୧୦ବର୍ଷ ପୂର୍ବରୁ ଜାଣିହେବ କ୍ୟାନ୍‌ସର

ଚିକିତ୍ସା ବିଜ୍ଞାନରେ କ୍ୟାନ୍‌ସର ହେଉଛି ଚିନ୍ତାର କାରଣ ସାଜିଥିବା ଅନ୍ୟତମ ପ୍ରମୁଖ ରୋଗ । ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ନିରୂପଣ କରି ଯଦି ଠିକ୍‌ ଚିକିତ୍ସା କରାଯାଏ ତେବେ ଏଥିରୁ ଆରୋଗ୍ୟ ଲାଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ହେଲେ ତାହା ଗୁରୁତର ଅବସ୍ଥାକୁ ଚାଲିଗଲେ ତାହାର ଚିକିତ୍ସା କଷ୍ଟକର ହୋଇଥାଏ। ଅନେକ କ୍ଷେତ୍ରରେ ଏହା ପ୍ରାଣନାଶକ ସାବ୍ୟସ୍ତ ହୋଇଥାଏ। ନିକଟରେ କ୍ୟାନ୍‌ସର ସମ୍ପର୍କିତ ଏକ ରୋଚକ ତଥ୍ୟ ଲୋକଲୋଚନକୁ ଆସିଛି। ଜଣେ ବ୍ୟକ୍ତି କ୍ୟାନ୍‌ସର ଦ୍ୱାରା ଆକ୍ରାନ୍ତ ହେବେ କି ନାହିଁ ତାହା ପାଖାପାଖି ୧୦ ବର୍ଷ ପୂର୍ବରୁ ଜାଣିହେବ। ଏଭଳି ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି ୟୁନିଭର୍ସିିଟି ଅଫ ଲଣ୍ଡନର କ୍ୟାନ୍‌ସର ବିଜ୍ଞାନୀମାନେ। ଏପରି ଗବେଷଣା ସମୟରେ ସେମାନେ କ୍ରୋମୋଜୋମ୍‌ରେ ଥିବା ଟେଲମିଅର ନାମକ ତତ୍ତ୍ୱକୁ ତନ୍ନ ତନ୍ନ କରି ପରୀକ୍ଷା କରିଥିଲେ। ଏହି ତତ୍ତ୍ୱ ସନ୍ତୁଳିତ ରହିଲେ କ୍ୟାନ୍‌ସର ଆଶଙ୍କା କମ୍‌ ଥାଏ। ଯଦି ଏହାର ଆକାର ଧୀରେ ଧୀରେ କମିବାକୁ ଲାଗିଲା ତେବେ ଜଣେ ବ୍ୟକ୍ତି କ୍ୟାନ୍‌ସର ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଛି ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।