ଫୁଲବାଣୀ ଅଫିସ, ୧୪ା୩: କନ୍ଧମାଳ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ କିଏ ହାତେଇବେ ଏହାକୁ ନେଇ ଆଲୋଚନା ଜୋର ଧରିଥିଲା। ଶେଷରେ ବାଲିଗଡ଼ା ୧୫ ନମ୍ବର ଜୋନ ବିଜେଡି ପ୍ରାର୍ଥୀ ନନ୍ଦିନୀ ମଳିକ ଏହି ପଦବୀ ହାତେଇବାରେ ସକ୍ଷମ ହୋଇଛନ୍ତି। ଆଗରୁ ଏହି ପଦବୀ ଲାଗି ଦାବିଦାର କୁହାଯାଉଥିବା ଜୟଶ୍ରୀ କହଁରଙ୍କୁ ନିରାଶ ହେବାକୁ ପଡିଛି। ଜୟଶ୍ରୀ ଚଳିତ ନିର୍ବାଚନରେ ଦ୍ୱିତୀୟ ଥର ଲାଗି ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଥିଲେ।
ଜିଲା ପଞ୍ଚାୟତ ଭବନଠାରେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ଲାଗି ନିର୍ବାଚନ ହୋଇଥିଲା । ଜିଲାର ମୋଟ ୧୮ ଜିଲା ପରିଷଦ ଜୋନରେ ବିଜେଡି ୧୩ଟି ଜୋନ ଅକ୍ତିଆର କରିଥିଲା। ତେଣୁ ବିଜେଡି ଜିଲା ପରିଷଦ ଗଠନ କରିବା ସ୍ପଷ୍ଟ ହୋଇଥିଲା। ବିଜେଡି ପକ୍ଷରୁ ନନ୍ଦିନୀ ମଳିକ, କଂଗ୍ରେସ ପକ୍ଷରୁ ଦୀପିକା ମାଝି ଜିଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ନାମାଙ୍କନପତ୍ର ଦାଖଲ କରିଥିଲେ।
ନନ୍ଦିନୀଙ୍କୁ ୧୩ଟି ଭୋଟ ମିଳିଥିବା ବେଳେ ଦୀପିକା ୪ଟି ଭୋଟ ପାଇଥିଲେ । ଗୋଟିଏ ନାକଚ ହୋଇଥିଲା । ଶେଷରେ ନନ୍ଦିନୀ ଏହି ପଦବୀ ଲାଗି ନିର୍ବାଚିତ ହୋଇଥିଲେ । ନନ୍ଦିନୀଙ୍କ ଘର ବାଲିଗୁଡା ବ୍ଲକ ରେବିଙ୍ଗିଆରେ । ପୂର୍ବରୁ ସେ ସମିତି ସଭ୍ୟା, ସରପଞ୍ଚ ଏବଂ ବାଲିଗୁଡା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ସୂଚନାଯୋଗ୍ୟ, ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ବିଜେଡି ୧୮ଟି ଜୋନରୁ ୧୩ଟି ସିଟ ନିଜ ସପକ୍ଷରେ ନେଇଥିବା ବେଳେ କଂଗ୍ରେସ ୩ଟି ଏବଂ ଭାଜପା ୨ଟି ଜୋନରେ ନିର୍ବାଚନ ଜିତିଥିଲା ।