ପରିଣତ ବୟସରେ ବି ହାରିଯାଇନାହାନ୍ତି ଏହି ବୃଦ୍ଧ, ପାହାଡ଼ କାଟି ୫ କିଲୋମିଟର ପର୍ଯ୍ୟନ୍ତ ଖୋଳିଛନ୍ତି କେନାଲ

ପାଟଣା,୧୩ା୯: ବିହାରର ପର୍ବତାରୋହୀ ଦଶରଥ ମାଝିଙ୍କ ନାମ ପ୍ରାୟ ସମସ୍ତେ ଶୁଣିଥିବେ। ଯିଏ କି ୨୨ ବର୍ଷ ଧରି କଠିନ ପରିଶ୍ରମ କରି ୩୬୦ ଫୁଟ ଚୌଡ଼ା ଏବଂ ୨୫ ଫୁଟ ଉଚ୍ଚ ପାହାଡ଼ କାଟି ରାସ୍ତା ତିଆରି କରିଥିଲେ। ସେହିପରି ଆଉ ଜଣେ ୭୦ ବର୍ଷୀୟ ବୃଦ୍ଧ ଦୀର୍ଘ ୩୦ ବର୍ଷ ଧରି କଠିନ ପରିଶ୍ରମ କରି ୫ କିଲୋମିଟର ଲମ୍ବର କେନାଲ ତିଆରି କରିପାରିବାରେ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ ବର୍ଷାଜଳ ଏହି କେନାଲ ଦେଇ ଚାଷଜମିକୁ ଯାଉଛି। ଫଳରେ ୩ ଗାଁର ପ୍ରାୟ ୩ ହଜାର ଲୋକ ଉପକୃତ ହେଉଛନ୍ତି।
ବିହାରର ଗୟା ନିବାସୀ ଲୋଙ୍ଗି ଭୂୟାନ୍‌ କଠିନ ପରିଶ୍ରମ କରି ଏପରି ଉଦାହରଣ ସୃଷ୍ଟି କରିଛନ୍ତି। ଯାହା ସର୍ବଦା ସ୍ମରଣୀୟ ହୋଇ ରହିବ। ୩୦ ବର୍ଷ ଧରି ଏହି କଠିନ ପରିଶ୍ରମ କରିବା ପରେ ପାହାଡ଼ରୁ ପଡୁଥିବା ବର୍ଷାଜଳକୁ ଗାଁ ଚାଷଜମିକୁ ଆଣିବାରେ ସଫଳ ହୋଇପାରିଛନ୍ତି। ସେ ପ୍ରତିଦିନ ଜଙ୍ଗଲରେ ପହଞ୍ଚି କେନାଲ ଖୋଳା କାମ କରୁଥିଲେ। ଏହି କାମ ପାଇଁ ତାଙ୍କ ପୁଅ ବୋହୂ ଲୋଙ୍ଗିଙ୍କୁ ମନା କରୁଥିଲେ। ମାତ୍ର ସେ କାହା କଥା ନ ଶୁଣି ତାଙ୍କ କାମ କରିବାକୁ ଚାଲି ଯାଉଥିଲେ।
ବାସ୍ତବରେ ଏହି ଅଞ୍ଚଳରେ ଜଳ ଅଭାବରୁ ଲୋକେ କେବଳ ମକା ଏବଂ ଚଣା ଚାଷ କରୁଥିଲେ। ଗାଁର ଏପରି ପରିସ୍ଥିତି ଦେଖି ଯୁବକମାନେ ଚାକିରି ଖୋଜିବା ପାଇଁ ଗାଁ ଛାଡ଼ି ଚାଲିଯାଇଥିବା ବେଳେ ଲୋଙ୍ଗିଙ୍କ ମନକୁ କିନ୍ତୁ ଏହି କଥା ଆସିଥିଲା। ଗ୍ରାମବାସୀ କୁହନ୍ତି, ଲୋଙ୍ଗିଙ୍କୁ କିଛି ସରକାରୀ ସହାୟତା ମିଳିଲେ ଗାଁର ଆଉ କିଛି ଉନ୍ନତି ହୋଇପାରନ୍ତା।

Share