କାନାଡାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଷମ: ଚାରିଆଡୁ ଗୁଳିମାଡ, ହାତବାନ୍ଧି ବସିଛି ପୋଲିସ

ଅଟାଓ୍ବା,୨୩।୯: ଭାରତ କାନାଡା ବିବାଦ ଚରମରେ ପହଞ୍ଚିଛି। ଚାପା ଅସନ୍ତୋଷ ମଧ୍ୟରେ ଦୁଇଦେଶର ବିବାଦ ଘନେଇବାରେ ଲାଗିଛି। ତେବେ ଏହାରି ଭିତରେ ସୂଚନା ମିଳିଛି କି କାନାଡାରେ ଆଇନ ଶୃଙ୍ଖଳା ପରିସ୍ଥିତି ଧୀରେଧୀରେ ବିଗିଡବାରେ ଲାଗିଛି। ଦେଶରେ ଅର୍ଥନୈତିକ ଅଚଳାବସ୍ଥା ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଦେଶରେ ନିଜର ବିଶ୍ୱସନୀୟତା ହରାଇଛନ୍ତି। ଟଙ୍କା ଅଭାବ ଥିବାରୁ କାନାଡାରେ ପୋଲିସ ନିଯୁକ୍ତି ମଧ୍ୟ ବନ୍ଦ ହୋଇଯାଇଛି।

ଟ୍ରୁଡୋ ପ୍ରଧାନମନ୍ତ୍ରୀ ହେବା ଦିନଠାରୁ କାନାଡାରେ ଆଇନ ଶୃଙ୍ଖଳା ସମସ୍ୟା ଦେଖାଦେଇଛି। ସୁରେ, ଏଭର୍ସପୋର୍ଟ ଭଳି ଅଞ୍ଚଳରେ ଗୁଳି ବିନିମୟ ନିତିଦିନିଆ ହୋଇଯାଇଛି। ଦେଶରେ ପ୍ରତି ତିନି ଚାରି ଦିନରେ ଗୁଳି ବିନିମୟ ଲାଗି ରହିଛି। କାନାଡାରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ରୋକିବାରେ ପୋଲିସ ବିଫଳ ହୋଇଛି। କାରଣ ଏମାନଙ୍କର ଅତ୍ୟଧିକ କାର୍ଯ୍ୟ ଭାର ରହିଛି। ପାଣ୍ଠି ଅଭାବରୁ କାନାଡା ପୋଲିସ ବିଭାଗରେ ଅଧିକ ନିଯୁକ୍ତି ନେଇପାରୁ ନାହିଁ। ସମ୍ବେଦନଶୀଳ ସ୍ଥାନ ସୁରେରେ ଅଧିକ ପୋଲିସ ଆବଶ୍ୟବ ହେଉଥିବାବେଳେ ସେଠାରେ ବେଶୀ କର୍ମଚାରୀ ନାହାନ୍ତି। ରୁଷ ବିରୋଧରେ ୟୁକ୍ରେନ ଯୁଦ୍ଧରେ ନିୟମିତ ଭାବେ ସମସ୍ତ ଅର୍ଥ ବିନିଯୋଗ କରାଯାଉଛି।

ଅର୍ଥ ଅଭାବ ହେତୁ ଦେଶର ବ୍ୟାଙ୍କ ଋଣ ଦେବାକୁ ଅସମର୍ଥ। ଲୋକମାନେ ନେଇଥିବା ଋଣ ଫେରସ୍ତ କରିପାରୁ ନାହାନ୍ତି। ଋଣ ପରିଶୋଧ ନ କରିବା ହେତୁ ଦେଶରେ ଦେବାଳିଆ ପରିସ୍ଥିତି ସୃଷ୍ଟି ହୋଇଛି। କାନାଡାର ସର୍ବନିମ୍ନ ମଜୁରୀ ମାତ୍ର ୧୬ ଡଲାର ଏବଂ ଏହି କାରଣରୁ ଟଙ୍କା ରୋଜଗାର କରିବା ଅସମ୍ଭବ ହୋଇପଡିଛି। କେବଳ ଏତିକି ନୁହେଁ, ଅର୍ଥ ଅଭାବରୁ ଲୋକମାନେ ଡ୍ରଗ୍ସ କାରବାର ଏବଂ ଡକାୟତି କରୁଛନ୍ତି।

Share