କନିଷ୍କା ବିମାନ ଦୁର୍ଘଟଣା: କାନାଡା ଗୁରୁତ୍ୱ ନ ଦେବା ନେଇ ଏବେ ଉଠିଲା ପ୍ରଶ୍ନ

ଅଟାଓ୍ବା,୨୬।୯: ଭାରତ-କାନାଡା କୂଟନୈତିକ ବିବାଦ ଚରମ ସୀମାରେ ପହଞ୍ଚିଛି। କାନାଡା ଦେଶରେ ଆତଙ୍କବାଦୀଙ୍କୁ ସମର୍ଥନ କରୁଛି ବୋଲି ଅଭିଯୋଗ ହୋଇଛି। ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଖଲିସ୍ତାନ ସମର୍ଥକମାନେ ପ୍ରାୟ ୫୦ ବର୍ଷ ଧରି କାନାଡାରେ ମୁକ୍ତ ଭାବରେ ଆତଙ୍କବାଦୀ କାର୍ଯ୍ୟକଳାପ କରିଆସୁଛନ୍ତି, ତଥାପି ସେଠାରେ କ୍ଷମତାକୁ ଆସୁଥିବା ସରକାର ଏହି ଆତଙ୍କବାଦୀଙ୍କ ଧମକ, ହିଂସା ତଥା ଡ୍ରଗ କାରବାର ଉପରେ ନିରବ ରହିଛନ୍ତି। ଏହାର ସବୁଠାରୁ ବଡ ଉଦାହରଣ ହେଉଛି ଏୟାର ଇଣ୍ଡିଆ କନିଷ୍କା ବିମାନ ଦୁର୍ଘଟଣା।

୧୯୮୫ ଜୁନ ୨୮ରେ ଯେତେବେଳେ ଖଲିସ୍ତାନୀ ଆତଙ୍କବାଦୀମାନେ ଏୟାର ଇଣ୍ଡିଆ କନିଷ୍କା ବିମାନରେ ଆତ୍ମଘାତୀ ବିସ୍ଫୋରଣ କରିଥିବା କୁହାଯାଉଥିଲା। ଦୁର୍ଘଟଣାରେ ଅଧିକାଂଶ କାନାଡୀୟଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ କାନାଡା ସେମାନଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରି ନ ଥିଲା। ଏୟାର ଇଣ୍ଡିଆ ଫ୍ଲାଇଟ୍‌ କନିଷ୍କା ୧୮୨ ବିସ୍ଫୋରଣ ହେଉଛି କାନାଡା ଇତିହାସରେ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ।

କାନାଡା ସରକାର ଏହି ଘଟଣାରେ ଆତଙ୍କବାଦୀଙ୍କ ଉପରେ କୋହଳ ମନୋଭାବ ପୋଷଣ କରିଥିଲେ। କାନାଡାର ସୁରକ୍ଷା ଏଜେନ୍ସିର ଅବହେଳା ଯୋଗୁଁ ବିମାନ ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ତଲୱିନ୍ଦର ସିଂ ପରମାର ଏବଂ ତାଙ୍କ ସମର୍ଥକମାନେ ସହଜରେ ଖସି ଯାଇଥିଲେ। କାନାଡା ଏହି ବିଷୟରେ କୌଣସି ଅନୁସନ୍ଧାନ କରିଛି କି ନାହିଁ, ସେ ବିଷୟରେ କୌଣସି ତଥ୍ୟ ନାହିଁ। ଅପରାଧୀଙ୍କୁ ଖୋଜିବା ଏବଂ ପ୍ରକୃତ ଷଡଯନ୍ତ୍ରର ଖୁଲାସା କରିବାରେ କାନାଡିୟ ଏଜେନ୍ସିଗୁଡ଼ିକ କୌଣସି ତତ୍ପରତା ଦେଖାଇ ନ ଥିବା ଜଣାଯାଇଛି।
ଏହାଯୋଗୁ କାନାଡା ଏବେ ଏହି ଆତଙ୍କବାଦୀଙ୍କ ପାଇଁ ଚରାଭୂଇଁ ପାଲଟି ଯାଇଛି। ପରମାର ବର୍ତ୍ତମାନ କାନାଡାର ଖଲିସ୍ତାନୀ ସମର୍ଥକଙ୍କ ହିରୋ ପାଲଟି ଯାଇଛନ୍ତି । ପରିସ୍ଥିତି ଏପରି ଯେ ପ୍ରତିବନ୍ଧକ ଲାଗିଥିବା ଗୋଷ୍ଠୀ ଶିଖ ଫର ଜଷ୍ଟିସ ନିଜ ମିଶନର ନାମ ପରମାର ନାମରେ ନାମିତ କରିଛି। ଏହା ଖଲିସ୍ତାନୀ ଉଗ୍ରବାଦୀଙ୍କ ମନୋବଳକୁ ଆହୁରି ବଢାଇ ନେଇଛି।

Share