ଥାଇଲାଣ୍ଡରେ ଗଞ୍ଜେଇ ବୈଧ

ବ୍ୟାଙ୍କକ୍‌, ୧୦ା୬:ଥାଇଲାଣ୍ଡ ଗଞ୍ଜେଇ ବ୍ୟବହାରକୁ ଗୁରୁବାର ବୈଧ ଘୋଷଣା କରିଛି। ଏପରି କରିବାରେ ଥାଇଲାଣ୍ଡ ଏସିଆ ମହାଦେଶର ପ୍ରଥମ ଦେଶ ହୋଇଛି। ଗଞ୍ଜେଇ ଚାଷ ଏବଂ ଖାଦ୍ୟ ସାମଗ୍ରୀରେ ଏହାର ବ୍ୟବହାର କରାଯାଇପାରିବ ବୋଲି ଥାଇଲାଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଧୂମପାନରେ ଗଞ୍ଜେଇ ଏବେ ବି ନିଷିଦ୍ଧ ରହିଛି। କୋଭିଡ୍‌ ପରେ ଦେଶର ଅର୍ଥନୀତିକୁ ଟ୍ରାକ୍‌କୁ ଆଣିବା ଲକ୍ଷ୍ୟରେ ଥାଇଲାଣ୍ଡ ଏପରି କରିଛି। ଏବେ କାନାବିସ୍‌ ବା ଗଞ୍ଜେଇ ମିଶ୍ରିତ ପାନୀୟ, ମିଠା ଏବଂ ଅନ୍ୟ ଖାଦ୍ୟକୁ ଏଠାରେ ଲୋକେ ଖାଇପାରିବେ। ଶରୀରରେ ଯନ୍ତ୍ରଣା ଓ ଥକ୍କାପଣରୁ ମୁକ୍ତିପାଇଁ ଏଠାକାର ଲୋକେ ପାରମ୍ପରିକ ଭାବେ ଗଞ୍ଜେଇ ସେବନ କରିଥାନ୍ତି। ୨୦୧୮ରେ ଏହି ଦେଶ ଔଷଧରେ ଗଞ୍ଜେଇର ବ୍ୟବହାରକୁ ଅନୁମତି ଦେଇଥିଲା। ଗଞ୍ଜେଇ ଚାଷ କରିବାକୁ ହେଲେ ଲୋକଙ୍କୁ ଏକ ସରକାରୀ ଆପ୍ଲିକେଶନ୍‌ରେ ନାମ ପଞ୍ଜୀକରଣ କରିବାକୁ କୁହାଯାଇଛି। ତେବେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାଇଲାଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି।

Share