୨୨ ଏକର ଜମିରେ ହୋଇଥିଲା ଗଞ୍ଜେଇ ଚାଷ: ଜାଳିଦେଲା ପୋଲିସ

ଦାରିଙ୍ଗବାଡି,୨୯।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ପୋଲିସ ପୁଣି ଗଞ୍ଜେଇ ଗଛ ନଷ୍ଟ କରିଛି। ଦାରିଙ୍ଗବାଡ଼ି ଥାନା ଅଧୀନ କିରିକୁଟି ପଞ୍ଚାୟତ ଆଦିବାସୀ ନାହୁ ଏବଂ କିରିକୁଟି ଅଞ୍ଚଳରେ ପ୍ରାୟ ୨୨ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା ପୋଲିସକୁ ଖବର ମିଳିଥିଲା। ଖବର ପାଇ ଦାରିଙ୍ଗବାଡି ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ସମେତ ସବ୍‌ଇନ୍ସସ୍ପେକ୍ଟର ଜିତେନ୍ଦ୍ର ବେହେରା, ଏସ୍‌ଆଇ ସୁବାସ ଚନ୍ଦ୍ର ବାୟକ, ଶ୍ରୀନିବାସ ରେଡ୍ଡୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଗଞ୍ଜେଇ ଗଛ କାଟି ନିଆଁ ଲଗାଇ ନଷ୍ଟ କରିଥିଲେ। ଏହି ଅଭିଯାନ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା। ଚଢାଉରେ ସ୍ଥାନୀୟ ତହସିଲଦାର ଶରତ ଶବର ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ।

ସୂଚନା ଯୋଗ୍ୟ, ପୂର୍ବରୁ ଜିଲାର ବିଭିନ୍ନ ସ୍ଥାନରେ ଗଞ୍ଜେଇ ଚାଷ ହେଉଥିବା ନଜର ରହିଥିବା ବେଳେ ଦାରିଙ୍ଗବାଡି ଅଞ୍ଚଳରେ ଗଞ୍ଜେଇ ଚାଷ ପୋଲିସର ମୁଣ୍ଡ ବିନ୍ଧାର କାରଣ ହୋଇଛି। ଏହାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଏକ ଅଭିଯାନ ଆରମ୍ଭ ହୋଇଥିବା ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି। କେଉଁମାନେ ଗଞ୍ଜେଇ ଚାଷରେ ସାମିଲ ଅଛନ୍ତି ପୋଲିସର ତଦନ୍ତ ପରେ ଜଣାପଡିବ। ଏନେଇ ଥାନାରେ ଏକ ମାମଲା (ନଂ.୨୨୯/୨୩) ରୁଜୁ କରି ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share