବି।

  • ନିରଞ୍ଜନ ସାହୁ
    ମୋ:୯୪୩୮୪୮୨୯୧୧

Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri