କଟକ ସଦର,୨୯ା୧୦(ଡି.ଏନ୍.ଏ.): ଜଗତସିଂହପୁର ଜଳସେଚନ ଡିଭିଜନ ଅଧିନସ୍ଥ ମାଛ ଗାଁ କେନାଲ ବାମପାର୍ଶ୍ୱ ବନ୍ଧ ପରମହଂସଠାରେ ଗୁରୁବାର ରାତିରେ ୧୫ ଫୁଟ ଓସାରର ଏକ ଘାଇ ସୃଷ୍ଟି ହୋଇଛି। ଯାହା ଫଳରେ ଦେଓପୁର, ଡିଆଁ ପରମହଂସ ଧାନ ଜମିରେ କେନାଲ ପାଣିରେ ବୁଡ଼ି ରହିଛି। ଖବର ପାଇ ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ଶତପଥୀ ଓ ସହକାରୀ ଯନ୍ତ୍ରୀ ସୁବୋଧ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ବାଲି ବସ୍ତା ଦ୍ୱାରା ଘାଇ ବନ୍ଧାଇବା କାର୍ଯ୍ୟ ଆରମ୍ଭ କରାଇଛନ୍ତି। କେନାଲରେ ପାଣି ଚାଲିଥିବାରୁ ଯୋବ୍ରା ଅନିକଟରୁ ଜଳସ୍ତର ନିୟନ୍ତ୍ରଣ କରାଯାଇଛି । ଘାଇ ହେବାର କାରଣ ଅସ୍ପଷ୍ଟ ଅଟେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦେଢ଼ ନମ୍ବର ଶାଖା କେନାଲ ପାଖରେ ମୁଖ୍ୟ କେନାଲ ବନ୍ଧରେ ଘଳିଆ ପଡ଼ିବା ଦ୍ୱାରା ଘାଇ ସୃଷ୍ଟି ହୋଇଛି। ଏହି ଘାଇ ମରାମତି ପାଇଁ ଅତି କମ୍ରେ ୨ ଦିନ ଲଗିବ ବୋଲି ଜଳସେଚନ ଯନ୍ତ୍ରୀମାନେ ସୂଚନା ଦେଇଛନ୍ତି।