Categories: ଜାତୀୟ

ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନକୁ ଚ୍ୟାଲେଞ୍ଜ କରିପାରିବେନି ପ୍ରାର୍ଥୀ

ନୂଆଦିଲ୍ଲୀ,୨୭ା୫(ପି.ଟି.):ନିଯୁକ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ବିରୋଧରେ ଯିବାର ଆଇନଗତ ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏପରିକି ପ୍ରାର୍ଥୀଙ୍କ ନାଁ ଚୟନ ତାଲିକାକୁ ଯାଇଥିଲେ ମଧ୍ୟ ତାଙ୍କର ଏଭଳି ଅଧିକାର ନ ଥିବା ଜଷ୍ଟିସ କେ.ଏମ୍‌. ଜୋସେଫ ଏବଂ ହୃଷିକେଶ ରାୟଙ୍କ ଖଣ୍ଡପୀଠ କହିଛନ୍ତି। ତେବେ ନିଯୁକ୍ତିଦାତା ମନଇଚ୍ଛା ଯାହା କିଛି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ମଧ୍ୟ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି।
କର୍ମଚାରୀ ରାଜ୍ୟ ବୀମା ନିଗମ ପରିଚାଳିତ ଏକ କଲେଜରେ ଆସୋସିଏଟ୍‌ ପ୍ରଫେସର ପଦ ପୂରଣ ଲାଗି ୨୦୧୮ ମାର୍ଚ୍ଚ ୧ରେ ଅନ୍‌ଲାଇନରେ ଆବେଦନ ଆହ୍ବାନ କରାଯାଇଥିଲା। ପ୍ରଶାସନିକ କାରଣରୁ ଉକ୍ତ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖାଗଲା ବୋଲି ସେହି ମାସ ୨୧ରେ ଆଉ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଜଣେ ଆବେଦନକାରୀ ଏନେଇ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇ ପୂର୍ବ ବିଜ୍ଞାପନ ଅନୁଯାୟୀ ଆସୋସିଏଟ୍‌ ପ୍ରଫେସର ପଦବୀ ପୂରଣ କରିବା
ଲାଗି ନିର୍ଦ୍ଦେଶ ଦେବାକୁ ନିବେଦନ କରିଥିଲେ। ଟ୍ରିବ୍ୟୁନାଲ ତାଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହାକୁ କର୍ନାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲେ ହେଁ ରିଟ୍‌ ପିଟିଶନ ଖାରଜ ହୋଇଯାଇଥିଲା। ୪୫ ଦିନ ମଧ୍ୟରେ ନିଯୁକ୍ତି ସମ୍ପୂର୍ଣ୍ଣ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବା ସମ୍ଭବ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Share