Categories: ମେଟ୍ରୋ

ବସ୍ତିରେ ତିଆରି ହେଉଥିଲା ଗଞ୍ଜେଇ ସିଗାରେଟ

ଭୁବନେଶ୍ୱର,୨୦।୭(ସୂର୍ଯ୍ୟକାନ୍ତ ବେହେରା)ଦେଖିବାକୁ ସିଗାରେଟ। ମାତ୍ର ଭିତରେ ଭର୍ତ୍ତି ହୋଇଛି ଗଞ୍ଜେଇ। ରାଜଧାନୀରେ ବେଆଇନ ଭାବେ ବିକ୍ରି ହେଉଥିବା ଏହି ଗଞ୍ଜେଇ ସିଗାରେଟ ସହରରେ ଥିବା ବସ୍ତିରେ ତିଆରି ହେଉଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ପ୍ୟାକେଜିଂ ସହ ବ୍ରାଣ୍ଡିଂ ବି ହେଉଛି। ଅବକାରୀ ଅଧିକାରୀମାନେ ବୁଧବାର ସକାଳେ ଗ୍ରାହକ ବେଶରେ ଆଚାର୍ଯ୍ୟବିହାରସ୍ଥିତ ବିଶ୍ୱେଶ୍ୱର ବସ୍ତିରେ ଚଢ଼ାଉ କରି ଏହି ର଼୍ୟାକେଟକୁ ଠାବ କରିବା ସହ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ହେଲେ ରଙ୍ଗବତୀ ଦାସ। ତାଙ୍କ ଘର ଓ ଦୋକାନରୁ ୫ ହଜାର ଗଞ୍ଜେଇ ଭର୍ତ୍ତି ସିଗାରେଟ ଓ ୨୪ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ବେଆଇନ କାରବାରରେ ତାଙ୍କ ସ୍ବାମୀ ମଧ୍ୟ ଗତବର୍ଷ ଗିରଫ ହୋଇ ଜେଲ ଯାଇଥିଲେ। ଏବେ ଏହି ର଼୍ୟାକେଟ ଧରାପଡିବା ପରେ ଏଥିରେ ଆଉ କିଏ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଛି ଅବକାରୀ ଟିମ୍‌। ତେବେ ଉକ୍ତ ବସ୍ତିରେ ଘରେ ଘରେ ଗଞ୍ଜେଇ ସିଗାରେଟ ତିଆରି ଓ ବିକ୍ରି ହେଉଥିବା ଗିରଫ ମହିଳା ରଙ୍ଗବତୀ ଗଣମାଧ୍ୟମ ଆଗରେ କହିବା ପରେ ବଡ଼ ଧରଣର ଚଢ଼ାଉ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି। ଅନ୍ୟପକ୍ଷରେ ଅବକାରୀ ଚଢ଼ାଉ ଖବର ପାଇବା ପରେ ସମ୍ପୃକ୍ତ ଅନ୍ୟମାନେ ମଧ୍ୟ ସତର୍କ ହୋଇପଡିଥିବା କୁହାଯାଉଛି। ବର୍ଷ ବର୍ଷ ଧରି ଏଠାରେ ଗଞ୍ଜେଇ ସିଗାରେଟ ତିଆରି ହେବା ସହ ବିକ୍ରି ହେଉଥିଲେ ମଧ୍ୟ ପୋଲିସର ନୀରବତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାନୁଯାୟୀ, ଗଞ୍ଜେଇ ସିଗାରେଟ ଏବେ ସହରର ଗଳିକନ୍ଦିରେ ମିଳୁଛି। ବିଶେଷକରି କଲେଜ, ମଲ୍‌ ଓ ବସ୍ତି ଅଞ୍ଚଳରେ ବେଶି ବିକ୍ରି ହେଉଛି। ଏବେ କାଉଡିଆମାନେ ମଧ୍ୟ ଏହି ସିଗାରେଟ ବ୍ୟବହାର କରୁଥିବା ଜଣାପଡିଛି। ଗ୍ରାହକମାନେ ଏହାର କୋଡ୍‌ ଓ୍ବାର୍ଡ ‘ବାବା ସିଗାରେଟ’ ନାଁରେ ଦୋକାନୀଙ୍କୁ ମାଗିଥାନ୍ତି।

Share