କେମ୍ବ୍ରିଜ୍, ୧୮ା୪: ମନୁଷ୍ୟ ସମାଜରେ ଗଞ୍ଜେଇ ବ୍ୟବହାର ହଜାର ହଜାର ବର୍ଷ ପୁରୁଣା। ଅନେକେ ଏହାର ସେବନ ଦ୍ୱାରା ଆନନ୍ଦ ଏବଂ ଉତ୍ସାହିତ ଅନୁଭବ କରୁଥିବାବେଳେ କେତେକ ଦେଶରେ ଗଞ୍ଜେଇ ବ୍ୟବହାରକୁ ବୈଧ ମଧ୍ୟ କରାଯାଇଛି। ୨୦୧୮ରେ ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ବିଶ୍ୱବ୍ୟାପୀ ୧୫ରୁ ୬୪ ବର୍ଷ ବୟସର ପ୍ରାୟ ୧୯.୨ କୋଟି ଲୋକ ମନୋରଞ୍ଜନ ପାଇଁ ଗଞ୍ଜେଇ ସେବନ କରିଥାନ୍ତି। ସେମାନଙ୍କ ମଧ୍ୟରୁ ୧୮ରୁ ୨୫ ବର୍ଷ ବୟସର ଯୁବଗୋଷ୍ଠୀଙ୍କ ସଂଖ୍ୟା ପ୍ରାୟ ୩୫ ପ୍ରତିଶତ। କିନ୍ତୁ ୨୬ ବର୍ଷ କିମ୍ବା ଊର୍ଦ୍ଧ୍ୱ ବୟସର ମାତ୍ର ୧୦ ପ୍ରତିଶତ ଏହି ନିଶା ସେବନ କରିଥାନ୍ତି। ଅର୍ଥାତ କିଶୋରମାନେ ଅଧିକ ମାତ୍ରାରେ ଗଞ୍ଜେଇ ବ୍ୟବହାର କରିଥାନ୍ତି। ଏହାର ସେବନ ମସ୍ତିଷ୍କକୁ କିପରି ପ୍ରଭାବିତ କରେ ସେ ନେଇ ଜର୍ନାଲ ଅଫ୍ ସାଇକୋଫାର୍ମାକୋଲୋଜି, ନ୍ୟୁରୋସାଇକୋଫାର୍ମାକୋଲୋଜି ଏବଂ ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ୍ ନ୍ୟୁରୋସାଇକୋଫାର୍ମାକୋଲୋଜିରେ ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି।
ଜଣାପଡ଼ିଛି, ଟେଟ୍ରାହାଇଡ୍ରୋକାନାବିନୋଲ (ଟିଏଚ୍ସି) ଗଞ୍ଜେଇରେ ଥିବା ମୁଖ୍ୟ ସାଇକୋଆକ୍ଟିଭ୍ ପଦାର୍ଥ। ଏହା ମସ୍ତିଷ୍କର ଏଣ୍ଡୋକାନାବିନୋଏଡ୍ ସିଷ୍ଟମ (ଗଞ୍ଜେଇରେ ଥିବା ରାସାୟନିକ ପଦାର୍ଥ ସହ ପ୍ରତିକ୍ରିୟା କରୁଥିବା ରିସେପ୍ଟର) ଉପରେ କାର୍ଯ୍ୟ କରିଥାଏ। ମସ୍ତିଷ୍କର ପ୍ରିଫ୍ରୋଣ୍ଟାଲ ଏବଂ ଲିମ୍ବିକ୍ ଭାଗରେ ଗଞ୍ଜେଇର ରିସେପ୍ଟର ରହିଥାଏ। ଡୋପାମାଇନ୍, ଗାମା-ଆମିନୋବ୍ୟୁଟ୍ରିକ୍ ଏସିଡ୍ (ଗାବା) ଆଦି କେମିକାଲ ନିର୍ଗତ ହେବା ପାଇଁ ମସ୍ତିଷ୍କକୁ ଯାଉଥିବା ସଙ୍କେତକୁ ତାହା ନିୟନ୍ତ୍ରିତ କରିଥାଏ। ଆମେ ଜାଣୁ ଯେ, ମଣିଷ ଶିଖିବା, ପ୍ରୋତ୍ସାହିତ ହେବା ଆଦି ପାଇଁ ଡୋପାମାଇନ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେହିପରି ସଜ୍ଞାନାତ୍ମକ ପ୍ରକ୍ରିୟା ଯଥା ଶିଖିଥିବା କଥା ମନେ ରଖିବା, ବୁଝିବା ଆଦି ପ୍ରକ୍ରିୟାରେ ଗାବା ସାମିଲ ହୋଇଥାଏ। ଗଞ୍ଜେଇ ସେବନ ଦ୍ୱାରା ଏହି କେମିକାଲ ଗୁଡ଼ିକ ଅନିୟନ୍ତ୍ରିତ ଭାବେ ମସ୍ତିଷ୍କରେ ନିର୍ଗତ ହେଉଥିବାରୁ ମଣିଷର ଶିଖିବା ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ବୁଝିବା ଶକ୍ତି ବିକଶିତ ହୋଇପାରି ନ ଥାଏ। ବିଶେଷ କରି କିଶୋର ବୟସରେ ପିଲାଙ୍କ ମସ୍ତିଷ୍କରେ ବିକାଶ ପ୍ରକ୍ରିୟା ଜାରିଥିବାବେଳେ ଗଞ୍ଜେଇ ସେବନ ଦ୍ୱାରା ତାହା ବାଧାପ୍ରାପ୍ତ ହୋଇଥାଏ। ଗଞ୍ଜେଇ ବ୍ୟବହାର ଦ୍ୱାରା ତାହା ଅଭ୍ୟାସରେ ପରିଣତ ହେବା ପରେ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ପ୍ରଭାବିତ ହୋଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହା ସ୍ମୃତି ଶକ୍ତିକୁ କମ୍ କରିବା ସହ ଚିନ୍ତାଧାରା ତଥା ଭାବନା ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ।