ଭାଲେଟ୍ଟା, ୧୬ା୧୨: ପ୍ରଥମ ୟୁରୋପୀୟ ଦେଶ ଭାବେ ମାଲ୍ଟା ଗଞ୍ଜେଇକୁ ବ୍ୟକ୍ତିଗତ ଭାବେ ବ୍ୟବହାର ନିମନ୍ତେ ଅନୁମତି ଦେଇଛି। ଏଥିସହ ଲୋକେ ସୀମିତ ଭାବେ ଗଞ୍ଜେଇ ଗଛ ଲଗାଇ ପାରିବେ ବୋଲି ମଙ୍ଗଳବାର ପାର୍ଲାମେଣ୍ଟରେ ବିଲ୍ ପାରିତ ହୋଇଛି। ନୂଆ ଆଇନ ଅନୁସାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ନିଜ ପାଖରେ ୭ ଗ୍ରାମ ପର୍ଯ୍ୟନ୍ତ ଗଞ୍ଜେଇ ରଖିପାରିବେ ଏବଂ ଘରେ ସର୍ବାଧିକ ୪ଟି ଗଛ ଲଗାଇପାରିବେ। ଏଥିସହ ଏହାକୁ ଔଷଧ ତିଆରିରେ ବ୍ୟବହାର ନିମନ୍ତେ କେତେକ ଅଣ-ଲାଭକାରୀ ସଂଗଠନକୁ ମଧ୍ୟ ଅନୁମତି ଦିଆଯାଇଛି। ଗତ ଅକ୍ଟୋବରରେ ଲକ୍ସେମ୍ବ ବର୍ଗ ସମାନ ଆଇନ ଆଣିବା ନିମନ୍ତେ ଯୋଜନା କରିଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଏହା ପାର୍ଲାମେଣ୍ଟରୁ ସବୁଜ ସଙ୍କେତ ଲାଭ କରିପାରିନାହିଁ।
ଗଞ୍ଜେଇ ବ୍ୟବହାର ଉପରେ ମାଲ୍ଟା ସରକାର ରୋକ ଲଗାଇଛନ୍ତି। କେହି ପବ୍ଲିକ ସ୍ଥାନରେ କିମ୍ବା ଛୋଟ ପିଲାଙ୍କ ସମ୍ମୁଖରେ ଗଞ୍ଜେଇ ଟାଣୁଥିବା ଧରାପଡ଼ିଲେ ୨୬ ହଜାରରୁ ୪୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଔଷଧୀୟ ଗଞ୍ଜେଇ ଉତ୍ପାଦନରେ ୟୁରୋପୀୟ ଦେଶ ଭାବେ ମାଲ୍ଟା ଆଗରେ ରହିବାକୁ ଚେଷ୍ଟା କରିଆସିଛି। ୨୦୧୮ରେ ଏହା ଔଷଧ ପ୍ରସ୍ତୁତି ଏବଂ ଗବେଷଣା ନିମନ୍ତେ ଗଞ୍ଜେଇ ଚାଷକୁ ଅନୁମୋଦନ କରିଥିଲା। ଏହାବାଦ ନେଦରଲାଣ୍ଡ୍ସ ମଧ୍ୟ ଗଞ୍ଜେଇ ଚାଷ ପ୍ରତି ସକାରାତ୍ମକ ଦୃଷ୍ଟିକୋଣ ରଖିଛି। ତେବେ ସରକାରୀ ଭାବେ ଏହାକୁ ବୈଧ ଘୋଷଣା କରାଯାଇନାହିଁ। ମଦ ଭଳି ଗଞ୍ଜେଇକୁ ମନୋରଞ୍ଜନ ନିମନ୍ତେ ବ୍ୟବହାର ପାଇଁ ଦକ୍ଷିଣ ଆମେରିକୀୟ ଦେଶ ଉରୁଗୁଏ ୨୦୧୩ରେ ବିଶ୍ୱର ପ୍ରଥମ ଦେଶ ଭାବେ ଅନୁମତି ଦେଇଥିଲା। ପରେ କାନାଡା, ଜର୍ଜିଆ, ମେକ୍ସିକୋ, ସ୍ପେନ୍, ଦକ୍ଷିଣ ଆଫ୍ରିକା ଆଦି ଦେଶ ମଧ୍ୟ ଗଞ୍ଜେଇର ମନୋରଞ୍ଜନ ଭିତ୍ତିକ ବ୍ୟବହାରକୁ ଅନୁମତି ଦେଇଛନ୍ତି।