ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି କେନାଲ ପାଣି। ଫଳରେ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସୂଚନା ମୁତାବକ, ଧର୍ମଶାଳା ଅଞ୍ଚଳର ଅନେକ ଜମି କେନାଲ ପାଣି ଦ୍ୱାରା ଜଳସେଚନ କରାଯାଇ ଚାଷ କାର୍ଯ୍ୟ ହୋଇଥାଏ। କେତେକ ସ୍ଥାନରେ ମେନ୍‌ କେନାଲ, ମାଇନର କେନାଲ ଓ ସବ୍‌ମାଇନର କେନାଲ ମାଧ୍ୟମରେ ଜଳସେଚନ ବିଭାଗ ପକ୍ଷରୁ ଚାଷ ଜମିଗୁଡିକୁ ପାଣି ଯୋଗାଇ ଦିଆଯାଇଥାଏ। ଚଳିତ ବର୍ଷ ଅନେକ ସ୍ଥାନରେ ପାଣି ଅଭାବ ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାବେଳେ ଗତ ୧୫ ତାରିଖରେ ହାଇଲେଭଲ କେନାଲରେ ପାଣି ଛଡ଼ାଯାଇଛି। ୫ଦିନ ମଧ୍ୟରେ ମାଇନର କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯିବାକଥା। ହେଲେ ୫ଦିନ ବଦଳରେ ୧୦ଦିନ ପରେ ମାଇନର ଓ ସବମାଇନର କେନାଲରେ ପାଣି ଆସିଛି, କିନ୍ତୁ ଶେଷ ମୁଣ୍ଡରେ ପହଞ୍ଚି ପାରିନାହିଁ। କେତେକ ସ୍ଥାନରେ କେନାଲ ବନ୍ଧ ଭାଙ୍ଗିଗଲାଣି ତ ଆଉ କେତେକ ସ୍ଥାନ ସଫା ହୋଇ ପାରିନାହିଁ। ଏହା ମଧ୍ୟରୁ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବମାଇନର କେନାଲର ଅବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

ଏହି କେନାଲର ଶେଷ ସୀମା ଡେରାବର ହୋଇଥିବାବେଳେ ୧୦ ବର୍ଷରୁ ଅଧିକ ହେବ ଏହି ଶେଷ ସୀମାକୁ ପାଣି ପହଞ୍ଚିପାରୁନି। ଏହି ସ୍ଥାନରେ ୫୦ଏକରରୁ ଅଧିକ ଚାଷ ଜମି ରହିଛି ଓ ଅନେକ ଚାଷୀ ପ୍ରତିବର୍ଷ ଜଳକର ଦେଉଥିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରା ଯାଉ ନ ଥିବା ଅଭିଯୋଗ ହୋଇଛି। ଗତ ଦୁଇ ଦିନ ହେବ ଏହି ସବ୍‌ମାଇନର କେନାଲରେ ପାଣି ଆସି ନୀଳାଦେଈପୁର ଓ ଅଚ୍ୟୁତପୁର ନିକଟରେ ଅଟକି ରହିଛି। କେନାଲ ମଧ୍ୟ ଭାଗ ଓ ଉପର ଅନାବନା ଗଛରେ ଭର୍ତ୍ତି ହୋଇ ଜଙ୍ଗଲ ସଦୃଶ ରହିଛି। ପାଣି ଆସିବା ପୂର୍ବରୁ କେନାଲ ସଫା କରାଯିବା କଥା। କିନ୍ତୁ କେନାଲ ସଫା ହୋଇ ନଥିବାରୁ ପାଣି ଆସି ଅଧାରେ ଅନାବନା ଗଛ ଲତାରେ ରହିଯାଇଛି। ଦୁଇ ଦିନ ହେବ ଲଘୁଚାପଜନିତ ବର୍ଷା ହେଉଛି। ଏହାଦ୍ୱାରା କେନାଲ ପାଶର୍‌ବରେ ଥିବା ଅନେକ ଚାଷୀ ବର୍ଷା ଜଳରେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ଏହା ଉପରେ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ଚାଷୀ ଦେବେନ୍ଦ୍ର ରାଉତ, ପଞ୍ଚାନନ ରାଉତ, ଅନନ୍ତ ସାହୁ, ଯୁଧିଷ୍ଠିର ନାୟକ, ଅଜୟ ରଣା, କୁଳମଣି ବେହେରା, ବଟକୃଷ୍ଣ ସାହୁ, ନରହରି ସାହୁ, ରବୀନ୍ଦ୍ର ବେହେରା ଓ ମକରଧ୍ବଜ ବେହେରା ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଜାରକା ଜଳସେଚନ ବିଭାଗ ଏସ୍‌ଡିଓ ଭାଗବତ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ସବ୍‌ମାଇନର କେନାଲର ଶାନ୍ତି ବଜାରଠାରୁ ଡେରାବାର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ନ ଯିବା କଥାରେ ସତ୍ୟତା ନାହିଁ। ଏବର୍ଷ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ କେନାଲ ସଫା କରାଯାଉଛି। ଆଗକୁ କେନାଲ ସଫା ହେବା ପରେ ପାଣି ଶେଷ ମୁଣ୍ଡରେ ପହଞ୍ଚିବ।