କାନାଡା ସଂସଦରେ ନାଜି ସୈନିକଙ୍କୁ ପ୍ରଶଂସା କରିବା ଉପରେ ଇସ୍ତଫା ଦେଲେ ବାଚସ୍ପତି ଆନ୍ଥୋନୀ

ଓଟାଓ୍ବା,୨୭।୯: କାନାଡା ସଂସଦରେ ଏକ ନାଜି ସୈନିକଙ୍କୁ ନିମନ୍ତ୍ରଣ କରାଯାଇ ସମ୍ମାନିତ ଏବଂ ପ୍ରଶଂସା କରାଯିବା ପରେ ବାଚସ୍ପତି ଆନ୍ଥୋନୀ ରୋଟା ଇସ୍ତଫା ଦେଇଛନ୍ତି। କାନାଡାର ହାଉସ ଅଫ କମନ୍ସ ବାଚସ୍ପତି ଆନ୍ଥୋନୀ ରୋଟା ପ୍ରଥମେ ଇସ୍ତଫା ଦେବା ଆହ୍ବାନକୁ ବିରୋଧ କରିଥିଲେ, କିନ୍ତୁ ପରେ ମଙ୍ଗଳବାର ଓଟାଓ୍ବାରେ ଦଳର ନେତାଙ୍କ ସହ ସାକ୍ଷାତ କରିବା ପରେ ଇସ୍ତଫା ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, ଆନ୍ଥୋନୀ ରୋଟା ସଂସଦକୁ କହିଛନ୍ତି , ମୁଁ ଅଧ୍ୟକ୍ଷ ପଦରୁ ହଟିଯିବା ଉଚିତ୍‌। ଏଥିପାଇଁ ଗଭୀର ଦୁଃଖ ପ୍ରକାଶ କରୁଛି। ସୂଚନାଯୋଗ୍ୟ, ନିକଟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କାନାଡା ଗସ୍ତ କରିଥିଲେ। ତାଙ୍କ ଗସ୍ତ ସମୟରେ ୯୮ ବର୍ଷିୟ ନାଜି ସୈନିକ ୟାରୋସ୍ଲାଭ ହୁଙ୍କାଙ୍କୁ ଶୁକ୍ରବାର (ସେପ୍ଟେମ୍ବର ୨୨) କାନାଡା ସଂସଦକୁ ନିମନ୍ତ୍ରଣ କରାଯାଇଥିଲା। ସଂସଦରେ ବାଚସ୍ପତି ରୋଟା ୟାରୋସ୍ଲାଭ ହୁଙ୍କାଙ୍କୁ ‘ହିରୋ’ ବୋଲି ବର୍ଣ୍ଣନା କରିଥିଲେ। ସେଠାରେ ହୁଙ୍କାଙ୍କୁ ବହୁତ ପ୍ରଶଂସା କରାଯାଇଥିଲା । ଏହା ପରେ ସାଂସଦମାନେ ଠିଆ ହୋଇ ହୁଙ୍କାଙ୍କୁ ସମ୍ମାନିତ କରିଥିଲେ।

ୟାରୋସ୍ଲାଭ ହୁଙ୍କାଙ୍କୁ ନିମନ୍ତ୍ରଣ ତଥା ସମ୍ମାନିତ କରିବା ଉପରେ ବିରୋଧୀଦଳର ନେତା ଏବଂ ୟହୁଦୀ ଗୋଷ୍ଠୀ ଜଷ୍ଟିନ ଟ୍ରୁଡୋ ସରକାରଙ୍କୁ ନିନ୍ଦା କରିଥିଲେ। ଏହି ପ୍ରସଙ୍ଗରେ ବିବାଦ ଗଭୀର ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିଟଲର ନାଜି ସେନା ପକ୍ଷରୁ ୟାରୋସ୍ଲାଭ ହୁଙ୍କା ଯୁଦ୍ଧ କରିଥିଲେ। ହୁଙ୍କା ନାଜି ଏସ୍‌ଏସ୍‌ର ଜଣେ ସୈନିକ ଥିଲେ। ନାଜି ଏସ୍‌ଏସ୍‌ ହିଟଲରଙ୍କ ନିର୍ଦ୍ଦେଶରେ ୟୁରୋପରେ ଲକ୍ଷ ଲକ୍ଷ ୟହୁଦୀଙ୍କୁ ହତ୍ୟା କରିଥିଲେ।

Share