ଭାରତ ଚାପରେ ପନ୍ନୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା କାନାଡା

ଅଟାଓ୍ବା,୧୨।୧୧: ଭାରତ-କାନାଡା ବିବାଦ ଖରାପ ସ୍ଥିତି ଦେଇ ଗତି କରୁଛି। ହେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଗତ କିଛିଦିନର ରହିଥିବା ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦୀପାବଳି ଉପଲକ୍ଷେ ପ୍ରବାସୀ ଭାରତୀୟଙ୍କ ସହ ଦୀପାବଳି ପାଳିବା ସହ ଏବେ ଭାରତ ଚାପରେ ଆସି ଶିଖ୍‌ ଫର ଜଷ୍ଟିସର ମୁଖ୍ୟ ଗୁରୁପତଓ୍ବନ୍ତ ସିଂ ପନ୍ନୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ଖଲିସ୍ତାନୀ ସମର୍ଥକ ପନ୍ନୁ ନଭେମ୍ବର ୧୯ରେ ଏୟାର ଇଣ୍ଡିଆ ବିମାନକୁ ବିସ୍ଫୋରଣ କରି ଉଡାଇ ଦେବା ପାଇଁ ଧମକ ଦେଇଥିଲେ। ଯାହାକୁ ନେଇ ଅଟାଓ୍ବା ଉପରେ ନୂଆଦିଲ୍ଲୀ ଚାପ ପକାଇ ଆସୁଥିଲା।
ତେବେ ପନ୍ନୁଙ୍କ ଧମକ ପରେ କାନାଡା ସୁରକ୍ଷା ଏଜେନ୍ସି ସବୁଠି ସୁରକ୍ଷା ବଢେଇଛନ୍ତି। ଏହି ମାମଲାରେ ସୁରକ୍ଷା ଏଜେନ୍ସି ଟୋରୋଣ୍ଟ ଏୟାରପୋର୍ଟରୁ ୧୦ସନ୍ଦିଗ୍ଧଙ୍କୁ ଗିରଫ କରି ପଚରାଉଚରା କରୁଛନ୍ତି। ଗିରଫ ସମୟରେ ସବୁ ଅଭିଯୁକ୍ତ କାନାଡାରୁ ଏୟାର ଇଣ୍ଡିଆ ଯୋଗେ ଯାତ୍ରା କରିବାକୁ ଯାଉଥିଲେ।
ଆତଙ୍କବାଦୀ ପନ୍ନୁଙ୍କ ଧମକ ପରେ ନୂଆଦିଲ୍ଲୀ କାନାଡାର ଶୀର୍ଷ ଅଧିକାରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। କାନାଡାର ପରିବହନ ମନ୍ତ୍ରୀ ପାବ୍ଲୋ ରୋଣ୍ଡିଗ୍ଜ କହିଛନ୍ତି, ସଂଘୀୟ ପୋଲିସ ଏହି ମାମଲାର ଯାଞ୍ଚ କରୁଛି।

Share