ସ୍ବାୟତ୍ତ ଶାସନ ଦିବସ ପାଳନକୁ ବର୍ଜନ କଲେ ଉପାଧ୍ୟକ୍ଷଙ୍କ ସମେତ ୯ କାଉନସିଲର

ପୁରୁଷୋତ୍ତମପୁର,୩୧ା୮(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଡିଓ ମନୋଜ କୁମାର ନାୟକ ଯୋଗଦେଇ ଏହି ଦିବସର ମହତ୍ତ୍ୱ ସମ୍ପର୍କରେ ଗୁରୁତ୍ୱାରୋପ କରି ସମସ୍ତେ ମତଭେଦ ଭୁଲି ସହରର ବିକାଶ ଲାଗି ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସିଡିପିଓ ମମତା ମଲ୍ଲିକ, ସହକାରୀ ଯନ୍ତ୍ରୀ ନାଗଭୂଷଣ ଯାଦବ, ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରଫୁଲ କୁମାର ରଥ, ତାରାତାରିଣୀ କଲେଜ ଡେମୋନଷ୍ଟ୍ରେଟର ରାମନାଥ ପାତ୍ର, ଅବସରପ୍ରାପ୍ତ ଶିକ୍ଷକ ଏ.ରାଜୁଗୋପାଳ ରାଓ, କାଉନସିଲର ଅଶୋକ କୁମାର ମହାକୁଡ, ଅରୁଣ କୁମାର ମହାକୁଡ, ପ୍ରମିତା କୁମାରୀ ପଣ୍ଡା,ସୁଦେଷ୍ଣା ବେହେରା ଯୋଗଦେଇ କୃତୀ ଛାତ୍ରୀଛାତ୍ର ଓ କର୍ମଚାରୀମାନଙ୍କୁ ପୁରସ୍କୁତ କରିଥିଲେ। ମାତ୍ର ଏଠାରେ ରାଜନୈତିକ ହଟଚମଟ ଆରମ୍ଭ ହୋଇଛି। ଯାହାକି ଦୀର୍ଘଦିନ ଧରି ଏନ୍‌ଏସି ପ୍ରଶାସନର କାର୍ଯ୍ୟକଳାପ ବିରୋଧରେ କାଉନସିଲରମାନଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୁଷ୍ଟର ନିଆଁ ଏକ ପ୍ରକାର ବିଷ୍ପୋରକ ରୂପ ନେଇଛି। ଏନ୍‌ଏସି ପ୍ରଶାସନର ମନୋମୁଖୀ ଶାସନ ଓ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟର ଅଭିଯୋଗ କରି ସ୍ବାୟତ୍ତଶାସନ ଦିବସକୁ ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ୯ ଜଣ କାଉନସିଲର ବର୍ଜନ କରି କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି। ଏପରିକି ଅପରପକ୍ଷରେ ଏଠାରେ ଚାଲିଥିବା ଏକଛତ୍ରବାଦ ଓ ମନୋମୁଖୀ କାର୍ଯ୍ୟକୁ ନେଇ ନବନିର୍ବାଚିତ ଏମ୍‌ପି ଓ ବିଧାୟକ ମଧ୍ୟ ସ୍ବାୟତ୍ତଶାସନ ଦିବସକୁ ଆସିବାକୁ କୁଆଡ଼େ ଅମଙ୍ଗ ହୋଇ ଆସି ନ ଥିବା ନେଇ ସହର ସାରା ଚର୍ଚ୍ଚା ହେବାରେ ଲାଗିଛି। ଫଳରେ ଏହି କାରଣରୁ ଏଠାରେ ସ୍ବାୟତ୍ତ ଶାସନ ଦିବସ ଏକ ପ୍ରକାର ଫିକା ପଡ଼ିଯାଇଛି। ଏପରିକି ଗତବର୍ଷ ସ୍ବାୟତ୍ତ ଶାସନ ଦିବସରେ କାଉନସିଲରମାନଙ୍କୁ ଅଣଦେଖା କରାଯାଇ ଇଚ୍ଛା ମୁତାବକ ବେଆଇନ ଭାବରେ କାର୍ଯ୍ୟ କରାଯାଉଥିବାର ଅଭିଯୋଗ କରିଥିଲେ। ଏଥିସହ କାର୍ଯ୍ୟକ୍ରମ ସ୍ଥଳରେ ମଞ୍ଚ ତଳେ ଧାରଣାରେ ବସି ହୋ-ହଲ୍ଲା କରି କାର୍ଯ୍ୟକ୍ରମକୁ ବର୍ଜନ କରି ଉଠି ଚାଲିଯାଇଥିଲେ। ଫଳରେ ସେତେବେଳେ ଏକପ୍ରକାରର ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା।

Share