ଆଜି ନାମାଙ୍କନ ଭରିବେ ସବୁ ଦଳର ପ୍ରାର୍ଥୀ

ପଦ୍ମପୁର,୧୭।୧୧(ଡି.ଏନ.ଏ.):ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିବସ ଗୁରୁବାର ରହିଛି। ତେବେ ବୁଧବାର ସୁଦ୍ଧା କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ଗତ ସୋମବାର ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଶୋଭାଯାତ୍ରା କରି ନାମାଙ୍କନ ଦାଖଲ କରିବାକୁ ଆସିଥିଲେ ମଧ୍ୟ ଫେରିଯାଇଥିଲେ। ବୁଧବାର ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ନାମାଙ୍କନପତ୍ର ଦାଖଲ କରିବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ବିଜେଡି ବୁଧବାର ଏଥିରୁ ବିରତ ରହିଥିଲା। ଫଳରେ କୌଣସି ରାଜନୈତିକ ଦଳ ଚାଷୀମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିବା ଏଥିରୁ ସ୍ପଷ୍ଟ ହୋଇଛି। ତେବେ ଗୁରୁବାର ନାମାଙ୍କନ ଦାଖଲର ଶେଷ ଦିବସ ଥିବାରୁ ସବୁ ଦଳର ପ୍ରାର୍ଥୀ ଏହି ଦିନ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଛନ୍ତି, ଗୁରୁବାର ଅପରାହ୍ନ ୨ଟା ସୁଦ୍ଧା ସେ ପ୍ରାର୍ଥିପତ୍ର ଦାଖଲ କରିବେ। କଂଗ୍ରେସ ଜିଲା ସଭାପତି ନିହାର ରଞ୍ଜନ ମହାନନ୍ଦ କହିଛନ୍ତି, ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ସ୍ଥାନୀୟ ଗୋରୁ ମାର୍କେଟ୍‌ରୁ ଏକ ଶୋଭାଯାତ୍ରାରେ ବାହାରି ଦଳୀୟ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ନାମାଙ୍କନପତ୍ର ଦାଖଲ କରିବେ। ସେହିପରି ଗୁରୁବାର ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ପ୍ରାର୍ଥତ୍ପତ୍ର ଦାଖଲ କରିବେ ବୋଲି ବିଜେଡି ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନ ପାଇଁ ଭାଜପାରୁ ପ୍ରଦୀପ ପୁରୋହିତ, ବିଜେଡିରୁ ବର୍ଷା ସିଂ ବରିହା, କଂଗ୍ରେସରୁ ସତ୍ୟଭୂଷଣ ସାହୁ, ଓଜେପିରୁ ମୁକ୍ତେଶ୍ୱର ଦାଶ, ଜୟାନନ ଥାପା, ବେଣୁଧର ବରିହା, କର୍ପୂର ମେହେର, ମନୋରଞ୍ଜନ ସିଂହ ବରିହା, ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ପ୍ରଶାନ୍ତ ବିଶ୍ୱାଳ, ଜ୍ୟୋତି ବିକାଶ ପ୍ରଧାନ, ରେବତୀ ଗିରୀ, ଚିତ୍ତରଞ୍ଜନ ମେହେର, ଉଦିତ ବୋଣ୍ଡିଆ ପ୍ରମୁଖ ମୋଟ ୧୫ ଜଣ ପ୍ରାର୍ଥତ୍ପତ୍ର କିଣିଛନ୍ତି। ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ବୁଧବାର ସୁଦ୍ଧା କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ଅପରପକ୍ଷେ ସରକାରଙ୍କ ଘୋଷିତ ଇନ୍‌ପୁଟ ସବ୍‌ସିଡିକୁ ଧୁଆଁବାଣ ବୋଲି କହିଛନ୍ତି ଚାଷୀ ନେତା ରମେଶ ମହାପାତ୍ର। ଯେପର୍ଯ୍ୟନ୍ତ ଚାଷୀଙ୍କ ଦାବି ସରକାର ପୂରଣ କରିନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତ୍ୟାହାରର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି।

Share