ଚାକିରି ଲାଗି ପ୍ରାର୍ଥୀଙ୍କୁ ମଗାଯାଉଛି ଟଙ୍କା: ଟୋଲ୍‌ ଫ୍ରି ନମ୍ବର ଜାରି କଲା ଓପିଏସ୍‌ସି

କଟକ ଅଫିସ,୬ା୯- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ କରାଯାଉଥିବା ବିଭିନ୍ନ ପରୀକ୍ଷାରେ ପ୍ରାର୍ଥୀମାନଙ୍କୁ ଯୋଗ୍ୟତା ତାଲିକାରେ ସ୍ଥାନ ଦେବାକୁ କେତେଜଣ ଅସାଧୁ ବ୍ୟକ୍ତି ପ୍ରତିଶ୍ରୁତି ଦେଇ ଟଙ୍କା ମାଗୁଛନ୍ତି। ଏ ସମ୍ପର୍କରେ ଓପିଏସ୍‌ସି ନିକଟରେ ଅଭିଯୋଗ ହୋଇଛି। ଏହାପରେ ଓପିଏସ୍‌ସି ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଥିରେ ଉଲ୍ଲେଖ କରାଯାଇଛି, କେତେଜଣ ଅସାଧୁ ବ୍ୟକ୍ତି ପ୍ରାର୍ଥୀମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବେଆଇନ ଭାବେ ଅର୍ଥ ଆଦାୟ କରୁଛନ୍ତି। ଏଭଳି ମିଥ୍ୟା ପ୍ରତିଶ୍ରୁତିକୁ କୌଣସି ପ୍ରାର୍ଥୀ ବିଶ୍ୱାସ କରନ୍ତୁ ନାହିଁ। ଓପିଏସ୍‌ସି ପକ୍ଷରୁ ସମସ୍ତ ନିଯୁକ୍ତିରେ ଦୃଢ଼, ସ୍ବଚ୍ଛତା ଓ ଯୋଗ୍ୟତାଭିତ୍ତିକ ପ୍ରକ୍ରିୟା ଅନୁସରଣ କରାଯାଏ। ଯଦି କୌଣସି ବ୍ୟକ୍ତି ଏଭଳି କରୁଛନ୍ତି, ତା’ ହେଲେ ଓପିଏସ୍‌ସିକୁ ଜଣାନ୍ତୁ। ଏଥିପାଇଁ ଟୋଲ୍‌ ଫ୍ରି ନମ୍ବର (୦୬୭୧-୨୩୦୧୧୦୭, ୦୬୭୧-୨୩୦୪୦୯୦) ଜାରି କରାଯାଇଥିବାବେଳେ ଅଫିସିଆଲ ଇ-ମେଲରେ ଯୋଗାଯୋଗ କରିବାକୁ କୁହାଯାଇଛି।

Share