ନୂଆଦିଲ୍ଲୀ,୬।୧୧ : ନିର୍ବାଚନ ସମୟରେ ଅଧିକ ସ୍ବଚ୍ଛତା ଆଣିବା ଏବଂ ନଗଦ କାରବାରରେ ରୋକ ଲଗାଇବା ପାଇଁ ନିର୍ବାଚନ ଆୟୋଗ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ଏହା ଅନୁଯାୟୀ ପ୍ରାର୍ଥୀଙ୍କ ନଗଦ ଖର୍ଚ୍ଚ ଏବେ ୨ ହଜାରରେ ସୀମିତ ରଖିବାକୁ ପ୍ରସ୍ତାବରେ କୁହାଯାଇଛି। ପୂର୍ବରୁ ଏହି ସୀମା ୧୦ ହଜାର ଥିଲା।
ଏ ସମ୍ପର୍କରେ ନିର୍ବାଚନ ଆୟୋଗ କେନ୍ଦ୍ର ସରକାରଙ୍କ ନିକଟରେ ଏକ ପ୍ରସ୍ତାବ ଦାଖଲ କରିଛନ୍ତି। ନିର୍ବାଚନ ଆୟୋଗର ପ୍ୟାନେଲରେ ସୁପାରିଶ କରାଯାଇଛି ଯେ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ୨ ହଜାରରୁ ଅଧିକ ହେଲେ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ। ଏଗୁଡିକ ବ୍ୟତୀତ ଚେକ କିମ୍ବା ଡିଜିଟାଲ ମାଧ୍ୟମରେ ପେମେଣ୍ଟ ମଧ୍ୟ କରାଯାଇପାରିବ।
ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ, ୧୦ ହଜାରରୁ ଅଧିକ ସମସ୍ତ ଦେୟ ନିର୍ବାଚନ ସମୟରେ ଚେକ, ଡ୍ରାଫ୍ଟ କିମ୍ବା ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ କରାଯାଉଥିଲା। ନିର୍ବାଚନ ଆୟୋଗଙ୍କର ନିର୍ଦ୍ଦେଶ ଅନୁଯାୟୀ ପ୍ରାର୍ଥୀଙ୍କୁ ନାମାଙ୍କନ ଦାଖଲ କରିବାର ଅତି କମରେ ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ଖର୍ଚ୍ଚ ପାଇଁ ଅଲଗା ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ପଡିବ। ଏଥି ସହିତ ପ୍ରାର୍ଥୀଙ୍କୁ ନିର୍ବାଚନ ଫଳାଫଳ ଘୋଷଣା ହେବାର ୩୦ ଦିନ ମଧ୍ୟରେ ଜିଲା ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନୀ ଖର୍ଚ୍ଚ ଆକାଉଣ୍ଟ ଦାଖଲ କରିବାକୁ ପଡିବ।