ଘର କରି ନ ଥିବା ହିତାଧିକାରୀଙ୍କ କାର୍ଯ୍ୟାଦେଶ ବାତିଲ କର

ପଟ୍ଟାମୁଣ୍ଡାଇ ୨୬ା୯ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଗରିବ ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଠିକଣା ଭାବେ କାର୍ଯ୍ୟକରିବା ସହ ତ୍ୱରାନ୍ବିତ କରିବାକୁ ଓଡିଶା ଅର୍ବାନ ହାଉସିଂ ମିଶନର ଏସଏଲଟିସି ପାର୍ଥସାରଥୀ ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦ ସମ୍ମିଳନୀ କକ୍ଷରେ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ। ପଟ୍ଟାମୁଣ୍ଡାଇ ପୌର ଅଧ୍ୟକ୍ଷ ହେମନ୍ତ ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ସମୀକ୍ଷା ବୈଠକରେ ଓଡ଼ିଶା ଅର୍ବାନ ହାଉସିଂ ମିଶନର ଏସଏଲଟିସି ସାହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନିୟମାବଳୀ, ହିତାଧିକାରୀ ଚୟନଠାରୁ ଆରମ୍ଭ କରି ପ୍ରାପ୍ୟ ପ୍ରଦାନ ପର୍ଯ୍ୟନ୍ତ ସମସ୍ତ ଦିଗ ଉପରେ ଆଲୋକପାତ କରିଥିଲେ। ବୈଠକରେ ପୌର ପରିଷଦ କାଉନସିଲର ପ୍ରଶାନ୍ତ ବାରିକ, ଗୋପୀବଲ୍ଲଭ ନାୟକ, ସାନିଆ ପରମିନ, ମୃତ୍ୟୁଞ୍ଜୟ ପାଢ଼ୀ, ଲଷ୍ମୀପ୍ରିୟା ସାହୁ, ସନ୍ତୋଷ ଦାସ, ସୁବାସ ମଲିକ, ସମ୍ରାଟ କେଶରୀ ଜେନା, ସୁଧାମୟ ମଲିକ, ଝରଣା ବେହେରା, ମଳୟ ଓଝା, ବନିତା ମଲିକ ପ୍ରମୁଖ ଯୋଗ ଦେଇଥିଳେ। ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିଜ ୱାର୍ଡର ହିତାଧିକାରୀଙ୍କ ସ୍ଥିତି ଓ ସଫଳ କାର୍ଯ୍ୟକାରିତା ସମ୍ପର୍କରେ ମତାମତ ଉପସ୍ଥାପନ କରିଥିଲେ। ଓଡ଼ିଶା ଅର୍ବାନ ହାଉସିଂ ମିଶନର ଏସ୍‌ଏଲଟିସି ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦର କେତେକ ୱାର୍ଡକୁ ଯାଇ ସିଧାସଳଖ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ପଟ୍ଟାମୁଣ୍ଡାଇ ପୌର ପରିଷଦର ୨୦ଟି ୱାର୍ଡରେ ୩୨୨୧ ହିତାଧିକାରୀ ଥିବାବେଳେ ୨୬୨୧ ଜଣ ଆବାସ ଗୃହ ସମ୍ପୂର୍ଣ୍ଣ କରିଥିବା,୨୪୨ ଜଣ ଛାତ ପତନ ପର୍ଯ୍ୟନ୍ତ କରିଥିବା,୧୨୪ ଜଣ ନିମଟଲ ପର୍ଯ୍ୟନ୍ତ ହୋଇଥିବା, ୩୩ଜଣ ଫାଉଣ୍ଡେଶନ ପକାଇଥିବା ଓ ୧୭୮ଜଣ ଆଦୌ ଆବାସ ଗୃହ ନିର୍ମାଣ କରି ନ ଥିବା ଜଣାପଡ଼ିଥିଲା। ଏସ୍‌ଏଲଟିସି ସାହୁ ଠିକଣା ଭାବେ ନିର୍ଦ୍ଧାରିତ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରା ନ ଗଲେ ଓ ୟୁଟିଲାଇଜେଶନ ସାର୍ଟିଫିକେଟ ଦିଆ ନ ଗଲେ ଆଗାମୀ ଦିନରେ ଏହି ପୌର ପରିଷଦକୁ ଆଦୌ ଆବାସ ଯୋଜନା ଅର୍ଥ ମଞ୍ଜୁର କରାଯିବନାହିଁ। ଏତଦବ୍ୟତୀତ ଏ ବାବଦରେ ପୌର ପରିଷଦକୁ ଆସିଥିବା ଅନୁଦାନ ରାଶି ମଧ୍ୟ ସରକାର ଫେରାଇ ନେବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଥିଲେ। ଆବାସ ଯୋଜନାରେ ବର୍ଷ ବର୍ଷ ଧରି ଆଦୌ ଘର କରି ନ ଥିବା ହିତାଧିକାରୀଙ୍କ କାର୍ଯ୍ୟାଦେଶ ବାତିଲ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଜନସଚେତନତା ଲାଗି ଡାକବାଜି ଯନ୍ତ୍ର ଯୋଗେ ବ୍ୟାପକ ପ୍ରଚାର କରିବାକୁ ସ୍ଥିର ହୋଇଥିଲା। ଏଥିରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ନାରାୟଣଗିରି, ସିଏଲଟିସି ଅରବିନ୍ଦ ପରିଡା, ପଟ୍ଟାମୁଣ୍ଡାଇ ପୌର ପରିଷଦର ରାଜ କିଶୋର ଦାସ, ତପସ୍ବିନୀ ଦାଶ, ସରୋଜ ପଣ୍ଡା ଓ ବ୍ରଜ କିଶୋର ସେଠୀ ପ୍ରମୁଖ କର୍ମଚାରୀ ଯୋଗଦେଇ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ଶେଷରେ ଅରବିନ୍ଦ ପରିଡା ଧନ୍ୟବାଦ ଦେଇଥିଲେ।