ଭାରତ-କାନାଡା ବିବାଦ: ବାଜିରେ କାନାଡାରେ ଶିକ୍ଷା ବ୍ୟବସ୍ଥା

ଅଟାଓ୍ବା,୨୩।୯: ଭାରତ କାନାଡା ବିବାଦ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି। ଭାରତ ସରକାରଙ୍କ ଦ୍ୱାରା ଭିଜା ସେବା ବନ୍ଦ କରାଯାଇଛି। ଏହାପରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନରମିଛନ୍ତି। ହେଲେ ଏହି କିଛିଦିନ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଦେଶର ଅର୍ଥନୀତିରେ ଖୁବ୍‌ ପ୍ରଭାବ ପକାଇଛି।

ଦେଶର ଅର୍ଥନୀତିର ଶିକ୍ଷା ବିଭାଗରେ କେବଳ ଭାରତୀୟ ଛାତ୍ରମାନଙ୍କ ଯୋଗଦାନ ହେଉଛି ୪.୯ ବିଲିୟନ ଡଲାର। ଏଭଳି ପରିସ୍ଥିତିରେ ଭାରତର ଗୋଟିଏ ନିଷ୍ପତ୍ତି କାନାଡାର ୨.୨ ଟ୍ରିଲିୟନ ଜିଡିପି ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପାରେ। କାନାଡାର ଅର୍ଥନୀତିରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଏହା ଭାରତ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ।

ବର୍ତ୍ତମାନ ଭାରତୀୟ କମ୍ପାନୀଗୁଡିକ ଗୋଟିଏ ପରେ ଗୋଟିଏ କାନାଡା ଛାଡୁଛନ୍ତି। କାନାଡାର ଅର୍ଥନୀତରେ ଆମେରିକାର ସମର୍ଥନ ରହିଛି କିନ୍ତୁ ଏଥିରେ ଭାରତର ଅଂଶଧନ କୋଟି କୋଟି ଡଲାର। କାନାଡିୟ ଛାତ୍ରଙ୍କ ତୁଳନାରେ ଭାରତୀୟ ଛାତ୍ର ସେଠାରେ ୪ରୁ ୫ଗୁଣ ଅଧିକ ଫି ଦେଇ ପାଠ ପଢିଥାନ୍ତି। କାନାଡାରେ ପ୍ରାୟ ୮ ଲକ୍ଷ ଅନ୍ତର୍ଜାତୀୟ ଛାତ୍ର ଅଛନ୍ତି। ଯେଉଁଥିରେ ୪୦ପ୍ରତିଶତ ଭାରତୀୟ ଛାତ୍ର ଅଛନ୍ତି। କାନାଡାର ଅନେକ ଘରୋଇ ବିଶ୍ୱବିଦ୍ୟାଳୟ କେବଳ ଭାରତୀୟ ଛାତ୍ରଙ୍କ ଆଧାରରେ ଚାଲୁଛି। ଯଦି ଭାରତ ଏହାକୁ ନିଷେଧ କରେ ତେବେ କାନାଡାର ଶିକ୍ଷା ବ୍ୟବସ୍ଥା ଏବଂ ସମଗ୍ର ଘରୋଇ କଲେଜ ଇକୋ-ସିଷ୍ଟମ ବ୍ୟାହତ ହେବ।

କାନାଡାରେ ଭାରତୀୟ ଛାତ୍ରମାନଙ୍କୁ ଦେଶରୁ ବିତାଡିତ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି। ନିର୍ବାସିତ ହେବାର ସମ୍ଭାବନାକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ଛାତ୍ରମାନେ ଦାବି କରିଛନ୍ତି ଯେ ସେମାନଙ୍କୁ ନକଲି ଅଫର ଲେଟର ମାଧ୍ୟମରେ କାନାଡାର ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ଆଡମିଶନ ଦିଆଯାଇଛି।

Share