ବାଲିଗୁଡ଼ା,୨୨ା୩(ଡି.ଏନ୍.ଏ.): ଦିନକୁ ଦିନ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରୁ ବେଆଇନ ଗଞ୍ଜେଇ ଚୋରାଚାଲାଣ ବଢ଼ୁଥିବା ବେଳେ ଗଞ୍ଜେଇ ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା ପାଇଁ ଜୋରଦାର ପ୍ରଚେଷ୍ଟା ଜାରି ରଖିଛି ପୋଲିସ। ବୁଧବାର ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ଏକ ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଗଞ୍ଜେଇ ଚୋରାଚାଲାଣ ହେବା ନେଇ ସୂଚନା ପାଇଥିଲା । ସିଟି ସ୍କୁଲ ଛକ ନିକଟରୁ ଗଞ୍ଜେଇ ଭର୍ତ୍ତି ଏକ ପିକ୍ଅପ୍କୁ ଜବତ କରିଥିବା ବେଳେ ପୋଲିସକୁ ଚକମା ଦେଇ କୌଶଳକ୍ରମେ ଦୁଇଜଣ ମାଫିଆ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ଗାଡ଼ି ନଂ.ଓଡି-୩୩-ଏବି-୯୯୦୬ରୁ ୧୪୧ କେଜି ୩୦୦ ଗ୍ରାମ ବେଆଇନ ଗଞ୍ଜେଇ ଜବତ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏନେଇ ବାଲିଗୁଡ଼ା ଥାନାରେ କେସ୍ ନଂ ୭୫/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ। ଗଞ୍ଜେଇ ଚୋରା ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା ପାଇଁ ପୋଲିସ ସଜାଗ ରହିଛି ଏବଂ ଏବଂ ଏହାର ମୂଳ ଉତ୍ପାଟନ କରିବା ପାଇଁ ଆମେ ଆମର ପ୍ରଚେଷ୍ଟା ଜାରି ରଖିଛୁ ବୋଲି ଥାନାଧିକାରୀ ବାବାଶଙ୍କର ସରାଫ ପ୍ରକାଶ କରିଛନ୍ତି।