କ୍ୟାନସରର ଅଧିକ ଶିକାର ହେଉଛନ୍ତି ଯୁବଗୋଷ୍ଠୀ, ବର୍ଷକରେ ମରୁଛନ୍ତି ୧୦ଲକ୍ଷରୁ ଅଧିକ

ଏଡିନବର୍ଗ,୬।୯: ଏକ ଅଧ୍ୟୟନରୁ ଜଣାପଡିଛି କି, କ୍ୟାନସରରେ ଅଧିକ ଯୁବକମାନେ ଶିକାର ହେଉଛନ୍ତି। ତିନି ଦଶନ୍ଧି ମଧ୍ୟରେ ୫୦ ବର୍ଷରୁ କମ ଲୋକଙ୍କୁ କ୍ୟାନସର ହେବାର ଦେଖାଯାଉଛି। ଆଉ ଏହି କ୍ୟାନସର ରୋଗୀଙ୍କ ସଂଖ୍ୟା ୮୦ଶତକଡା ବୃଦ୍ଧି ପାଇଛି। ବିଶ୍ୱରେ ୧୯୯୦ମସିହାରେ ୧୮.୨ଲକ୍ଷ କ୍ୟାନସର ରୋଗୀ ଥିଲେ ମାତ୍ର ୨୦୧୯ରେ କରାଯାଇଥିବା ସର୍ଭେରେ ଏହା ୩୨.୬ଲକ୍ଷକୁ ବୃଦ୍ଧି ପାଇଛି।
୩୦ରୁ ୪୦ ମଧ୍ୟରେ କିମ୍ବା ତା’ଠାରୁ କମ ବୟସର ଲୋକଙ୍କ ମଧ୍ୟରେ କ୍ୟାନସର ମୃତ୍ୟୁ ୨୭ପ୍ରତିଶତ ବୃଦ୍ଧି ପାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରତିବର୍ଷ ୫୦ ବର୍ଷରୁ କମ ବୟସର ପ୍ରାୟ ୧୦ଲକ୍ଷରୁ ଅଧିକ ଲୋକ କ୍ୟାନସରରେ ମୃତ୍ୟୁ ହେଉଛି।

ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଖରାପ ଖାଦ୍ୟ, ମଦ୍ୟପାନ ଏବଂ ତମାଖୁ ସେବନ, ଶାରୀରିକ ନିଷ୍କ୍ରିୟତା ଓ ମେଦବହୁଳତା ଯୋଗୁ ଯୁବଗୋଷ୍ଠୀ କ୍ୟାନସରର ଶିକାର ହେଉଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ୧୯୯୦ ମସିହାରୁ ସାରା ବିଶ୍ୱରେ କ୍ୟାନସର ପୀଡିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୁସ୍ଥ ଖାଦ୍ୟ ଖାଇବା, ତମାଖୁ ଏବଂ ମଦ୍ୟପାନରୁ ଦୂରେଇ ରହିବା ଦ୍ୱାରା ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରି ପ୍ରାଥମିକ କର୍କଟ ରୋଗରୁ ବଞ୍ଚି ହେବ।

ସ୍କଟଲ୍ୟାଣ୍ଡର ଏଡିନବର୍ଗ ୟୁନିଭରସିଟି ଏବଂ ଚାଇନାର ହାଙ୍ଗଜୋରେ ଥିବା ଜେଜିଆଙ୍ଗ ୟୁନିଭରସିଟି ସ୍କୁଲ ଅଫ ମେଡିସିନ ଦ୍ୱାରା ଏକ ଅଧ୍ୟୟନ କରାଯାଇଥିଲା। ଏହି ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ୨୦୪ ଟି ଦେଶରୁ ୨୯ ପ୍ରକାରର କ୍ୟାନସର ରୋଗର ତଥ୍ୟ ପାଇଥିଲେ।

Share