ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌

ଖୋର୍ଦ୍ଧା ଅଫିସ/ ବାଲୁଗାଁ/ଜଟଣୀ,୨୫ା୩ (ଡି.ଏନ୍‌.ଏ.)ଖୋର୍ଦ୍ଧା ଜିଲାରେ ଗୁରୁବାର ଖୋର୍ଦ୍ଧା, ଜଟଣୀ ପୌରାଞ୍ଚଳ ସମେତ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଭୋଟଗ୍ରହଣ କରାଯାଇଛି। କାଁ ଭାଁ  ଉତ୍ତେଜନାକୁ ବାଦ୍‌ ଦେଲେ ମତଦାନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ଖୋର୍ଦ୍ଧା ପୌରାଞ୍ଚଳରେ ପୌରାଧ୍ୟକ୍ଷା ପଦ ପାଇଁ ୩ଜଣ ପ୍ରାର୍ଥୀ ରହିଥିବା ବେଳେ ୨୨ଟି ଓ୍ବାର୍ଡରେ କାଉନସିଲର ପଦ ପାଇଁ ୬୭ଜଣ ପ୍ରାର୍ଥୀ ରହିଛନ୍ତି। ସେହିପରି ଜଟଣୀ ପୌରାଞ୍ଚଳରେ ୬ ପୌରାଧ୍ୟକ୍ଷା ଏବଂ ୮୬ କାଉନସିଲର ପ୍ରାର୍ଥୀ, ବାଲୁଗଁା ଏନ୍‌ଏସି ୬ ଅଧ୍ୟକ୍ଷା ଏବଂ ୨୫ଜଣ କାଉନସିଲର ପ୍ରାର୍ଥୀ ଏବଂ ବାଣପୁର ଏନ୍‌ଏସିରେ ୬ ଅଧ୍ୟକ୍ଷ ଏବଂ ୩୨ଜଣ କାଉନସିଲର ପ୍ରାର୍ଥୀ ରହିଛନ୍ତି। ୨୧ ପୌରାଧ୍ୟକ୍ଷ ଓ ୨୧୦ କାଉନ୍‌ସିଲର ମୋଟ ୨୩୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଛି।
ଖୋର୍ଦ୍ଧା ପୌରାଞ୍ଚଳର ୨୨ କାଉନସିଲର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ୪୪ଟି ବୁଥ୍‌ରେ ମତଦାନ ଅନୁଷ୍ଠିତ ହୋଇଥିଲା। ୩୭,୫୧୪ ଭୋଟରଙ୍କ ମଧ୍ୟରୁ ୨୫,୩୧୧ଜଣ ଭୋଟର ନିଜ ମତ ସାବ୍ୟସ୍ତ କରିଥିଲେ। ସେଥିରୁ ପୁରୁଷ ୧୩,୩୪୦ ଓ ମହିଳା ୧୧,୯୭୧ ଭୋଟର ରହିଛନ୍ତି। ମତଦାନ ହାର ୬୭.୪୨ ପ୍ରତିଶତ ରହିଛି। ସେହିପରି ଜଟଣୀ ପୌରାଞ୍ଚଳରେ ୨୩ କାଉନସିଲର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ୫୪ଟି କେନ୍ଦ୍ରରେ ମତଦାନ ହୋଇଥିଲା। ୪୫,୮୭୫ ଭୋଟରଙ୍କ ମଧ୍ୟରୁ ୨୬,୦୯୦ ଭୋଟର ମତଦାନ କରିଥିଲେ। ସେଥିରୁ ପୁରୁଷ ୧୩,୬୩୬ ଓ ମହିଳା ୧୨,୪୫୪ ଜଣ ରହିଛନ୍ତି। ମତଦାନ ହାର ୫୬.୮୭ ପ୍ରତିଶତ ରହିଛି। ବାଲୁଗାଁ ଏନ୍‌ଏସିରେ ୧୧ କାଉନସିଲର ଓ ଅଧ୍ୟକ୍ଷା ପଦ ପାଇଁ ୧୬ଟି ବୁଥ୍‌ରେ ମତଦାନ ହୋଇଥିଲା। ସେଥିରୁ ଗୋଟିଏ ପିଙ୍କ୍‌ ବୁଥ୍‌ ରହିଥିଲା। ୧୨,୯୧୩ ଭୋଟରଙ୍କ ମଧ୍ୟରୁ ସେଥିରୁ ୯,୬୦୩ଜଣ ମତଦାନ ସାବ୍ୟସ୍ତ କରିଛନ୍ତି। ସେଥିରୁ ପୁରୁଷ ୫୧୫୫ ଓ ମହିଳା ୪୪୪୭ ଏବଂ ଜଣେ ତୃତୀୟ ଲିଙ୍ଗୀ ମତଦାନ ସାବ୍ୟସ୍ତ କରିଛନ୍ତି। ମତଦାନ ହାର ୭୪.୩୭ ପ୍ରତିଶତ ରହିଛି। ବାଣପୁର ଏନ୍‌ଏସି ୧୫ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ୧୭ଟି କେନ୍ଦ୍ରରେ ମତଦାନ ହୋଇଥିଲା। ୧୩,୨୨୫ଙ୍କ ଭୋଟରଙ୍କ ମଧ୍ୟରୁ ୯,୬୫୨ଜଣ ମତଦାନ ସାବ୍ୟସ୍ତ କରିଛନ୍ତି। ସେଥିରୁ ପୁରୁଷ ୪୭୫୩ ଏବଂ ମହିଳା୪୮୯୯ ଭୋଟର ରହିଛନ୍ତି। ମତଦାନ ହାର ୭୨.୯୮ପ୍ରତିଶତ ରହିଛି। ଏନେଇ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କୁହନ୍ତି, ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଆସନ୍ତା ୨୬ତାରିଖରେ ଭୋଟ ଗଣତି କରାଯିବ। ଷ୍ଟ୍ରଙ୍ଗରୁମ କରାଯାଇଛି, ଉକ୍ତ ସ୍ଥାନରେ ଭୋଟ ଗଣନା କରାଯିବ। ସକାଳ ୮ଟାରୁ ଭୋଟ୍‌ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ଅଧ୍ୟକ୍ଷ ଓ କାଉନସିଲର ନିମନ୍ତେ ଭୋଟ ଗଣନା କରାଯିବ। ପ୍ରତ୍ୟେକ ପାଇଁ ଦୁଇଟି ଲେଖାଏ ଟେବୁଲ ରହିବ। ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ ରହିବେ। ଷ୍ଟ୍ରଙ୍ଗରୁମରୁ କାଉଣ୍ଟିଂ ହଲକୁ ଇଭିଏମ ଆଣିବା ପାଇଁ ନୋଡାଲ ଅଫିସର ଏବଂ ଏସ୍‌କଟ୍‌ ଅଧିକାରୀ ନିଯୁକ୍ତ ହେବେ।

Share