Categories: ଗଞ୍ଜାମ

ପ୍ରାର୍ଥୀଙ୍କୁ ନେଇ ଛକାପଞ୍ଝା, ଆଜି ନାମାଙ୍କନ

ଦିଗପହଣ୍ଡି,୩୦ା୫(ଡି.ଏନ୍‌.ଏ.): ଦିଗପହଣ୍ଡିରେ ପ୍ରାଥମିକ ସେବା ସମବାୟ ସମିତି ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ସୋମବାର ୧୫ ନିର୍ଦ୍ଦେଶକ ପଦବୀ ପାଇଁ ନାମାଙ୍କନ ଦାଖଲ ଲାଗି ପ୍ରଶାସନିକ ସ୍ତରରେ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳୀୟ ସଙ୍କେତରେ ନିର୍ବାଚନ ହେଉ ନ ଥିଲେ ମଧ୍ୟ ରାଜନୈତିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ସମବାୟ ସମିତି ପରିଚାଳନା ପରିଷଦର ସଦସ୍ୟା ସଦସ୍ୟ (ନିର୍ଦ୍ଦେଶକ) ପଦବୀ ହାସଲ ନିମନ୍ତେ ଦିଗପହଣ୍ଡିରେ କଂଗ୍ରେସ, ବିଜେଡ଼ି କମ୍ୟୁନିଷ୍ଟ ସମେତ ଭାଜପା ରଣନୀତି ପ୍ରସ୍ତୁତ କରିଛି। ସ୍ଥିତି ଜାହିର କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ମଧ୍ୟରେ ଛକାପଞ୍ଝା ଆରମ୍ଭ କରିଛନ୍ତି। ସେହିପରି ଦିଗପହଣ୍ଡି ବ୍ଲକ ଅଧିନ ୨୪ଟି ପ୍ରାଥମିକ ସେବା ସମବାୟ ସମିତଗୁଡିକରେ ମଧ୍ୟ ଛକାପଞ୍ଝା ଆରମ୍ଭ ହୋଇଯାଇଛି।
ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧିନ ୨୦ଟି ଏବଂ ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧିନ ୪ଟି ପ୍ରାଥମିକ ସେବା ସମବାୟ ସମିତି ପାଇଁ ୨ଟି ପର୍ଯ୍ୟାୟରେ ନିର୍ବାଚନ କରାଯିବ। ଆସନ୍ତା ଜୁନ ୧୯ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ ୨୬ରେ ଦ୍ୱିିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଦିଗପହଣ୍ଡି ସେବା ସମବାୟ ସମିତିରେ ନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ନିର୍ବାଚନ ଅଧିକାରୀ ଭାବେ ଘନଶ୍ୟାମ ପତିଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ପ୍ରତ୍ୟେକ ସେବା ସମବାୟ ସମିତି ଗୁଡ଼ିକ ନିମନ୍ତେ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରତ୍ୟେକ ସେବା ସମବାୟ ସମିତିକୁ ୧୫ ଟି ଜୋନରେ ବିଭକ୍ତ କରାଯାଇଛି। ଗତ ୧୮ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଯେଉଁମାନେ ସମବାୟ ସମିତିରେ ସଭ୍ୟ ଥିବେ ସେହିମାନଙ୍କୁ ନେଇ ଜୋନ(ନିର୍ବାଚନ ମଣ୍ଡଳୀ) ଗଠନ କରାଯାଇଛି। ସମବାୟ ନିର୍ବାଚନ ପାଇଁ ଅନୁସୂଚିତ ଜାତି/ଜନଜାତି ବର୍ଗର ସଭ୍ୟାସଭ୍ୟମାନଙ୍କର ଆକାଉଣ୍ଟରେ ଶହେ ଟଙ୍କା ଏବଂ ସାଧାରଣ ବର୍ଗଙ୍କ ୫ ଶହ ଟଙ୍କା ଗତ ୧୮ ଡିସେମ୍ବର ୨୦୨୧ ସୁଦ୍ଧା ଜମା ରହିଥିବ, ସେହି ସଭ୍ୟା ସଭ୍ୟମାନେ ନିର୍ବାଚନ ପ୍ରକ୍ରିୟା ଓ ଭୋଟ ଦାନରେ ଭାଗ ନେ ପାରିବେ ବୋଲି ଗାଇଡ ଲାଇନ ଥିବା ଗଞ୍ଜାମ ଜିଲା ସହକାରୀ ସମବାୟ ନିବନ୍ଧକ ଶିବ ପ୍ରସାଦ ସ୍ବାଇଁ ସୂଚନା ଦେଇଛନ୍ତି।