ଗାଁକୁ ମାଡ଼ି ଆସିଲା କେନାଲ ପାଣି

ଭବାନୀପାଟଣା,୭।୮(ସ୍ବ.ପ୍ର.): ଲଘୁଚାପ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି । ଏନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଅନ୍ୟପକ୍ଷେ ଇନ୍ଦ୍ରାବତୀ ସବ୍‌ ମାଇନର କେନାଲରୁ ଜୟପାଟଣା ବ୍ଲକ ଜୋରଖଣ୍ଡି ପଡାକୁ ପାଣି ମାଡ଼ି ଆସି ରବିବାର ଲୋକଙ୍କ ଘରେ ପଶିଛି। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଶନିବାର ରାତିରୁ ଜିଲାରେ ଲଗାଣ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଜିଲାରେ ୨୦୦ ମିଲିମିଟର ବର୍ଷା ହୋଇଥିବା ବେଳେ ଜୟପାଟଣା ବ୍ଲକରେ ସର୍ବାଧିକ ୧୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁ ଇନ୍ଦ୍ରାବତୀ ସବ୍‌ ମାଇନର କେନାଲରୁ ପାଣି ନିଷ୍କାସିତ ହୋଇ ନ ପାରି କେନାଲ ପାଣି ଖଣ୍ଡିପଡା ଭିତରକୁ ପଶି ଆସିଛି। ଫଳରେ ଗାଁ ଦାଣ୍ଡରେ ଆଣ୍ଠୁଏ ଲେଖାଏଁ ପାଣି ଚାଲୁଥିବା ବେଳେ ଲୋକଙ୍କ ଘର ଭିତରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି। ବର୍ଷା ଲାଗି ରହିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Share