ଦାବି ପୂରଣ ନ ହେଲେ ଜାରି ରହିବ ଗଞ୍ଜେଇ ଚାଷ

ମାଲକାନଗିରି/ଚିତ୍ରକୋଣ୍ଡା,୨୨ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାଲେଗଡ଼ା ଏବଂ ଧୂଳିପୁଟ ପଞ୍ଚାୟତବାସୀଙ୍କ ସମେତ ଅନ୍ୟ ପଞ୍ଚାୟତର ବାସିନ୍ଦା ସୋମବାର ଧୂଳିପୁଟରେ ଏକାଠି ହୋଇ ପ୍ରଜାମେଳି କରିଛନ୍ତି। ପୋଲିସର ଗଞ୍ଜେଇ କଟା ଅଭିଯାନକୁ ବିରୋଧ କରି ଗଞ୍ଜେଇଚାଷକୁ ସରକାରୀ ସ୍ବୀକୃତି ମାନ୍ୟତା ଦାବିରେ ଏହି ପ୍ରଜାମେଳି ହୋଇଥିଲା। ବଣପାହାଡ଼ଘେରା ଅଞ୍ଚଳରେ ରହୁଥିବା ଏହି ଅଧିବାସୀମାନେ ଧାନ, ମାଣ୍ଡିଆ, ସୁଆଁ, କାଙ୍ଗୁ, ପନିପରିବା ଚାଷ କରୁଥିଲେ ମଧ୍ୟ ଏହାର ଉଚିତ ମୂଲ୍ୟ ପାଇପାରୁନାହାନ୍ତି। ଫଳରେ ସେମାନଙ୍କୁ ପରିବାର ଚଳାଇବା କଷ୍ଟକର ହେଉଛି। ତେଣୁ ସେମାନେ ଗଞ୍ଜେଇଚାଷ କରି କିଛି ଅର୍ଥ ଉପାର୍ଜନ କରୁଛନ୍ତି। ସରକାର ଅବକାରୀ ବିଭାଗ ମାଧ୍ୟମରେ ଗଞ୍ଜେଇଚାଷକୁ ବନ୍ଦ କରିବାକୁ ଉଦ୍ୟମ କରୁଛନ୍ତି l

ଯଦି ଅନ୍ୟ ଚାଷରେ ସେମାନଙ୍କୁ ଉଚିତ ମୂଲ୍ୟ ମିଳେ ସେମାନେ ଗଞ୍ଜେଇ ଚାଷ ଛାଡ଼ିଦେବେ, ନଚେତ୍‌ ସେମାନେ ଗଞ୍ଜେଇ ଚାଷ ଛାଡ଼ିବେନି ବୋଲି ରୋକ୍‌ଠୋକ୍‌ କହିଛନ୍ତି। ଏହି ଅବସରରେ ସେମାନେ ଏକ ରାଲି କରି ସରକାରଙ୍କ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରିଛନ୍ତି l ଯଦି ସମସ୍ତ ପ୍ରକାର ମଦ ବିକ୍ରି କରିବାକୁ ସରକାରଙ୍କ ଅନୁମତି ମିଳୁଛି, ରାଜସ୍ବ ବଢ଼ିବା ପାଇଁ ଗଞ୍ଜେଇଚାଷକୁ କାହିଁକି ଅନୁମତି ମିଳିବନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଧୂଳିପୁଟ ଓ ରାଲେଗୋଡ଼ା ପଞ୍ଚାୟତର ୩୫ଟି ଗ୍ରାମର ଏକ ହଜ଼ାରରୁ ଊର୍ଦ୍ଧ୍ୱ ଲୋକ ଏହି ପ୍ରଜାମେଳିରେ ସାମିଲ ହୋଇ ସରକାର ସେମାନଙ୍କୁ ସେମାନଙ୍କ ଚାଷର ଉପଯୁକ୍ତ ମୂଲ୍ୟ ପ୍ରଦାନ କରନ୍ତୁ ବୋଲି ଦାବି କରିଥିଲେ।

Share