ଆଡ୍‌ମିଟ୍‌ କାର୍ଡ ଆସିବାରେ ବିଳମ୍ବ ହେବାରୁ ଦେଇପାରିଲେନି ପରୀକ୍ଷା

ଚନ୍ଦାହାଣ୍ଡି, ୧୭।୧୨(ଡି.ଏନ୍‌.ଏ): ରାତି ପାହିଲେ ପରୀକ୍ଷା। ୪୦୦ କି.ମି. ଦୂରରେ ପରୀକ୍ଷା କେନ୍ଦ୍ର। ଗମନାଗମନର ସୁବିଧା ମଧ୍ୟ ନ ଥିଲା। ତେଣୁ ଜଣେ ଦିବ୍ୟାଙ୍ଗ ମହିଳା ସିଟିଇଟି ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ଏଭଳଳି ଘଟଣା ନବରଙ୍ଗପୁର ଜିଲାରେ ଘଟିଛି। ଶିକ୍ଷା ବିଭାଗର ଅବହେଳା ପାଇଁ ପରୀକ୍ଷା ଦେଇପାରିଲି ନାହିଁ ବୋଲି ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଦିବ୍ୟାଙ୍ଗ ଇନ୍ଦୁରେଖା ମେହେର ଅଭିଯୋଗ କରିଛନ୍ତି।

ସିଟିଇଟି ପରୀକ୍ଷା ପାଇଁ ୧୯ ଅକ୍ଟୋବରରେ ଇନ୍ଦୁରେଖା ଅନ୍‌ଲାଇନ ଫର୍ମ ପୂରଣ କରିଥିଲେ। ୧୫ ତାରିଖ ସନ୍ଧ୍ୟା ୫.୫୮ରେ ସିଟିଇଟି ପରୀକ୍ଷାର ଆଡମିଟ କାର୍ଡ ଡାଉନ୍‌ଲୋଡ୍‌ କରିବା ପାଇଁ ଇନ୍ଦୁରେଖାଙ୍କ ସ୍ବାମୀଙ୍କ ମୋବାଇଲକୁ ମେସେଜ ଆସିଥିଲା। ସେ ୧୬ ତାରିଖ ସକାଳେ ଆଡମିଟ କାର୍ଡ ଡାଉନ୍‌ଲୋଡ୍‌ କରିଥିଲେ। ସକାଳ ୯ଟା ୩୦ରେ ସମ୍ବଲପୁରରେ ଇନ୍ଦୁରେଖାଙ୍କ ପରୀକ୍ଷା ସେଣ୍ଟର ପଡିଥିବା ଜାଣିବାକୁ ପାଇଥିଲେ। ଚନ୍ଦାହାଣ୍ଡି ଠାରୁ ଉକ୍ତ ପରୀକ୍ଷା କେନ୍ଦ୍ର ଦୂରତା ପ୍ରାୟ ୪୦୦ କିଲୋମିଟରରୁ ଊର୍ଦ୍ଧ୍ୱ ହେବ। ଚନ୍ଦାହାଣ୍ଡି ଏକ ଉପାନ୍ତ ଅଞ୍ଚଳ ଏବଂ ଏଠାରୁ ବସ୍‌, ଟ୍ରେନ କିମ୍ବା ଆନୁଷଙ୍ଗିକ ଗମନାଗମନ ସୁବିଧା ନାହିଁ I ବିଭାଗୀୟ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବରେ ଅତି କମ୍‌ ସମୟ ପୂର୍ବରୁ ସୂଚନା ଦେବା ହେତୁ ସିଟିଇଟି ପରୀକ୍ଷା ଦେବାରୁ ବଞ୍ଚତ୍ତ ହେଲେ ବୋଲି ଇନ୍ଦୁରେଖା କହିଛନ୍ତି। ଏଥିପାଇଁ କର୍ତ୍ତୃପକ୍ଷ ଓ ବିଭାଗୀୟ ମନ୍ତ୍ରୀ ଦାୟୀ। ପୁଣି ଥରେ ପରୀକ୍ଷା ସୁଯୋଗ ଦେବା ପାଇଁ ସେ ଅନୁରୋଧ କରିଛନ୍ତି। ନଚେତ୍‌ ଆଇନର ଆଶ୍ରୟ ନେବେ ବୋଲି ସେ କହିଛନ୍ତି I

Share