ନୂଆଗାଁ ୩।୧(ଡି.ଏନ.ଏ.): ଦଶପଲ୍ଲା ନିର୍ବାଚନମଣ୍ଡଳୀ ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ବିଜେଡି ପ୍ରାର୍ଥୀଙ୍କ ବ୍ୟାନର ପୋଡ଼ାଯିବା ସହିତ ଚିରି ଦିଆଯାଇଥିବା ଅଭିଯୋଗ ହୋଇଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଅଛି । ତେଣୁ ପ୍ରାର୍ଥୀମାନେ ଭୋଟରଙ୍କୁ ମନେଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବିଭିନ୍ନ ଦଳର ପ୍ରାର୍ଥୀମାନେ ନିଜ ସମର୍ଥକମାନଙ୍କ ସହ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। କେତେଜଣ ପ୍ରାର୍ଥୀ ଫଟୋ ଓ ଚିହ୍ନ ଥିବା ବ୍ୟାନର ବିଭିନ୍ନ ସ୍ଥାନରେ ଲଗାଇଛନ୍ତି। ହେଲେ କେହି ସରପଞ୍ଚ ପ୍ରାର୍ଥୀ ଓ ବିଜେଡିର ଜିଲା ପରିଷଦ ପ୍ରାର୍ଥୀଙ୍କ ବ୍ୟାନର ପୋଡ଼ି ଦେଇଛନ୍ତି। ଉକ୍ତ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ବିଜେଡିର ବହୁ ଆଶାୟୀ ପ୍ରାର୍ଥୀ ଅଛନ୍ତି। ପୁରୁଖା କର୍ମୀଙ୍କୁ ବାଦ୍ ଦେଇ ନୂଆ ମୁହଁକୁ ଦଳ ସମର୍ଥନ କରିଛି। ଏହାକୁ ନେଇ ଅସନ୍ତୁଷ୍ଟ ବିଜେଡି କର୍ମୀମାନେ ଏପରି କରିଥିବା ଏଠାରେ ଚର୍ଚ୍ଚା ଜୋର ଧରିଛି। ଏହି ସଂକ୍ରାନ୍ତରେ ନୂଆଗାଁ ବିଜେଡି ଉପସଭାପତି ମୁରଲୀଧର ଜେନାଙ୍କୁ ପଚାରିବାରୁ ନିର୍ବାଚନ ସମୟରେ ଏମିତି ହୁଏ କହି ପ୍ରଶ୍ନକୁ ଏଡାଇ ଯାଇଛନ୍ତି।