ନୂଆଦିଲ୍ଲୀ, ୨୮ା୨ : ମାଇକ୍ରୋବ୍ଲଗିଂ ପ୍ଲାଟ୍ଫର୍ମ ଟୁଇଟର୍ରେ ଏବେ ନମ୍ବର ଓ୍ବାନ ଟ୍ରେଣ୍ଡ ପାଲଟିଛି ହାଶଟ୍ୟାଗ୍ ମୋଦି ଜବ୍ ଦୋ, ହାଶଟ୍ୟାଗ୍ ମୋଦି ରୋଜଗାର ଦୋ। ୫୦ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ତଥା ଚାକିରି ଆଶାୟୀ ଏହି ହାଶଟ୍ୟାଗ୍ ବ୍ୟବହାର କରି ଟୁଇଟ କରିଲେଣି। ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ଭାଜପା ସରକାର ନିଜ କଥା ରଖିବାକୁ ଭୁଲିଯାଇଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଚାକିରି ଅପେକ୍ଷାରେ ଥିବା ଛାତ୍ରୀଛାତ୍ର ଏହି ହାଶଟ୍ୟାଗ୍ର ବହୁଳ ବ୍ୟବହାର କରି ସୋସିଆଲ ମିଡିଆରେ ଏକ ପ୍ରକାର ଆନ୍ଦୋଳନକୁ ଓହ୍ଳାଇଛନ୍ତି। ମାତ୍ର କିଛି ଦିନରେ ଏହା ଗ୍ଲୋବାଲ ଟୁଇଟର ଟ୍ରେଣ୍ଡ୍ ପାଲଟିଛି।
ଟୁଇଟରରେ ‘ହାଶଟ୍ୟାଗ୍ ମୋଦି ରୋଜଗାର ଦୋ’ ଟ୍ରେଣ୍ଡ ଚଳିତ ସପ୍ତାହରେ ବହୁଳ ମାତ୍ରାରେ ବ୍ୟବହାର କରାଯାଇଛି। ଏବେ ସୁଦ୍ଧା ୫୦ ଲକ୍ଷରୁ ଅଧିକ ରୋଜଗାର ଆଶାୟୀ ଏହି ହାଶଟ୍ୟାଗ୍ ବ୍ୟବହାର କରି ସରକାରଙ୍କୁ ଚାକିରି ମାଗୁଛନ୍ତି। ଷ୍ଟାଫ୍ ସିଲେକ୍ସନ କମିଶନ(ଏସ୍ଏସ୍ସି) ପକ୍ଷରୁ କମ୍ବାଇନ୍ଡ୍ ଗ୍ରାଜୁଏଟ ଲେଭଲ(ସିଜିଏଲ୍) ପରୀକ୍ଷା ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଯୋଗୁ ଅନେକ ଛାତ୍ରୀଛାତ୍ର ବଞ୍ଚିତ ହେଉଥିବା ଅଭିଯୋଗ କରି ସେମାନେ ଏଥିରେ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି। ଏହାସହ ଅଧିକ ସଂଖ୍ୟାରେ ସରକାରୀ ପଦବୀରେ ଚାକିରି ମାଗିବା ଏବଂ ସରକାରୀ ସଂସ୍ଥା ଗୁଡ଼ିକର ଘରୋଇକରଣ ବନ୍ଦ କରିବା ପାଇଁ ଜୋର୍ଦାର ଦାବି ଉଠିଛି।
ବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଛାତ୍ରୀଛାତ୍ର ସରକାରୀ ଚାକିରି ପାଇଁ ଏସ୍ଏସ୍ସି ମାଧ୍ୟମରେ ପରୀକ୍ଷା ଦେବାକୁ ଆବେଦନ କରିଥାନ୍ତି। ଏହି କ୍ରମରେ ଏସ୍ଏସ୍ସି ସିଜିଏଲ ୨୦୧୯ର ଟାୟାର-୨ ପରୀକ୍ଷା ୩ଟି ଶିଫ୍ଟରେ ନଭେମ୍ବର ୨୦୨୦ରେ ଅନୁଷ୍ଠିତ ହୋଇଥିଲା। ୨୦୨୧ ଫେବୃୟାରୀ ୧୯ରେ ଏହାର ଫଳାଫଳ ବାହାରିଥିଲା। ଏଥିରେ ଅନିୟମିତତା କରାଯାଇଥିବା ନେଇ ଛାତ୍ରୀଛାତ୍ରମାନେ ଅଭିଯୋଗ ଉଠାଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏକାଧିକ ଶିଫ୍ଟରେ ଅଲଗା ଅଲଗା ଦିନରେ ଏହି ପରୀକ୍ଷା କରାଯାଇଥିଲା। ପ୍ରଥମ ଓ ଦ୍ୱିତୀୟ ଦିନ ଅପେକ୍ଷା କଷ୍ଟକର ପ୍ରଶ୍ନ ଆସୁଥିବା କୁହାଯାଇ ଶେଷ ସିଫ୍ଟରେ ପରୀକ୍ଷା ଦେଇଥିବା ପିଲାଙ୍କ ମାର୍କ ପୂର୍ବ ସିଫ୍ଟ ପିଲାଙ୍କ ମାର୍କଠାରୁ ବହୁତ କମ୍ ପ୍ରତିଶତ ଥିଲେ ବି ସେମାନଙ୍କୁ ଚୟନ କରାଯାଇଛି। ଏଭଳି ବ୍ୟବସ୍ଥାରେ ସୁଧାର ଆଣିବା, ଅଧିକ ସଂଖ୍ୟାରେ ସରକାରୀ ଚାକିରି ଉପଲବ୍ଧ କରାଇବା ଆଦି ଦାବିରେ ଉକ୍ତ ହାଶଟ୍ୟାଗ୍ ଟ୍ରେଣ୍ଡ କରୁଛି। ଏହାବାଦ୍ ପୂର୍ବରୁ ଏସ୍ଏସ୍ସି ପରୀକ୍ଷା ଦେଇଥିବା ଅନେକ ପରୀକ୍ଷାର୍ଥୀ ଫଳାଫଳକୁ ଅପେକ୍ଷା କରି ରହିଛନ୍ତି।
ଭାରତରେ ବେରୋଜଗାରି
ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମ୍ଆଇଇ)ର ରିପୋର୍ଟ ମୁତାବକ ଜାନୁୟାରୀ ୨୦୨୧ରେ ଦେଶରେ ବେକାର ଯୁବତୀଯୁବକଙ୍କ ସଂଖ୍ୟା ପ୍ରାୟ ୪ କୋଟି ରହିଛି। ମହାମାରୀ ପୂର୍ବରୁ ବେରୋଜଗାର ହାର ଗତ ୪୫ ବର୍ଷରେ ସର୍ବାଧିକ ରହିଥିଲା। ମହାମାରୀବେଳେ ଏହି ହାର ବ୍ୟାପକ ମାତ୍ରାରେ ବଢ଼ିଛି। ୨୦୧୯-୨୦ ଆର୍ଥିକ ବର୍ଷ ଶେଷଆଡ଼କୁ ୩.୫ କୋଟି ବେରୋଜଗାର ରହିଥିଲେ। ଏହାବାଦ୍ ଭାରତରେ ପ୍ରତିବର୍ଷ ୧୫ରୁ ୫୯ ବର୍ଷ ବୟସର ୨ କୋଟିରୁ ଊର୍ଦ୍ଧ୍ୱ ଲୋକ ଚାକିରି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ତାଲିକାରେ ଯୋଡ଼ି ହେଉଛନ୍ତି। ଜାନୁୟାରୀ ୨୦୨୧ ସୁଦ୍ଧା ସହରାଞ୍ଚଳରେ ବେରୋଜଗାରଙ୍କ ହାର ୮ ପ୍ରତିଶତ ରହିଥିବାବେଳେ ଗ୍ରାମାଞ୍ଚଳରେ ଏହା ୫.୮ ପ୍ରତିଶତ ରହିଛି।