ରକ୍ତ ନମୁନାରୁ ଚିହ୍ନଟ ହେବ କ୍ୟାନ୍‌ସର ସେଲ୍‌

ଓ୍ବାଶିଂଟନ୍‌, ୧।୩: କ୍ୟାନ୍‌ସର ଏବେ ପ୍ରତ୍ୟେକ ବୟସ ବର୍ଗଙ୍କଠାରେ ଦେଖିବାକୁ ମିଳୁଛି। ଦ୍ରୁତବେଗରେ ମନୁଷ୍ୟ ଶରୀରକୁ ଗ୍ରାସ କରୁଥିବା ଏହି ରୋଗ ଚିହ୍ନଟ ଏବେ ଆହୁରି ସହଜ ହୋଇଛି। ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜିର ବିଶେଷଜ୍ଞମାନେ ଏକ ନୂଆ ଡିଭାଇସ୍‌ ବା ଯନ୍ତ୍ର ଉଦ୍ଭାବନ କରିଛନ୍ତି, ଯାହାଦ୍ୱାରା ରୋଗୀ ଶରୀରରେ କର୍କଟ ସେଲ୍‌ ବିକଶିତ ହେଉଛି କି ନାହିଁ ତାହା ସହଜରେ ଜଣାପଡ଼ିବ। ‘ଷ୍ଟାଟିକ୍‌ ଡ୍ରପଲେଟ୍‌ ମାଇକ୍ରୋଫ୍ଲୁଇଡିକ୍‌’ ଡିଭାଇସ୍‌ ରକ୍ତ ନମୁନାରୁ କ୍ୟାନ୍‌ସର ସେଲ୍‌କୁ ଚିହ୍ନଟ କରିପାରିବ। ଡିଭାଇସ୍‌ ସମ୍ପର୍କିତ ସବିଶେଷ ତଥ୍ୟ ବାୟୋସେନ୍ସର୍ସ ଆଣ୍ଡ୍‌ ବାୟୋଇଲେକ୍ଟ୍ରୋନିକ୍ସ ସାଇନ୍ସ ଜର୍ନାଲରେ ପ୍ରଦାନ କରାଯାଇଛି।
ଷ୍ଟାଟିକ୍‌ ଡ୍ରପଲେଟ୍‌ ମାଇକ୍ରୋଫ୍ଲୁଇଡିକ୍‌ ଡିଭାଇସ୍‌ ରୋଗୀ ଶରୀରରେ ସର୍କୁଲେଟିଂ ଟ୍ୟୁମର ସେଲ୍‌ସ (ସିଟିସି)କୁ ଚିହ୍ନଟ କରିଥାଏ। କ୍ୟାନ୍‌ସରର ମୂଳ ରୂପ ଟ୍ୟୁମର। ଟ୍ୟୁମରରୁ କ୍ୟାନ୍‌ସର ସେଲ ବିକଶିତ ହୋଇ ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପିଥାଏ। ରୋଗୀର ରକ୍ତ ନମୁନାରୁ ଏହି ଡିଭାଇସ୍‌ କୋଲୋରେକ୍ଟାଲ, ଯକୃତ ଏବଂ ବ୍ଲାଡର କ୍ୟାନ୍‌ସର ଚିହ୍ନଟ କରିପାରିବ ବୋଲି ବିଶେଷଜ୍ଞ କହିଛନ୍ତି। ଡିଭାଇସ୍‌ ବ୍ୟବହାର ଦ୍ୱାରା କ୍ୟାନ୍‌ସର ରୋଗ ଚିହ୍ନଟ ପାଇଁ କରାଯାଇଥିବା ବାୟୋପ୍ସି ପୀଡ଼ାରୁ ରୋଗୀଙ୍କୁ ମୁକ୍ତ କରାଯାଇପାରିବ। ସେହିପରି କ୍ୟାନ୍‌ସର ଚିହ୍ନଟ ପାଇଁ ଫିଜିକାଲ ଏକ୍‌ଜାମିନେଶନ୍‌, ଲାବ୍‌ ଟେଷ୍ଟ ଓ ଇମେଜିଂ ଟେଷ୍ଟ ମଧ୍ୟ କରାଯାଉଛି। ଏହି ପରୀକ୍ଷା ସବୁ ବ୍ୟୟବହୁଳ।
ଆମେରିକୀୟ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ରିପୋର୍ଟ ଅନୁସାରେ ୨୦୨୨ରେ ଭାରତରେ ମୋଟ ୧୪,୬୧,୪୨୭ କର୍କଟ ରୋଗୀ ଚିହ୍ନଟ ହୋଇଥିଲେ। ପ୍ରକାଶିତ ରିପୋର୍ଟ ମୁତାବକ ପ୍ରତି ୯ ଜଣଙ୍କ ମଧ୍ୟରୁ ଜଣେ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ଦେଶରେ ଉଭୟ ପୁରୁଷ ଓ ମହିଳା ଅଧିକମାତ୍ରାରେ ଫୁସ୍‌ଫୁସ୍‌ ଏବଂ ସ୍ତନ କର୍କଟରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ସେହିପରି ଜନ୍ମିତ ଶିଶୁଙ୍କଠୁ ଆରମ୍ଭ କରି ୧୪ ବର୍ଷର ପିଲାଙ୍କ କ୍ଷେତ୍ରରେ ଲିମ୍ଫୋଇଡ୍‌ ଲ୍ୟୁକେମିଆ ଦେଖିବାକୁ ମିଳୁଛି। ୨୦୨୦ ତୁଳନାରେ ୨୦୨୫ ବେଳକୁ ଦେଶରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ୧୨.୮% ବୃଦ୍ଧି ପାଇବା ଆଶଙ୍କା ଥିବା ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଇଛି।

Share