ମାନେକା ଗାନ୍ଧୀ
ଭିଗନ୍ ଡାଏଟ୍ ବା ଶୁଦ୍ଧ ଶାକାହାର ଶରୀର ପାଇଁ ଉପକାରୀ। ଏହି ଖାଦ୍ୟ ଡାଇବେଟିସ ଓ ହୃଦ୍ରୋଗର ପ୍ରାବଲ୍ୟ କମ୍ କରିବା ସହ ଏଗୁଡ଼ିକୁ ଦୂର କରିଥାଏ ବୋଲି ସମସ୍ତେ ଜାଣନ୍ତିି। ଶୁଦ୍ଧ ଶାକାହାରରେ ଅଧିକ କାର୍ବୋହାଇଡ୍ରେଟସ ଥାଏ ଓ ଏହା ଡାଇବେଟିସ ରୋଗୀଙ୍କର ବ୍ଲଡ୍ ସୁଗାର ନିୟନ୍ତ୍ରଣ କରିବାରେ ପ୍ରାୟ ୨.୪ ପ୍ରତିଶତ ଅଧିକ ପ୍ରଭାବୀ ହୋଇଥାଏ। ଏହା ଶରୀରର ମୋଟ କୋଲେଷ୍ଟରଲ ସ୍ତର ହ୍ରାସ କରିବା ସହ କ୍ଷତିକାରକ କୋଲେଷ୍ଟରଲ (ଏଲ୍ଡିଏଲ୍) କମ୍ କରିଥାଏ। ତେବେ ଶୁଦ୍ଧ ଶାକାହାରର ଅନ୍ୟସବୁ ସ୍ବାସ୍ଥ୍ୟ ସମସ୍ୟା ଉପରେ କ’ଣ ପ୍ରଭାବ ରହିଛି ତାହା ଜାଣିବା ଦରକାର।
୨୦୧୫ରେ ସି.ଏମ୍.କ୍ଲିଣ୍ଟନଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣାରେ ୪୦ ଜଣ ଅଷ୍ଟେଓଆର୍ଥାଇଟିସ ରୋଗୀ ଖାଉଥିବା ସନ୍ତୁଳିତ ଓ ଉଦ୍ଭିଜ ଶୁଦ୍ଧ ଶାକାହାର କିମ୍ବା ସେମାନଙ୍କ ନିତିଦିନର ଅନ୍ୟ ସବୁ ଖାଦ୍ୟକୁ ନେଇ ୬ ସପ୍ତାହ ଯାଏ ଅନୁଧ୍ୟାନ କରାଯାଇଥିଲା। ନିୟମିତ ଅନ୍ୟସବୁ ଖାଦ୍ୟ ଗ୍ରହଣକାରୀଙ୍କ ତୁଳନାରେ ଶୁଦ୍ଧ ଶାକାହାର ଗ୍ରହଣ କରୁଥିବା ରୋଗୀମାନଙ୍କର ଲକ୍ଷଣ,ଶକ୍ତିସ୍ତର,ପ୍ରାଣଶକ୍ତି,ଶାରୀରିକ କାର୍ଯ୍ୟଦକ୍ଷତାରେ ଉନ୍ନତି ଲକ୍ଷ୍ୟ କରାଯାଇଥିଲା। ଯେହେତୁ ମୋର ୨୦ ବର୍ଷର ପୁରୁଣା ଆଣ୍ଠୁଗଣ୍ଠି ରୋଗ ରହିଛି,ସେଥିପାଇଁ ୧୯୯୭ରେ ବ୍ରିଟିଶ୍ ଜର୍ନାଲ ଅଫ୍ ର୍ୟୁମାଟୋଲୋଜିରେ ପ୍ରକାଶିତ ଆର. ପଲଟୋନେନ୍ ଏବଂ ତାଙ୍କ ସାଥୀମାନଙ୍କ ଦ୍ୱାରା କରାଯାଇଥିବା ଏହି ରୋଗର ଗବେଷଣା ସମ୍ପର୍କିତ ରିପୋର୍ଟ ଜାଣିବା ପାଇଁ ମୁଁ ଅଧିକ ଉତ୍ସାହୀ। ର୍ୟୁମାଟଏଡ ଆର୍ଥାଇଟିସ ପୀଡିତ ୪୩ ଜଣ ବ୍ୟକ୍ତିଙ୍କ ଉପରେ ଏହି ଗବେଷଣା କରାଯାଇଥିଲା। ଲାକ୍ଟୋବାସିଲି (ଏକ ପ୍ରକାର ଉପକାରୀ ବ୍ୟାକ୍ଟେରିଆ)ରେ ଭରପୂର କଞ୍ଚା ଶୁଦ୍ଧ ଶାକାହାର କିମ୍ବା ପ୍ରତିଦିନ ଖାଉଥିବା ଅନ୍ୟସବୁ ଖାଦ୍ୟ ଏମାନଙ୍କୁ ୧ ମାସ ପାଇଁ ଖାଇବାକୁ ଦିଆଯାଇଥିଲା। ଯେଉର୍ଁମାନେ ନିତିଦିନିଆ ଖାଦ୍ୟ ଖାଉଥିଲେ ସେମାନଙ୍କ ତୁଳନାରେ ଶୁଦ୍ଧ ଶାକାହାରୀ ଗ୍ରୁପର ଗଣ୍ଠିଫୁଲା, ଯନ୍ତ୍ରଣା ଓ ସକାଳର ଷ୍ଟିଫ୍ନେସ ହ୍ରାସ ପାଇବା ଦେଖାଯାଇଥିଲା। ସେମାନେ ଶୁଦ୍ଧ ଶାକାହାର ଛାଡ଼ି ଅନ୍ୟସବୁ ଖାଦ୍ୟ ଖାଇବା ଦ୍ୱାରା ସେମାନଙ୍କ ସମସ୍ୟା ପୁଣି ଅଧିକ ହୋଇଯାଇଥିଲା।
ପ୍ରାୟତଃ ପ୍ରତ୍ୟେକ ରୋଗ ପାଇଁ କଞ୍ଚା ଶୁଦ୍ଧ ଶାକାହାର ରାମବାଣ ଭଳି କାମ କରେ। କିନ୍ତୁ ଏହାକୁ ଖାଇବା ଭାରି କଷ୍ଟକର ବ୍ୟାପାର। ମୁଁ ଅନେକ ସପ୍ତାହ ଭାତ ତରକାରି ଖାଇବା ପରେ ତା’ଭିତରେ ମାତ୍ର ଦୁଇ ଦିନ ଗ୍ରୀନ୍ ଜୁସ ପିଇଥାଏ। ବିଭିନ୍ନ ପ୍ରକାର ସବୁଜ ପରିବା ଓ ଶାଗ ସହ କିଛି ନିମ୍ବ ଏବଂ ଧନିଆପତ୍ର, ଅଦା,ଟମାଟୋ, ହଳଦୀ, ସିଲେରି,ବିଟ୍ରୁଟ ଏବଂ ଏକ ଫଳକୁ ନେଇ ପ୍ରସ୍ତୁତ ଗ୍ରୀନ୍ ଜୁସ୍କୁ ଦିନକୁ ୪ ଥର ପିଇଥାଏ। ଏହା ମୋତେ ମୋତେ ସାଙ୍ଗେ ସାଙ୍ଗେ ସୁସ୍ଥତା ଲାଭ କରିବାରେ ସାହାଯ୍ୟ କରେ ଏବଂ ଓଜନ କମାଇଦିଏ। ତେବେ ପ୍ରତ୍ୟକଟି ଗବେଷଣା ସ୍ପଷ୍ଟ କରିଛି ଯେ ଶୁଦ୍ଧଶାକାହାରର ଶାରୀରିକ ପ୍ରଭାବ ଅନ୍ୟସବୁ ଖାଦ୍ୟ ତୁଳନାରେ ବହୁତ ଅଧିକ । ମୁଁ ବି କୋଭିଡ୍ ଲକ୍ଡାଉନ ସମୟରେ ଶୁଦ୍ଧଶାକାହାର ତିନିମାସ ଖାଇ ୧୧ କେ.ଜି ଓଜନ କମାଇପାରିଛି। ଏହି ସମୟରେ ମୁଁ କେବେ ବି ଭୋକ ଅନୁଭବ କରିନାହିଁ। ତେବେ ଏବେ ମୁଁ ଦିନକୁ ବେଳାଏ ଖାଉଛି ଏବଂ ଅଧିକ ତନ୍ତୁଜାତୀୟ ଖାଦ୍ୟ ଗ୍ରହଣ କରୁଥିତ୍ବାରୁ ତୃପ୍ତି ଅନୁଭବ କରୁଛି। ମାଂସଜାତୀୟ ଖାଦ୍ୟଠାରୁ ଭିଗନ୍ ଡାଏଟ୍ ଶରୀରରେ ଘେରଲିନ୍ (ଭୋକର କାରଣ ହେଉଥିବା ହର୍ମନ) ହ୍ରାସ କରିଥାଏ, ଯାହାଫଳରେ ଭୋକ ଲାଗେନାହିଁ।
ସ୍ମୃତିଶକ୍ତି ଉପରେ ଉଦ୍ଭିଜ ଖାଦ୍ୟର ପ୍ରଭାବ ସମ୍ପର୍କରେ ବୈଜ୍ଞାନିକ ମେଡାଓ୍ବାର, ହୁନ୍, ଭିଲ୍ରିଙ୍ଗର ଏବଂ ଓ୍ବିଟି ୩୨ଟି ଗବେଷଣାର ସମୀକ୍ଷା କରିଥିଲେ। ଟ୍ରାନ୍ସଲେଶନ ସାଇକିଆଟ୍ରି ଜର୍ନାଲରେ ଏହାର ରିପୋର୍ଟ ପ୍ରକାଶ ପାଇଥିଲା। ଗବେଷଣାରେ ଭାଗ ନେଇଥିବା ସୁସ୍ଥ ତଥା ମେଦବହୁଳତା ଏବଂ ଟାଇପ୍-୨ ଡାଇବେଟିସ ପୀଡିତଙ୍କ ଶରୀରର ଓଜନ, ଶକ୍ତି ଏବଂ ଶାରୀରିକ ପ୍ରଦାହ ଉପରେ ପାରମ୍ପରିକ ଖାଦ୍ୟ ତୁଳନାରେ ଉଦ୍ଭିଜ ଖାଦ୍ୟର ସକାରାମତ୍କ ପ୍ରଭାବ ଅଧିକ ରହିିଥିଲା। ନ୍ୟୁରୋଲୋଜିକାଲ କିମ୍ବା ସାଇକିଆଟ୍ରି ଏବଂ ମସ୍ତିଷ୍କ କାର୍ଯ୍ୟକାରିତା ଯଥା ମାଇଗ୍ରେନ, ମଲ୍ଟିପୁଲ ସ୍କେରୋସିସ୍, ଫାଇବ୍ରୋମାଲ୍ଜିୟା ଏବଂ ର୍ୟୁମାଟଏଡ୍ ଆର୍ଥାଇଟିସ୍ ପୀଡିତ ପ୍ରତ୍ୟେକ ଗ୍ରୁପଙ୍କ ଉପରେ ୬ଟି କ୍ଲିନିକାଲ୍ ଟ୍ରାଏଲ୍ରୁ ଶୁଦ୍ଧ ଶାକାହାରର ସାମାନ୍ୟରୁ ମଧ୍ୟମ ସକାରାମତ୍କ ପ୍ରଭାବ ରହିଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଥିଲା। ଏହି ଖାଦ୍ୟ ଓଜନ ହ୍ରାସ କରୁଥିବା ରିପୋର୍ଟରେ ଦର୍ଶାଯାଇଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି,ଉଦ୍ଭିଜ ଖାଦ୍ୟ ଗ୍ରହଣକାରୀଙ୍କଠାରେ ଶାରୀରିକ ପ୍ରଦାହ ଯଥେଷ୍ଟ ହ୍ରାସ ହୋଇଥିଲା । ଉଦ୍ଭିଜ ଖାଦ୍ୟରେ ରହିଥିବା ପ୍ରଚୁର ପ୍ରଦାହ ବିରୋଧୀ କଣିକା ଯୋଗୁ ଏହା ହୋଇଥାଏ। ପ୍ରଦାହ କମ୍ କରିବା ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ମେଦବହୁଳତା,କାର୍ଡିଓଭାସ୍କୁଲାର ଡିଜିଜ୍ ବଢାଇଥାଏ ଏବଂ ସ୍ମୃତିଶକ୍ତି ହ୍ରାସ ହେବାର ଅଧିକ ବିପଦ ରହିଥାଏ।
୨୦୦୯ରେ ଆମେରିକାନ ଜର୍ନାଲ ଅଫ୍ କ୍ଲିନିକାଲ ନ୍ୟୁଟ୍ରିଶନରେ ଶୁଦ୍ଧ ଶାକାହାରର ପ୍ରଭାବ ସମ୍ପର୍କରେ ଓ୍ବିନ୍ଷ୍ଟନ କ୍ରାଏଗଙ୍କ ଗବେଷଣା ସମ୍ବନ୍ଧିତ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, ଅଧିକ ରୋଗପ୍ରତିରୋଧକାରୀ ନ୍ୟୁଟ୍ରିଣ୍ଟ ଓ ଫାଇଟୋକେମିକାଲ୍ସ(ଶସ୍ୟରେ ଥିବା ରୋଗ ପ୍ରତିରୋଧକ ରାସାୟନିକ ତତ୍ତ୍ୱ) ଶୁଦ୍ଧ ଶାକାହାରରୁ ଶରୀରକୁ ଅଧିତ୍କ ମିଳିଥାଏ। ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ( ଡବ୍ଲ୍ୟୁଏଚ୍ଓ) ଏବଂ ଖାଦ୍ୟ ଓ କୃଷି ସଂଗଠନ (ଏଫ୍ଏଓ)ର ଏକ ରିପୋର୍ଟରେ ପ୍ରକାଶ ପାଇଛି ।
ଅଧିକ ଫଳ ଓ ଉଦ୍ଭିଜ ଖାଦ୍ୟ ଖାଇବା ଦ୍ୱାରା କ୍ୟାନ୍ସରର ସମ୍ଭାବ୍ୟ ବିପଦ ହ୍ରାସ ହୁଏ ବୋଲି ଏଥିରେ ଦର୍ଶାଯାଇଛି। କୁହାଯାଇଛି ଯେ,ହାର୍ଟ ଡିଜିଜ୍ ଏବଂ ଓଷ୍ଟେଓପୋରୋସିସ୍ ସମସ୍ୟାର ସମ୍ଭାବ୍ୟ ବିପଦ କମିଯାଏ ବୋଲି । ଆଡ୍ଭେଣ୍ଟିଷ୍ଟ୍ ହେଲ୍ଥ ଷ୍ଟଡିରୁ ଜଣାପଡିଛି ଯେ, ଶାକାହାରୀଙ୍କ ତୁଳନାରେ ମାଂସାହାରୀମାନଙ୍କୁ କୋଲୋରେକ୍ଟାଲ ଏବଂ ପୋଷ୍ଟ୍ରେଟ କ୍ୟାନ୍ସର ହେବାର ଅଧିକ ବିପଦ ରହିଥାଏ। ଏକ ଶାକାହାରୀ ଖାଦ୍ୟରେ ଥିବା ତତ୍ତ୍ୱ ଶରୀରକୁ ବିଭିନ୍ନ ପ୍ରକାର କ୍ୟାନ୍ସରରୁ ରକ୍ଷା କରିଥାଏ। ମେଦ ବହୁଳତା କ୍ୟାନ୍ସର ବୃଦ୍ଧି କରିବାର ଅନ୍ୟ ଏକ ପ୍ରମୁଖ କାରଣ। ମାଂସାହାରୀଙ୍କ ଠାରୁ ଶୁଦ୍ଧ ଶାକାହାରୀମାନଙ୍କର ବିଏମ୍ଆଇ କମ୍ ରହେ ଓ ଏହା କ୍ୟାନ୍ସର ବିପଦ କମ୍ କରିଥାଏ। ଫୁସ୍ଫୁସ୍,ମୁଖ,ଖାଦ୍ୟନଳୀ ଓ ପାକସ୍ଥଳୀ କ୍ୟାନ୍ସର ପ୍ରତିରୋଧୀ ଭାବେ ଫଳ ଓ ପରିବାକୁ ଦର୍ଶାଯାଇଛି। ନିୟମିତ ଡାଲି ଖାଇଲେ ତାହା ପାକସ୍ଥଳୀ ଓ ପୋଷ୍ଟ୍ରେଟ କ୍ୟାନ୍ସରର ଏକ ମୁଖ୍ୟ ପ୍ରତିରୋଧୀ ତତ୍ତ୍ୱ ଶରୀରକୁ ଯୋଗାଇଥାଏ। ଏହା ସହ ଫାଇବର୍, ଭିଟାମିନ ସି’,କ୍ୟାରୋଟିନୋଏଡ, ଫ୍ଲାବୋନୋଏଡ ଏବଂ ଅନ୍ୟ ଫାଇଟୋକେମିକାଲ୍ସ ରହିଥିବା ଖାଦ୍ୟଗୁଡ଼ିକ ମଧ୍ୟ କ୍ୟାନ୍ସର ରକ୍ଷାକାରୀ ତତ୍ତ୍ୱରେ ଭରପୂର। ପିଆଜ ପାକସ୍ଥଳୀ କ୍ୟାନ୍ସର ଏବଂ ରସୁଣ କୋଲୋରେକ୍ଟାଲ କ୍ୟାନ୍ସର ବିରୋଧୀ ତତ୍ତ୍ୱ ଶରୀରକୁ ଯୋଗାଇଦିଏ। ଟମାଟୋରେ ଥିବା ଲିକୋପିନ୍ ମଧ୍ୟ ପୋଷ୍ଟ୍ରେଟ କ୍ୟାନ୍ସରରୁ ରକ୍ଷା କରେ। ଗବେଷଣାମତ୍କ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ଡାଲିଜାତୀୟ ଖାଦ୍ୟ ଖାଇଲେ ପ୍ରୋଷ୍ଟେଟ୍ କ୍ୟାନସର ବିପଦ କମିଯାଏ। ପିଲାବେଳେ ସୋୟାରୁ ପ୍ରସ୍ତୁତ ଖାଦ୍ୟ ଖାଇଲେ ସେଥିରେ ଥିବା ଇସୋଫ୍ଲାବୋନ ତତ୍ତ୍ୱ ସେମାନଙ୍କୁ ପରବର୍ତ୍ତୀ ସମୟରେ ବ୍ରେଷ୍ଟ୍ କ୍ୟାନ୍ସରରୁ ରକ୍ଷା କରିଥାଏ। ସେହିପରି ପିଲାଦିନେ ଦୁଗ୍ଧଜାତୀୟ ଖାଦ୍ୟ ଖାଉଥିତ୍ବା ଲୋକମାନଙ୍କୁ ବୟସ୍କବେଳେ କୋଲୋରେକ୍ଟାଲ କ୍ୟାନ୍ସର ହେବାର ଆଶଙ୍କା ବହୁତ କମ୍ ରହିଥାଏ। ଶାକାହାରୀମାନେ ସୋୟା ମିଲ୍କ ଖାଇବା ଯୋଗୁ ତାହା ପ୍ରୋଷ୍ଟେଟ୍ କ୍ୟାନସର ପ୍ରତିରୋଧୀ ଭାବେ କାର୍ଯ୍ୟ କରେ ବୋଲି ଆଡଭେଣ୍ଟିଷ୍ଟ୍ ହେଲ୍ଥ ଷ୍ଟଡିରୁ ଜଣାପଡିଛି।
ସୁସ୍ଥ ଅସ୍ଥି ଲାଗି ଲୋଡା ପ୍ରୋଟିନ ଓ କ୍ୟାଲସିୟମ୍, ଭିଟାମିନ୍ ଡି’,ଭିଟାମିନ୍ କେ’, ପଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ । ଏଗୁଡ଼ିକ ସୋୟା, ବିଭିନ୍ନ ପ୍ରକାର ଫଳ ଓ ପରିବାରୁ ଶରୀରକୁ ମିଳିଥାଏ। ଶୁଦ୍ଧ ଶାକାହାର ଶରୀରକୁ ଏହିସବୁ ତତ୍ତ୍ୱ ଯୋଗାଇ ଦେଇଥାଏ। ମଧ୍ୟବୟସ୍କ ମହିଳାମାନେ ଭିଟାମିନ୍ କେ’ ଓ ସବୁଜ ପତ୍ର ଜାତୀୟ ପରିବା ଅଧିକ ଖାଇବା ଯୋଗୁ ସେମାନଙ୍କର ଅଣ୍ଟା ଭାଙ୍ଗିଯିବାର ବିପଦ ୪୫% କମ୍ ରହେ ବୋଲି ନର୍ସେସ୍ ହେଲ୍ଥ ଷ୍ଟଡିରୁ ଜଣାପଡିଛି। ସବୁଜ ପତ୍ର ଜାତୀୟ ପରିବା ଖୁବ୍ କମ୍ ଖାଉଥିବା ବରିଷ୍ଠ ପୁରୁଷ ଓ ମହିଳାଙ୍କ ତୁଳନାରେ ଏହି ଖାଦ୍ୟ ଅଧିକ ଗ୍ରହଣ କରୁଥିବା ଏହି ବୟସର ବ୍ୟକ୍ତିମାନଙ୍କଠାରେ ଅଣ୍ଟା ଭାଙ୍ଗିଯିବାର ବିପଦ ୬୫% କମ୍ ରହିଥିବା ଫ୍ରାମିଙ୍ଗହାମ ହାର୍ଟ ଷ୍ଟଡିରୁ ସ୍ପଷ୍ଟ ହୋଇଛି।
ଫଳ ଓ ପରିବାରେ ଥିବା ଫାଇଟୋକେମିକାଲ୍ସ ଓ ଭିଟାମିନ ସି’ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି କେତେକ ନିର୍ଦ୍ଦିଷ୍ଟ ପ୍ରକାର କ୍ୟାନ୍ସରରୁ ରକ୍ଷା କରିଥାନ୍ତି। ଅନେକଗୁଡ଼ିଏ ଅନୁଧ୍ୟାନର ଶେଷ ସିଦ୍ଧାନ୍ତ ଯେ,ଉଦ୍ଭିଜ ଖାଦ୍ୟର ହୃଦ୍ରୋଗ, କ୍ୟାନ୍ସର,ଅତ୍ୟଧିକ ଓଜନ, ଶାରୀରିକ ଗଠନ, ଶର୍କରା ଶହନଶୀଳତା, ହଜମ ଏବଂ ମାନସିକ ସ୍ବାସ୍ଥ୍ୟ ଜନିତ ସମସ୍ୟାଗୁଡ଼ିକ ଉପରେ ସକାରାମତ୍କ ପ୍ରଭାବ ରହିଛି । ତେବେ ଶୁଦ୍ଧ ଶାକାହାରୀ ହୋଇ ତୁମ ପାଖରେ ଥିବା ଏକ ମୂଲ୍ୟବାନ ଶରୀରର ଯନତ୍ ନ ନେବ କାହିଁକି।
Email: gandhim@nic.in