‘କ୍ୟାନ୍‌ସର ସର୍ଜରି ଏକ ଜଟିଳ ପ୍ରଣାଳୀ’

କଟକ,୨୨ା୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା କଟକ ତେଲଙ୍ଗାପେଣ୍ଠସ୍ଥିତ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ ପକ୍ଷରୁ ନିକଟରେ ଏକ କ୍ୟାନ୍‌ସର ସର୍ଜରି କର୍ମଶାଳା ଆୟୋଜିତ ହୋଇଯାଇଛି। ବିଶେଷକରି ଲାପାରୋସ୍କୋପିକ୍‌ କଲୋରେକ୍ଟାଲ୍‌ କର୍କଟ ଶଲ୍ୟ ଚିକିତ୍ସା ପ୍ରଣାଳୀ ଉପରେ ଏକ ଲାଇଭ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି କଲୋରେକ୍ଟାଲ୍‌ କ୍ୟାନ୍‌ସରର ବହୁମୁଖୀ ପରିଚାଳନା ସହ ସର୍ଜନମାନଙ୍କୁ ନବୀକରଣ କରିବାକୁ ପଡ଼ିବ ବୋଲି କର୍ମଶାଳାର ମୂଳ ଲକ୍ଷ୍ୟ ରହିଥିଲା। ଉକ୍ତ କର୍ମଶାଳାରେ ଦେଶର ପ୍ରତିଷ୍ଠିତ ମେଡିକାଲର ବରିଷ୍ଠ ସର୍ଜନମାନଙ୍କ ଉପସ୍ଥିତରେ ସର୍ବଭାରତୀୟସ୍ତରର ଶଲ୍ୟ ଚିକିତ୍ସକମାନକୁ ଉକ୍ତ ପ୍ରଣାଳୀର ସିଧା ପ୍ରସାରଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଏମ୍ସ, ଯୋଧପୁରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଏମ୍ସ, ଦରଭଙ୍ଗାର ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ, ନିର୍ଦ୍ଦେଶକ ଏଏଚ୍‌ଆର୍‌ସିସି ଏବଂ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲର ମେଡିକାଲ ଡାଇରେକ୍ଟର କୃପାସିନ୍ଧୁ ପଣ୍ଡା ଉଦ୍‌ଘାଟନ କରିଥିଲେ।
ଏ ସମ୍ପର୍କରେ ଡା. ପଣ୍ଡା କହିଛନ୍ତି, ଲାପାରୋସ୍କୋପିକ୍‌ କ୍ୟାନ୍‌ସର ସର୍ଜରି ଏକ ଜଟିଳ ପ୍ରଣାଳୀ, ଯାହା ରୋଗୀର ଶରୀରରେ କ୍ଷତକୁ କମ୍‌ କରିଥାଏ। ଏହି ମିନିମଲ ଇନଭାସିବ ଅସ୍ତ୍ରୋପଚାର ମଧ୍ୟ ଅପରେଶନ ପରବର୍ତ୍ତୀ ଯନ୍ତ୍ରଣାକୁ ହ୍ରାସ କରିଥାଏ। ଏପରିକି ରୋଗୀକୁ ଶୀଘ୍ର ଉପଶମ ପ୍ରଦାନ କରିଥାଏ। ଅପରପକ୍ଷରେ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲର ମୁଖ୍ୟ ପରିଚାଳନା ଅଧିକାରୀ ଶାନ୍ତନୁ କୁମାର ଦାସ କହିଛନ୍ତି, ଉକ୍ତ କର୍ମଶାଳା ପ୍ରକୃତରେ କଲୋରେକ୍ଟାଲ୍‌ କର୍କଟ ସର୍ଜରି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। କର୍ମଶାଳାର ୨ୟ ଅଧିବେଶନରେ ଡା. କୃପାସିନ୍ଧୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଇଣ୍ଡିଆନ୍‌ ଆସୋସିଏସନ ଅଫ୍‌ ସର୍ଜିକାଲ ଅଙ୍କୋଲୋଜିର ସଭାପତି ଡା. ପ୍ରଫୁଲ୍ଲ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଯାପନ କରିଥିଲେ।