ଧରାପଡୁଛି ଗଞ୍ଜେଇ, ଖସି ଯାଉଛନ୍ତି ବେପାରୀ

ବୌଦ୍ଧ,୧୬ା୯(ସ୍ବ.ପ୍ର.): ବୌଦ୍ଧ ଜିଲା ଗଞ୍ଜେଇ କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଯୁବ ପିଢି କମ ପରିଶ୍ରମରେ ସ୍ବଳ୍ପ ସମୟରେ ଅଧିକ ଲାଭ ପାଇବା ଆଶାରେ ଗଞ୍ଜେଇ ଚାଷ ପ୍ରତି ମନ ବଲାଉଥିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ଜିଲାପାଳଙ୍କ ନିର୍ଦ୍ଦେଶରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜିଲାରୁ ଗଞ୍ଜେଇ ଗଛ କଟାଯାଉଛି। ଏହାସତ୍ତ୍ୱେ ଜିଲାରୁ ଗଞ୍ଜେଇ ଲୋପ ପାଇବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ଜିଲାରୁ ପ୍ରତିଦିନ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜିଲା ପୋଲିସ ହାତରେ ମଧ୍ୟ ଧରାପଡୁଛି। ଏହାଛଡା ବିଭିନ୍ନ ସମୟରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ ହୋଇ ଗଞ୍ଜେଇ ଜବତ କରାଯାଉଛି, କିନ୍ତୁ ଚୋରା ବେପାରୀମାନେ ଧରାପଡୁ ନ ଥିବା ଦେଖିବାକୁ ମିଳୁଛି। ଏଥିରୁ ଚଢାଉ କେବଳ ଧର୍ମକୁ ଆଖିଠାର ବୋଲି ଆଲୋଚନା ହେଉଛି ା ଜିଲାର ଗଞ୍ଜେଇର ଚାହିଦା ବାହାର ରାଜ୍ୟରେ ଥିବାରୁ ଜିଲାରୁ ପ୍ରତିଦିନ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଛି। ଜିଲାର ଅନେକ ଅଞ୍ଚଳ ବଣପାହାଡ ଘେରା ହୋଇଥିବା ବେଳେ ଏଠିକାର ଅଧକାଂଶ ଅଧିବାସୀ ଗରିବ ଓ ଆଦିବାସୀ ଶ୍ରେଣୀର। ଏମାନଙ୍କ ସରଳତାର ସୁଯୋଗ ନେଇ ବେପାରୀମାନେ ଏମାନଙ୍କୁ ହାତ କରି ଗଞ୍ଜେଇ ଚାଷ ଓ କାରବାର କରି ମାଲେମାଲ ହେଉଛନ୍ତି। ଅନେକ ସମୟରେ ଚୋରା କାରବାରରେ ବେପାରୀମାନେ ଧରାପଡୁ ନ ଥିବା ବେଳେ ଧରା ପଡୁଛନ୍ତି ଗରିବ ଖଟିଖିଆ ା ଚୋରା ବେପାରୀମାନେ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗର କେତେଜଣ ଅସାଧୁ କର୍ମଚାରୀଙ୍କୁ ହାତ କରି ଖସି ଯାଉଛନ୍ତି ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ କାରବାର ରୋକିବା ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି।