ବ୍ରଜରାଜନଗର ଉପନିର୍ବାଚନ: ଫଳାଫଳ ନେଇ ପ୍ରାର୍ଥୀଙ୍କ ଉତ୍କଣ୍ଠା

ଝାରସୁଗୁଡ଼ା ଅଫିସ,୩ା୬: ବ୍ରଜରାଜନଗର ଉପନିର୍ବାଚନ ଶେଷ ହୋଇଥିବାବେଳେ ଫଳାଫଳକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ହାତୀ କାହା ମୁଣ୍ଡରେ ସୁନାକଳସ ଢାଳିବ ତାହା ଜାଣିବା ପାଇଁ ଆଉ ମାତ୍ର କେଇଘଣ୍ଟାର ଅପେକ୍ଷା। ଶୁକ୍ରବାର ସକାଳ ୮ଟାରୁ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ୍‌ ପରିସରରେ ଭୋଟ୍‌ ଗଣତି ଆରମ୍ଭ ହେବ ଏବଂ ଅପରାହ୍ନରେ ଫଳାଫଳ ଘୋଷଣା ହେବ। ଫଳାଫଳକୁ ନେଇ ରାଜନୈତିକ ସମୀକ୍ଷକ ଓ ଦଳୀୟ ନେତୃବୃନ୍ଦଙ୍କ ମଧ୍ୟରେ ଅଙ୍କକଷା ଚାଲିଛି। କିଏ ବିଜେଡି ତ ଆଉ କିଏ ଭାଜପା ଓ କଂଗ୍ରେସ ସପକ୍ଷରେ ମତ ଦେଉଛନ୍ତି। ବିଜେଡି ନେତୃବୃନ୍ଦ ୫୦ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଦଳୀୟ ପ୍ରାର୍ଥୀ ବିଜୟୀ ହେବେ ବୋଲି କହୁଛନ୍ତି। ହେଲେ ବିରୋଧୀ ଏହାକୁ ସହଜରେ ଗ୍ରହଣ ନ କରି ସେମାନେ ବିଜୟୀ ହେବା ଆଶା ରଖିଥିବା କହୁଛନ୍ତି। ପ୍ରତିଦ୍ୱନ୍ଦିତାରେ ବିଜେଡିର ପୂର୍ବତନ ବିଧାୟକ ସ୍ବର୍ଗତ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି, ଭାଜପାର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, କଂଗ୍ରେସର ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ, ସିପିଆଇର ରମେଶ ତ୍ରିପାଠୀଙ୍କ ସମେତ ସମୁଦାୟ ୧୧ଜଣ ପ୍ରାର୍ଥୀ ରହିଛନ୍ତି। ଏଥିରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ନ ହେଲେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ହାରଜିତକୁ ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଏଠାରେ ଆଲୋଚନା ହେଉଛି।

Share