କର୍କଟ ରୋଗୀଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ

ଭୁବନେଶ୍ୱର, ୨୪।୯ (ବ୍ୟୁରୋ):କର୍କଟ ରୋଗୀଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ହେବା ସମ୍ଭାବନା ବେଶି ରହିଛି। କାରଣ ଜଣେ କର୍କଟ ରୋଗରେ ଆକ୍ରାନ୍ତ ହେଲେ ତାଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି କମିଯାଇଥାଏ। ତେଣୁ କର୍କଟ ରୋଗୀ ସଂକ୍ରମିତ ନ ହେବା ଲାଗି ଅଧିକ ସତର୍କତାମୂଳକ ପଦକ୍ଷେପ ନେବାକୁ ପଡ଼ିବ ବୋଲି କଟକସ୍ଥିତ ଆଚାର୍ଯ୍ୟ ହରିହର ହସ୍ପିଟାଲର କର୍କଟ ରୋଗ ବିଶେଷଜ୍ଞ ଡା. ସୁରେନ୍ଦ୍ର ସେନାପତି ପରାମର୍ଶ ଦେଇଛନ୍ତି।

ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଡା. ସେନାପତି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, କର୍କଟ ରୋଗୀ କେମୋଥେରାପି ନେଉଥିବା ସମୟରେ ଯଦି କରୋନା ଆକ୍ରାନ୍ତ ହୁଅନ୍ତି, ତେବେ ସେମାନେ ଉକ୍ତ ଚିକିତ୍ସା ଜାରି ରଖିପାରିବେ। ଅତି ଜରୁରୀ ଆବଶ୍ୟକତା ନ ଥିଲେ କେମୋଥେରାପି ସମୟକୁ ଘୁଞ୍ଚାଯାଇପାରିବ। ଜଣେ ବ୍ୟକ୍ତି କର୍କଟ ରୋଗମୁକ୍ତ ହୋଇ ସାରିଥିଲେ ସେ ସାଧାରଣ ବ୍ୟକ୍ତିଙ୍କ ଭଳି କରୋନା ସଂକ୍ରମିତ ହୋଇପାରନ୍ତି। କର୍କଟ ରୋଗୀ ଯଦି କରୋନା ସଂକ୍ରମିତ ହୁଅନ୍ତି, ତାଙ୍କୁ ହୋମ୍‌ ଆଇସୋଲେଶନରେ ରଖାଯାଇପାରିବ। ଯଦି ସମ୍ପୃକ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ କରୋନାଜନିତ କୌଣସି ଲକ୍ଷଣ ନାହିଁ, ତେବେ ସେ ଡାକ୍ତରଙ୍କ ପରାମର୍ଶକ୍ରମେ ହୋମ୍‌ ଆଇସୋଲେଶନରେ ରହିପାରିବେ। ବିଗତ ୪ ମାସ ମଧ୍ୟରେ ଅନେକ କର୍କଟ ରୋଗୀ କରୋନା ଭୟରେ ଚିକିତ୍ସା ବନ୍ଦ କରି ଦେଇଛନ୍ତି। ସେମାନେ କିନ୍ତୁ ଏଭଳି କରିବା ଅନୁଚିତ। ରାଜ୍ୟ ସରକାର ସବୁ ରୋଗୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ତେଣୁ କର୍କଟ ରୋଗୀ ଡାକ୍ତରଙ୍କ ପରାମର୍ଶକ୍ରମେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିପାରିବେ। ଚିକିତ୍ସା ବନ୍ଦ କଲେ ଅବସ୍ଥା ବିଗିଡ଼ିଯିବ ଓ ରୋଗ ତୃତୀୟ କିମ୍ବା ଚତୁର୍ଥ ସ୍ତରକୁ ଚାଲିଯିବ ବୋଲି ଡା. ସେନାପତି କହିଛନ୍ତି।

Share