ରାଉରକେଲାରୁ ବିମାନ ସେବା ବାତିଲ:ଚିକିତ୍ସାରୁ ବଞ୍ଚିତ୍ତ ହେଲା ୩ ମାସର ଶିଶୁକନ୍ୟା

ରାଉରକେଲା,୨୭।୧୨(ସଙ୍ଗୀତା ଜେନା/ଦିନେଶ ମିଶ୍ର): ରାଉରକେଲାରୁ କଲିକତା ଓ ଭୁବନେଶ୍ୱରକୁ ବିମାନସେବା ମଙ୍ଗଳବାର ବାତିଲ ହୋଇଛି। ଫଳରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷେ ବିମାନସେବା ବାତିଲ ଯୋଗୁ ଏକ ୩ ମାସର ଶିଶୁକନ୍ୟାଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ସପ୍ତାହକୁ ମଙ୍ଗଳବାର, ଗୁରୁବାର ଓ ଶନିବାର ରାଉରକେଲାରୁ କଲିକତାକୁ ବିମାନ ଚଳାଚଳ କରିବାର ଥିଲା। ମଙ୍ଗଳବାର ପ୍ରଥମ ଦିନ ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ କଲିକତା ଯିବା ପାଇଁ ରାଉରକେଲା ଏୟାରପୋର୍ଟରେ ପହଞ୍ଚତ୍ଥିଲେ। ତେବେ ଅପରାହ୍ନ ୩ଟା ୩୫ ମିନିଟ୍‌ରେ କଲିକତା ଯିବାକୁ ଥିବା ଏଟିଆର-୭୨ ବିମାନଟି ଅନୁକୂଳପାଗ ଯୋଗୁ ଉଡ଼ିପାରି ନ ଥିଲା। ଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ସେହିପରି ମଙ୍ଗଳବାର ରାଉରକେଲାରୁ ଭୁବନେଶ୍ୱରକୁ ମଧ୍ୟ ବିମାନ ଉଡ଼ାଣ କରିବାର ଥିଲା। ସକାଳ ସାଢ଼େ ୯ଟା ସୁଦ୍ଧା ରାଉରକେଲା ଏୟାରପୋର୍ଟରୁ ଯାତ୍ରୀଙ୍କ ପାଖକୁ ୨ଥର ଉଡ଼ାଣ ସମୟ ପରିବର୍ତ୍ତନର ସୂଚନା ଆସିଥିଲା। ପୂର୍ବାହ୍ନ ୧୧ଟାରେ ଫ୍ଲାଇଟ୍‌ ବାତିଲ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଫଳରେ ନିଜ ୩ ମାସର ଶିଶୁକନ୍ୟାର ଜରୁରୀ ଆଖି ଚିକିତ୍ସା କରିବା ପାଇଁ ଭୁବନେଶ୍ୱର ଯାଇପାରି ନ ଥିଲେ ସେକ୍ଟର-୬ର ସୁବ୍ରତ ଦାସ। ଏ ସମ୍ପର୍କରେ ରାଉରକେଲା ଏୟାରପୋର୍ଟ ଅଥରିଟିର ଅଧିକାରୀ ରାହୁଲ ସିଂଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ।