ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ: ବୈଠକ ବର୍ଜନ କରି ଧାରଣାରେ ବସିଲେ ସରପଞ୍ଚ

କେସିଙ୍ଗା,୨୧।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଚତୁର୍ଥ ପଞ୍ଚାୟତ ସମିତି ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବୈଠକରେ କେସିଙ୍ଗା ବ୍ଲକର ୨୬ ସରପଞ୍ଚଙ୍କ ମଧ୍ୟରୁ ୨୨ ସରପଞ୍ଚ ବିଡିଓଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ବୈଠକ ବର୍ଜନ କରି ବ୍ଲକ ସଭାଗୃହ ସମ୍ମୁଖରେ ଧାରଣା ଦେଇଥିଲେ। ଏପରି କି ୬ ମାସ ତଳେ ଅନୁଷ୍ଠିତ ହୋଇଥିବା ସମିତି ବୈଠକରେ ମଧ୍ୟ ସରପଞ୍ଚମାନଙ୍କ କୌଣସି ପ୍ରସ୍ତାବ ଗ୍ରହଣ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନ୍ୟପକ୍ଷେ ବିଡିଓଙ୍କ ମନମୁଖି କାର୍ଯ୍ୟକୁ ନେଇ ସରପଞ୍ଚ ସଂଘ ପକ୍ଷରୁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି କୁହାଯାଇଛି।

କେସିଙ୍ଗା ସରପଞ୍ଚ ସଂଘ ସଭାପତି ତଥା ଜିଲା ସରପଞ୍ଚ ସଂଘ ସଭାପତି ସୁବୋଧ ରଣାଙ୍କ ନେତୃତ୍ୱରେ ବ୍ଲକ ସଭାଗୃହ ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା। ଏଥିରେ ସଂଘର ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ, ଉପସଭାପତି ସୁଶାନ୍ତ ବାଗ, ଜିଲା ଯୁଗ୍ମ ସମ୍ପାଦକ ପ୍ରମୋଦ ସାହୁ, କୋଷାଧ୍ୟକ୍ଷ ପ୍ରମୋଦ ଦାସଙ୍କ ସମେତ ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ l ଏ ନେଇ ସରପଞ୍ଚ ସଂଘର ସଭାପତି ସୁବୋଧ ରଣାଙ୍କୁ ପଚାରିବାରୁ ସରପଞ୍ଚମାନଙ୍କୁ ଅଣଦେଖା କରିବା ସହିତ ବ୍ଲକ କାର୍ଯ୍ୟାଳରେ ମନମୁଖି କାର୍ଯ୍ୟ ହେଉଥିବା ଅଭିଯୋଗ କରିଛନ୍ତି। ଏପରିକି କେସିଙ୍ଗା ବିଡିଓଙ୍କ ବଦଳି ନ ହେବା ଯାଏ ବୈଠକ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।