ବନ୍ଧୁକ କିଣାବିକା ରୋକିବ କାନାଡା

ଅଟାଓ୍ବା, ୧ା୬: ଆମେରିକାର ଟେକ୍ସାସ ସ୍କୁଲ ଗୁଳିକାଣ୍ଡରେ ୧୯ ଶିଶୁଙ୍କ ମୃତ୍ୟୁ ଘଟିବା ପରେ କାନାଡାରେ ବନ୍ଧୁକ କିଣାବିକା ନିୟନ୍ତ୍ରଣ ପାଇଁ ପାର୍ଲାମେଣ୍ଟରେ ପ୍ରସ୍ତାବ ଆଗତ ହୋଇଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଦେଶରେ ହ୍ୟାଣ୍ଡ୍‌ଗନ୍‌ ମାଲିକାନା ଉପରେ ରୋକ ସହ ସବୁସ୍ଥାନରେ ବନ୍ଧୁକ ବିକ୍ରି ଉପରେ କଟକଣା ଲଗାଇବାକୁ ଏହି ଆଇନ ଆଣିବାକୁ ଯାଉଛନ୍ତି। ଏହା ହ୍ୟାଣ୍ଡ୍‌ଗନ୍‌ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍‌ ନୁହେଁ। କିନ୍ତୁ ପାର୍ଲାମେଣ୍ଟରେ ବିଲ୍‌ ପାରିତ ହେଲେ ସାଧାରଣ ନାଗରିକ ସହଜରେ ବନ୍ଧୁକ କିଣାବିକା କରିପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଆମେରିକାରେ ବଢ଼ୁଥିବା ବନ୍ଧୁକ ହିଂସା ଘଟଣାକୁ ଦର୍ଶାଇ ଟ୍ରୁଡୋ କହିଛନ୍ତି, ଯଦି ଏ ଦିଗରେ ତ୍ୱରିତ ପଦକ୍ଷେପ ନିଆ ନ ଯାଏ ତେବେ ଆଗକୁ ବଡ଼ ଚ୍ୟାଲେଞ୍ଜର ସାମ୍‌ନା କରିବାକୁ ପଡ଼ିବ।
ବିଲ୍‌ ଅନୁଯାୟୀ, ଘରୋଇ ହିଂସା, ଅପରାଧ, ଧମକ ମାମଲା ଥିବା ବ୍ୟକ୍ତିଙ୍କ ବନ୍ଧୁକ ଲାଇସେନ୍ସ ରଦ୍ଦ କରାଯିବ। ସେହିପରି ବନ୍ଧୁକ ଚୋରାଚାଲାଣ ଉପରେ ମଧ୍ୟ ରୋକ ଲଗାଯିବା ପାଇଁ ବ୍ୟବସ୍ଥା ରହିବ। ବ୍ୟକ୍ତିଗତ ବନ୍ଧୁକରେ ୫ ରାଉଣ୍ଡ ଗୁଳି ରହିବ। ଅଧିକ କ୍ଷମତା ବିଶିଷ୍ଟ ମାଗାଜିନ୍‌ କିଣାବିକାକୁ ବ୍ୟାନ୍‌ କରାଯିବ। ପ୍ରାୟ ୧୫ଶହ ପ୍ରକାରର ମିଲିଟାରି ବନ୍ଧୁକର ବ୍ୟକ୍ତିଗତ ବ୍ୟବହାର ଉପରେ ପୂର୍ବରୁ କାନାଡା ବ୍ୟାନ୍‌ ଲଗାଇଛି।

Share