Categories: ଜାତୀୟ

ଜି-୨୦ ସମ୍ମିଳନୀରେ ବି ଡ୍ରାମା କରିଥିଲେ କାନାଡା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୯: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ବି ଡ୍ରାମା କରିଥିଲେ। ଟ୍ରୁଡୋ ଭାରତ ଯାତ୍ରା ସମୟରେ ପ୍ରେସିଡେଣ୍ଟସିୟାଲ ସୁଟରେ ରହିବାକୁ ମନା କରିଦେଇଥିଲେ ଓ ହୋଟେଲର ଏକ ସାଧାରଣ କୋଠରିରେ ରହିଥିଲେ।

ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ ଭାରତୀୟ ସୁରକ୍ଷା ଏଜେନ୍ସି ଦ୍ୱାରା ପ୍ରତ୍ୟେକ ବିଶ୍ୱସ୍ତରୀୟ ନେତାଙ୍କ ପାଇଁ ପ୍ରେସିଡେଣ୍ଟସିୟାଲ ସୁଟ ସ୍ବତନ୍ତ୍ର ଭାବେ ଡିଜାଇନ ହୋଇଛି।
ଜି -୨୦ ଶିଖର ସମ୍ମିଳନୀରେ ପହଞ୍ଚିବା ପରେ ଟ୍ରୁଡୋ ଜାତୀୟ ରାଜଧାନୀର ଲଲିତ ହୋଟେଲରେ ରହିଥିଲେ। ତେବେ ପ୍ରେସିଡେଣ୍ଟସିୟାଲ ସୁଟ ଦିଆଯିବା ସତ୍ତ୍ୱେ କାନାଡାର ପ୍ରଧାନମନ୍ତ୍ରୀ ସେଠାରେ ରହିବାକୁ ମନା କରିଦେଇଥିଲେ ଏବଂ ସେହି ହୋଟେଲରେ ଏକ ସାଧାରଣ କୋଠରୀରେ ରହିଥିଲେ।
ଜି-୨୦ ପାଇଁ ଭାରତକୁ ଆସିଥିବା ପ୍ରତ୍ୟେକ ବିଶ୍ୱସ୍ତରୀୟ ନେତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରୋଟୋକଲ ସହିତ ପ୍ରେସିଡେଣ୍ଟସିୟାଲ ସୁଟ ସମେତ ଭିଭିଆଇପି ହୋଟେଲ ଯୋଗାଇ ଦିଆଯାଇଥିଲା ।
ନ୍ୟୁଜ ଏଜେନ୍ସି ଏଏନଆଇ ସୂତ୍ର ଅନୁଯାୟୀ ଟ୍ରୁଡୋଙ୍କ ପ୍ରତିନିଧୀ ଭାରତୀୟ ସୁରକ୍ଷା ଏଜେନ୍ସିମାନଙ୍କୁ କହିଛନ୍ତି ଯେ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଉଛି। ତେବେ ଟ୍ରୁଡୋ ସାଧାରଣ କୋଠରୀରେ ରହିବାର ପ୍ରକୃତ କାରଣ ସମ୍ପର୍କରେ କୌ ଣସି ସୂଚନା ନାହିଁ ବୋଲି ଭାରତୀୟ ଏଜେନ୍ସି କହିଛି।
ସୂଚନାଯୋଗ୍ୟ, କାନାଡା ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧୦ରେ ଭାରତ ଛାଡିବାକୁ ଯାଉଥିଲେ, କିନ୍ତୁ ତାଙ୍କ ଏୟାରବସ ବିମାନରେ ଯାନ୍ତ୍ରିକ ତ୍ରୁଟି ପରେ ତାଙ୍କୁ ଆହୁରି କିଛି ଦିନ ଭାରତରେ ରହିବାକୁ ପଡିଲା।

Share